
● ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୁଭାରମ୍ଭ ହେଲା ମାଗଣା ଭୋଜନ ବ୍ୟବସ୍ଥା
● ଜିଲ୍ଲା ପ୍ରଶାସନ କଲା ସହଯୋଗ
● ରୋଗୀଙ୍କ ଅଭିଭାବକ ହେଲେ ଆନନ୍ଦିତ
ବାଲେଶ୍ବର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ : ଥାଲାସେମିଆ ଏମିତି ଏକ ରୋଗ ଯାହାର ନିଦାନ ନାହିଁ। ଏ ରୋଗ ପ୍ରାୟତଃ ସାନ ସାନ ପିଲାମାନଙ୍କୁ ହୋଇଥାଏ।ବାଲେଶ୍ଵର ଜିଲ୍ଲାର ସଦର ଡାକ୍ତରଖାନାରେ ଥାଲାସେମିଆ ରୋଗୀଙ୍କୁ ସପ୍ତାହରେ ତିନିଦିନ ରକ୍ତ ଦିଆଯାଇଥାଏ। ସୋମବାର, ଗୁରୁବାର ଓ ଶନିବାର ଦିନ ସଦର ହସପିଟାଲରେ ଏହି ଥାଲାସେମିଆ ରୋଗୀ ମାନଙ୍କୁ ରକ୍ତ ଦିଆଯାଉଥିବାରୁ ସେମାନେ ସପ୍ତାହର ଏହି ତିନିଦିନ ଆସିଥାନ୍ତି। ଏ ରୋଗୀମାନଙ୍କ ଭିତରୁ ଅଧିକାଂଶ ନାବାଳକ ଥିବାରୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନଙ୍କ ସହିତ ସେମାନଙ୍କ ବାପାମାଆ ଥ
ଆସିଥାନ୍ତି। ସୂଚନା ଅନୁସାରେ, ‘ସେବା ହିଁ ସେବା’ ଅନୁଷ୍ଠାନ ଏହି ରୋଗୀମାନଙ୍କୁ ମାଗଣା ଜଳଖିଆ ବ୍ୟବସ୍ଥା ସଂପ୍ରତି ମୁଖ୍ୟ ଚିକତ୍ସାଳୟରେ ଆରମ୍ଭ କରିଛନ୍ତି। ଥାଲାସେମିଆ ରୋଗୀଙ୍କୁ ବିସ୍କୁଟ ପ୍ୟାକେଟ୍, ଫଳ ଏବଂ ଟିଫିନ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରତି ସୋମବାର, ଗୁରୁବାର ଓ ଶନିବାର ଦିନ ପ୍ରୟ ୭୦ ଜଣ ପିଲା ବ୍ଲଡ୍ ନେବାକୁ ଆସନ୍ତି। ସେମାନେ ସେହିଦିନ ଆଡମିଟ୍ ହୋଇ ସେହିଦିନ ହିଁ ଫେରିଯାଆନ୍ତି। ସରକାରଙ୍କ ନିୟମ ଅନୁସାରେ ଆଡମିଟ୍ ହେବା ଦିନ ଖାଦ୍ୟ ହସପିଟାଲ କର୍ତ୍ତୃପକ୍ଷ ଦିଅନ୍ତି ନାହିଁ। ତେଣୁ ଥାଲାସେମିଆ ରୋଗୀମାନେ ହସପିଟାଲର ମାଗଣା ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଥାନ୍ତି। ଏକଥାକୁ ଧ୍ୟାନରେ ରଖି ‘ସେବା ହିଁ ସେବା’ ପକ୍ଷରୁ ମାଗଣା ଜଳଖିଆ ବ୍ୟବସ୍ଥା କରାଗଲା। ଅନୁଷ୍ଠାନ ପକ୍ଷରୁ ସପ୍ତାହର ତିନିଦିନ ସେମାନଙ୍କୁ ବିସ୍କୁଟ ପ୍ରଦାନ କରାଯିବ ବୋଲି ସଭାପତି ଅମର ସିଂହ ୱାଲିଆ କହିଛନ୍ତି। ଏ ସମ୍ପର୍କରେ ନିଜର ଅଭିରୁଚି ବ୍ୟକ୍ତ କରି ଶ୍ରୀ ଓ୍ଵାଲିଆ କହନ୍ତି କି, ଥାଲାସେମିଆ ରୋଗୀଙ୍କ ମାଆବାପା ଜାଣିଥାନ୍ତି ଯେ ସେମାନଙ୍କ ପିଲା ଏ ରୋଗରୁ ମୁକ୍ତ ହୋଇପାରିବେନି କେବେବି, ତଥାପି ପିଲାକୁ ବଞ୍ଚେଇ ରଖିବାର ଚେଷ୍ଟା ଜାରିରଖିଥାନ୍ତି। ସେମାନେ ପିଲାଙ୍କୁ ଧରି ସକାଳ ୬ଟାରୁ ପହଞ୍ଚି ଅପେକ୍ଷା କରନ୍ତି। ରେଜିଷ୍ଟ୍ରେସନ, ଫର୍ମପୂରଣ ଓ ରକ୍ତ ପରୀକ୍ଷା ଇତ୍ୟାଦି ସରିବା ପରେ ଅପରାହ୍ନ୪ଟା ହେଇଯାଏ ଫେରୁ ଫେରୁ। ଏ ପ୍ରକ୍ରିୟା ଭିତରେ ସେମାନେ ଯେପରି ହଇରାଣ ହୁଅନ୍ତି ତାହା ହିଁ ମୋତେ ଏ ପ୍ରକାର ଏକ କାର୍ଯ୍ୟକ୍ରମ କରିବାକୁ ଉସ୍କାଇଥିଲା। ପ୍ରତ୍ୟେକ ଥର ପ୍ରାୟ ୭୦ ଜଣ ପିଲା ଆସିଥାନ୍ତି। ଏହି କାର୍ଯ୍ୟକ୍ରମରେ ସୁମନ ପଣ୍ଡା, ବଲରାମ ଜ୍ୟୋତିଷୀ, ସୁରଜ ମୁନ୍ଦ୍ରା, କିରିଟ ମଞ୍ଛର, ସତ୍ୟନାରାୟଣ ଖଣ୍ଡେଲୱାଲ, ନିର୍ମଳ ମୁର୍ଖାଜୀ, ଫକୀର ଏବଂ ପ୍ରିନ୍ସ୍ ୱାଲିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାମକୁ ସିଡିଏମ୍ ଓ ଜିଲ୍ଲାପାଳ ଉଚ୍ଚ ପ୍ରଶଂସା କରିଥିଲେ।