
କନ୍ଧମାଳ– ଫୁଲବାଣୀ କାର୍ମେଲ ସ୍କୁଲର ଆଗରେ ଦେଖିବାକୁ ମିଳିଛି ପ୍ରିନ୍ସିପାଲଙ୍କ ଦବଙ୍ଗଗିରିର ଦୃଶ୍ୟ। ଫୁଲବାଣୀ କାର୍ମେଲ ସ୍କୁଲରେ କାମ କରୁନାହିଁ ଦଣ୍ଡମୁକ୍ତ ଅଂଚଳ ନିୟମ। ସାମାନ୍ୟ ବିଳମ୍ବ ହେଲେ ସ୍କୁଲର ମୁଖ୍ୟ ଫାଟକ ଆଗରେ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରାରେ ଠିଆ କରାଇଛନ୍ତି ଶତାଧିକ ଛାତ୍ରଛାତ୍ରୀଙ୍କୁ। ଅଭିଭାବକ ଓ ଅଭିଭାବିକା ମାନେ ନିରୁପାୟ ହୋଇ ଦେଖୁଛନ୍ତି ନିଜ ନିଜର ପିଲାମାନଙ୍କର ଏହି ଦୟନୀୟ ଅବସ୍ଥା। ପ୍ରଚଣ୍ତ ଗ୍ରୀଷ୍ମକୁ ଆଖି ଆଗରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ସକାଳ ୬ଟା ୩୦ ରୁ ୧୦ଟା ୩୦ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଫଳରେ ଅଧିକାଂଶ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ସକାଳୁ ନିଜକୁ ପ୍ରସ୍ତୁତ କରି ନିଜ ପିଲାଙ୍କୁ ପ୍ରସ୍ତୁତ କରି ଆଣୁଛନ୍ତି । ତେବେ କୌଣସି କାରଣବଶତଃ ପାଞ୍ଚ- ଦଶ ମିନଟ ବିଳମ୍ବ ହେଲେ ମାନବିକତା ଦୃଷ୍ଟିରୁ ପିଲାମାନଙ୍କୁ ସ୍କୁଲରେ ପ୍ରବେଶ ଅନୁମତି ଦେବା ବଦଳରେ, ପ୍ରିନ୍ସିପାଲ୍ ଜାରି କରିଛନ୍ତି କଡା ମିଲିଟାରୀ ଶାସନ । ଏହିପରି କ୍ଷେତ୍ରରେ କର୍ମେଲ ସ୍କୁଲ ଅଧ୍ୟକ୍ଷ କରିଛନ୍ତି ନୂଆ ନିୟମ ପାଞ୍ଚ ମିନଟ ବିଳମ୍ବ ହେଲେ କ୍ୟାମ୍ପସ ବାହାରେ ଠିଆ ହେବେ ଛାତ୍ର ଛାତ୍ରୀ। ଅନ୍ୟପଟେ ଉକ୍ତ ରାସ୍ତାରେ ୪ଟି ବିଦ୍ୟାଳୟ ଥିବାରୁ ହଜାର ହଜାର ଅଭିଭାବକ ଅଭିଭାବିକା ବାଇକ କାର ନେଇ ଯାଉଥିବାରୁ ସକାଳୁ ଟ୍ରାଫିକ ଜାମ ହେଉଛି ଫଳରେ ଛାତ୍ର ଛାତ୍ରୀଙ୍କ ବିଳମ୍ବ ହେବା ସ୍ୱାଭାବିକ।
ଏଥି ସହିତ ଅଧିକାଂଶ ଅଭିଭାବକଙ୍କୁ ସକାଳୁଆ ଅଫିସକୁ ଯିବାକୁ ପଡୁଥିବା ଯୋଗୁ ନିଜ ପିଲାମାନଙ୍କୁ ଆଣି ସ୍କୁଲ ସମ୍ମୁଖରେ ଛାଡି ଦେଇ ମଧ୍ୟ ଯାଉଛନ୍ତି। ପିଲାମାନଙ୍କୁ ସ୍କୁଲ କ୍ୟାମ୍ପସ ଭିତରକୁ ଯିବା ପାଇଁ ବନ୍ଦ କରାଯିବାରୁ ଛାତ୍ର ଛାତ୍ରୀ ମାନେ ବାହାରେ ଠିଆ ହେବାକୁ ପଡୁଛି। ସେହି ବାଟ ଦେଇ ଯାଉଥିବା ଅସାମାଜିକ ବ୍ୟକ୍ତି ମାନେ ବିଭିନ୍ନ ଅଶ୍ଳୀଳ ଭାଷାରେ କମେଣ୍ଟ କରୁଛନ୍ତି ଛାତ୍ରୀ ମାନଙ୍କୁ । ଆଗକୁ ଯଦି କୌଣସି ଛାତ୍ର ଛାତ୍ରୀଙ୍କ ପ୍ରତି କିଛି ଅଘଟଣ ଘଟେ ଯଥା ସଡ଼କ ଦୁର୍ଘଟଣା, କିମ୍ବା ପ୍ରଚଣ୍ଡ ଖରାରେ ଅଂଶୁଘାତର ଶୀକାର ହେଲେ, ଅଧ୍ୟକ୍ଷ ଦାୟୀ ରହିବେକି ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ ମାନେ। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ ମଧ୍ୟ କରିଛନ୍ତି ଅଭିଭାବକ।