
ବ୍ରହ୍ମପୁର- ବ୍ରହ୍ମପୁର ସହରରେ ସ୍ୱେଚ୍ଛାସେବୀ ସଂଗଠନ ଟିମ୍ କ୍ଲିନ ସିଟି ପକ୍ଷରୁ ସାମାଜିକ କାର୍ଯ୍ୟ ଜାରି ରହିଛି। ସପ୍ତାହର ଶେଷ ଦିବସ ରବିବାର ଦିନ ଟିମର ସଦସ୍ୟମାନେ ସହର ପରିକ୍ରମା କରି ରାସ୍ତାର ଉଭୟ ପାର୍ଶ୍ୱର ପ୍ରାଚୀରରେ ଲାଗିଥିବା ବେନିୟମ ପ୍ରଚାର ପତ୍ର ବା ପୋଷ୍ଟର ଗୁଡିକୁ ବାହାର କରିଥିଲେ। ପରେ ସଦସ୍ୟମାନେ ଗୋଶାଣିନୂଆଗାଁ ମୁଖ୍ୟ ରାସ୍ତା କଡରେ ବସିଥିବା ଜନୈକ ପାଗଳ ବ୍ୟକ୍ତିଙ୍କୁ ଉଦ୍ଧାର କରି ତାଙ୍କୁ ସହାୟତା କରିଥିଲେ। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ନାମ ବାବୁଲା ବୋଲି ଜଣାପଡିଛି। ତାଙ୍କର ଅସନା ବସ୍ତ୍ରଗୁଡିକୁ ବାହାର କରିବା ପରେ ତାଙ୍କର ଦାଢ଼ି ଓ କେଶ ସଫା କରାଯାଇଥିଲା। ପରେ ତାଙ୍କୁ ସଫା କରି ଗାଧୋଇ ଦିଆଯିବା ସହ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ଶେଷରେ ତାଙ୍କୁ ଖାଇବାକୁ ଦେଇଥିଲେ ଟିମର ସଦସ୍ୟମାନେ। ଟିମର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଥିଲେ। ଏହି ଉଦ୍ଧାର କାର୍ଯ୍ୟ ଟିମ୍ କ୍ଲିନ ସିଟିର ୬୨ତମ ଉଦ୍ଧାର କାର୍ଯ୍ୟ ହୋଇଥିବା ବେଳେ ପୋଷ୍ଟର ଚିରା ଅଭିଯାନ ୯୯ ଦିବସରେ ପହଞ୍ଚିଛି। ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରହିବା ସହିତ ଅନ୍ୟ ନୂତନ ପ୍ରକଳ୍ପ ଓ ଯୋଜନା ସହିତ ଟିମ୍ ସାମାଜିକ କାର୍ଯ୍ୟ ସମ୍ପାଦନ କରିବ ବୋଲି ଟିମ୍ ପକ୍ଷରୁ କୁହାଯାଇଛି ।