
ମାଲକାନଗିରି– ମାଲକାନଗିରି ଜିଲ୍ଲା ସଦର ସ୍ଥିତ ମାଲକାନଗିରି ମହିଳା ମହାବିଦ୍ୟାଳୟରେ ଅଧ୍ୟୟନରତ ଜଣେ ଗରୀବ ଓ ମେଧାବୀ ଛାତ୍ରୀଙ୍କୁ କିଛି ଅଧ୍ୟାପିକା ଓ କର୍ମଚାରୀ ମାନସିକ ଭାବେ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ନିର୍ଦେଶ ଅନୁଯାୟୀ ଅତିରିକ୍ତ ଜିଲ୍ଲାପାଳ ଘଟଣାର ତଦନ୍ତ କରିଛନ୍ତି।
ସୂଚନା ଅନୁଯାୟୀ, ଜିଲ୍ଲା ସଦର ମହକୁମା ସ୍ଥିତ କୁମ୍ଭାର ସାହିରେ ରହୁଥିବା ପ୍ରକାଶ ଏବଂ ବୈଜୟନ୍ତୀ ସାହୁଙ୍କ କନ୍ୟା ଗତ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ଆଣି ପାସ ହୋଇଥିଲେ। ପିତା ମାତା ଉଭୟ ଶାରିରୀକ ଅକ୍ଷମ ହୋଇଥିବା ବେଳେ ମା ଘର ଘର ବୁଲି ବାସନ ମାଜିଲେ ଘରେ ଚୁଲି ଜଳେ । ସେହିପରି ପିତା ମଧ୍ୟ ଭିନ୍ନକ୍ଷମ ହୋଇଥିବାରୁ କୌଣସି କାର୍ଯ୍ୟ କରି ପାରୁନାହାନ୍ତି। ଏଭଳି ସ୍ଥିତିରେ ଝିଅର ପାଠପଢାରେ ଡୋରି ବାନ୍ଧିବାକୁ ନିଷ୍ପତି ନେଇଥିଲେ, କିନ୍ତୁ ଝିଅର ପ୍ରବଳ ଇଛା ଶକ୍ତି ଥିବାରୁ ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତୁରନ୍ତ ସହାୟତାର ହାତ ବଢାଇବା ସହ କିପରି ଉଚ୍ଚ ଶିକ୍ଷା ପାଇବ ସେଥିପାଇଁ ତୁରନ୍ତ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦୁଷ୍ମନ୍ତ ଜେନାଙ୍କୁ ରେଡକ୍ରସ ତରଫରୁ ଝିଅର ସମସ୍ତ ବାର୍ଷିକ ଫିଜ୍ ଦେଇ ଝିଅଟିର ନାମ ଲେଖାଇଥିଲେ। କିଛି ସାମାଜିକ କର୍ମୀ ମଧ୍ୟ ଝିଅଟିକୁ ସାହାଯ୍ୟ କରିଥିବା ବେଳେ ବର୍ତ୍ତମାନ ମହିଳା ମହାବିଦ୍ୟାଳୟରେ କିଛି ଅଧ୍ୟାପିକା ଓ କର୍ମଚାରୀ ଝିଅଟିକୁ ଗରୀବ ଶ୍ରେଣୀର ହୋଇଥିବାରୁ ବିଭିନ୍ନ କଟୁକଥା କହୁଛନ୍ତି। ଏଥିପାଇଁ ଝିଅ କଲେଜ ଯିବାକୁ ଡରୁଥିବା ସହ କଲେଜରେ ପାଠ ପଢ଼ିବି ନାହିଁ ବୋଲି କହୁଥିବା ଅଭିଯୋଗ କରିଥିଲେ ପରିବାର ଲୋକେ। ଏହି ମହାବିଦ୍ୟାଳୟରେ ଦୁଇଟି ଗୋଷ୍ଠି ଥିବାବେଳେ ଟିଉସନକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ପ୍ରତିଯୋଗିତା ଲାଗିଛି। ଉଭୟ ଗୋଷ୍ଠିର ଅଧ୍ୟାପକ ଅଧ୍ୟାପିକା ମାନେ ନିଜ ନିକଟକୁ ଟିଉସନ ଆସୁନଥିବା ଛାତ୍ରୀ ମାନଙ୍କୁ ନିର୍ଯ୍ୟାତନା ଦେଉଥିବା ମଧ୍ୟ ଅଭିଯୋଗକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜିଲ୍ଲାପାଳ ଶ୍ରୀ ପାଟିଲ ଗତକାଲି ଘଟଣାକୁ ଗୁରୁତ୍ଵର ସହ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ଦାୟିତ୍ଵ ଦେଇଥିଲେ। ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଛାତ୍ରୀଙ୍କ ଘରକୁ ଯାଇ ଛାତ୍ରୀ ଓ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଘଟଣାର ସତ୍ୟତା ନେକ ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହ ମହାବିଦ୍ୟାଳୟକୁ ଯାଇ ସେଠାରେ ମଧ୍ୟ ତଥ୍ୟ ସଂଗ୍ରହ କରିଥିଲେ। ଏହା ସହ ମହାବିଦ୍ୟାଳୟର ହଷ୍ଟେଲ ପରିଚାଳନା ଦାୟିତ୍ବ ଜଣେ ମହିଳା କର୍ମଚାରୀଙ୍କୁ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି କୌଣସି ଅଧ୍ୟାପକ ଅଧ୍ୟାପିକା ପିଲାଙ୍କୁ ଟିୟୁସନ କରିବେ ନାହିଁ ବୋଲି ମଧ୍ୟ କଡା ନିର୍ଦେଶ ଦେଇଛନ୍ତି। ଏହା ସହ ପିଲାଙ୍କୁ ନିର୍ଯ୍ୟାତନା ହେଲେ କିପରି ଅଭିଯୋଗ କରିବେ ସେନେଇ କାଉନସିଲଙ୍ଗ ସହ କମିଟି ଗଠନ କରାଯାଇଥିଲା। ଏହା ବ୍ୟତୀତ ଅଭିଯୋଗକାରୀ ଛାତ୍ରୀଙ୍କ ଅଭିଯୋଗର ତଦନ୍ତ ଜାରି ରହିଛି, ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।