
ଭୁବନେଶ୍ୱର– ବାଉଁଶରୁ ସାମଗ୍ରୀ ତିଆରି କରି ଲକ୍ଷପତି ଦିଦି ହେବେ ମିଶନ ଶକ୍ତି ମହିଳା । ଏଥିପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେବେ । ଏବେ ବାଉଁଶରୁ ଟି ସାର୍ଟ, ଟିସୁ ପେପର, ଖଲି, ପ୍ଲେଟ, ଟିଫିନ୍ ବକ୍ସ, ବ୍ରସ, ଚାମଚ ଓ ଅନେକ କିଛି ପ୍ରସ୍ତୁତ ହେଉଛି । ତେଣୁ ବାଉଁଶ ତିଆରି ସାମଗ୍ରୀର ଚାହିଦା ଏବଂ ଜୀବିକା ଓ ଉପଯୋଗିତାକୁ ନେଇ ଆରମ୍ଭ ହୋଇଛି ଦୁଇ ଦିନିଆ ରାଜ୍ୟ ସ୍ତରୀୟ କର୍ମଶାଳା। ଭୁବନେଶ୍ୱର ମିଶନ ଶକ୍ତି ଭବନରେ ଚାଲିଥିବା କର୍ମଶାଳାରେ ଯୋଗଦେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଲକ୍ଷପତି ଦିଦି ସୃଷ୍ଟି କ୍ଷେତ୍ରରେ ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇଛନ୍ତି । ଏସ ଏଚ ଜି ମହିଳାଙ୍କୁ ଜୀବିକାର ନୂଆ ରାହା ଦେଖାଇବ ବାଉଁଶ ତିଆରି ସାମଗ୍ରୀ । ବାମ୍ବୁ ମିଶନ କରିବ ମହିଳାଙ୍କୁ ଲକ୍ଷପତି । ମହିଳା ମାନେ ଯେଉଁ ଯେଉଁ ମାଧ୍ୟମରେ ଲକ୍ଷପତି ହେବେ ସେ କାମ ବିଭାଗ କରୁଛି । ବାଉଁଶର ସରଳୀକରଣରେ କିଭଳି ବ୍ୟବସାୟ କରି ଲକ୍ଷପତି ହୋଇପାରିବେ ସେ ନେଇ ରାଜ୍ୟ ଜୀବିକା ମିଶନ ନିର୍ଦ୍ଦେଶକ ଓ ତାଙ୍କ ଟିମ୍ ନର୍ଥ ଇଷ୍ଟ ହିଲ୍ ବିଶ୍ୱବିଦ୍ୟାଳୟ ଯାଇ ଅଧ୍ୟୟନ କରିଛନ୍ତି । ତାହା ଦେଖିବା ପରେ ଆଜି କର୍ମଶାଳା ଅନୁଷ୍ଠିତ ହୋଇଛି । ୫୦ ପଇସାର ଖଲି ପତ୍ର ୧୧ ଟଙ୍କାରେ ବିକ୍ରି ହେଉଛି । ଜଣେ ମହିଳା ଏହାଦ୍ୱାରା ସିଧା ୭ ଟଙ୍କାର ଲାଭ ପାଇବେ । ଧୂପ ହେଉ କି ଅନ୍ୟାନ୍ୟ ସାମଗ୍ରୀ । ମହିଳା କିଭଳି ଉଦ୍ୟୋଗପତି ହୋଇପାରିବେ ସେଇ ଲକ୍ଷ୍ୟରେ ଆଜି ଏହି କର୍ମଶାଳା ଅନୁଷ୍ଠିତ ହୋଇଛି ।