
ଭୁବନେଶ୍ୱର: ତାଳଚେର ରାଜା ତଥା ସମାଜସେବୀ ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନ ଦେବଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ, “ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନ ଦେବ ଜଣେ ଦକ୍ଷ, ଜ୍ଞାନୀ, ପରୋପକାରୀ ଏବଂ ନିଷ୍ଠାବାନ ବ୍ୟକ୍ତି ଥିଲେ । ୧୯୯୬ ମସିହାରେ ଗାଦିସୀନ ହୋଇ ପ୍ରତ୍ୟେକ କ୍ଷେତ୍ରରେ ସେ ଜଣେ ଆଦର୍ଶ ଶାସକରୂପେ ନିଜକୁ ପ୍ରତିପାଦିତ କରିଥିଲେ। ତାଙ୍କ ମାର୍ଗଦର୍ଶନରେ, ତାଳଚେର ଓ ଅନୁଗୋଳ ସମସ୍ତ ଦିଗରେ ସମୃଦ୍ଧ ହୋଇଥିଲା। ନିଜ ଅଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା । ସେ ତୃଣମୂଳସ୍ତରରୁ ଏକ ସୁସଂଗଠିତ ଏବଂ ଶ୍ରେଣୀବଦ୍ଧ ନ୍ୟାୟପାଳିକା ବ୍ୟବସ୍ଥା ସହିତ ଜଡ଼ିତ ରହି ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ସବୁ ବର୍ଗର ଲୋକଙ୍କ ସହିତ ତାଙ୍କର ସମ୍ପର୍କ ଉତ୍କୃଷ୍ଟ ଥିଲା । ବୃଦ୍ଧବୃଦ୍ଧା ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ସହିତ ଆଗ୍ରହର ସହିତ ମିଳିମିଶି ଆସୁଥିଲେ । ୭୪ ବର୍ଷ ବୟସରେ ତାଙ୍କର ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ।
ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି ।”