ଝାରସୁଗୁଡା – ଝାରସୁଗୁଡା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ବିଭିନ୍ନ ବିମାନ ସେବା ରେ ଚାକିରି ଯୋଗାଇ ଦେବାକୁ କହି କେତେକ ବ୍ୟକ୍ତି ଠକେଇର ଶିକାର ହେଉଥିବା ଅଭିଯୋଗ ହେଉଛି।ପୂର୍ବରୁ ଏଭଳି ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ନିକଟରେ ଲଇକେରା ବ୍ଲକ ଅଞ୍ଚଳ ର ସଂଯୁକ୍ତା ଖଡ଼ିଆ ନାମ୍ନୀ ଜଣେ ଯୁବତୀ ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି।ଏପରିକି ଯୁବତୀଙ୍କୁ ଝାରସୁଗୁଡା ରେ ଇଣ୍ଡିଗୋ ବିମାନ ରେ ତାଙ୍କୁ ନିଯୁକ୍ତି ମିଳିବ ବୋଲି କହି ତାଙ୍କ ଠାରୁ ଟଙ୍କା ନେଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ଝାରସୁଗୁଡା ରେ ଇଣ୍ଡିଗୋ ବିମାନ ରେ ନିଯୁକ୍ତି ନେଇ କିଛିଦିନ ପୂର୍ବରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କମ୍ପାନୀ ନାମରେ ପୋଷ୍ଟର ମରା ଯାଇଥିବା ଦେଖି ଯୁବତୀ ଜଣଙ୍କ ଆବେଦନ କରିବା ପରେ ସମ୍ପୃକ୍ତ ଠକ ସଂସ୍ଥା ତାଙ୍କ ଠାରୁ ପ୍ରଥମେ ଦୁଇ ହଜାର ଓ ପରେ ପାଞ୍ଚ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟ ରେ ନେଇ ଜାନୁଆରୀ୨୭ ରୁ ୩୦ ପର୍ଯ୍ୟନ୍ତ ଝାରସୁଗୁଡା ବିମାନ ବନ୍ଦରରେ ତାଲିମ ପ୍ରଦାନ କରାଯିବ ବୋଲି କହିଥିଲେ।ତେବେ ଯୁବତୀ ଜଣକ ୩୦ ତାରିଖରେ ବିମାନ ବନ୍ଦର କୁ ଆସି ତାଲିମ ସମ୍ପର୍କରେ ବୁଝାବୁଝି କରିବାରୁ ଏଠାରେ ଇଣ୍ଡିଗୋ ବିମାନ ର ବିଡିଂ ନ ଥିବା ଓ ଏଭଳି ତାଲିମ ର ବ୍ୟବସ୍ଥା ନ ଥିବା ଜାଣିବା ପରେ ସମ୍ପୃକ୍ତ ଠକ ସଂସ୍ଥା ସହିତ କଥାବାର୍ତ୍ତା ହେଉଥିବା ଫୋନ କୁ ଯୋଗାଯୋଗ କରିବାରୁ ସେହି ମୋବାଇଲ ଫୋନରୁ କୌଣସି ଉତ୍ତର ନ ମିଳିବାରୁ ସେ ଠକେଇର ଶିକାର ହୋଇଥିବା ଜାଣି ପାରିଥିଲେ।ଯୁବତୀ ଜଣକ ଇଣ୍ଟରନେଟ ମାଧ୍ୟମରେ ଆବେଦନ କରିଥିଲେ।ବିଭିନ୍ନ ସ୍ଥାନରେ ଲଗା ଯାଇଥିବା ପୋଷ୍ଟର ଗୁଡିକରେ ୧୮୭ ଟି ବିଭିନ୍ନ ପଦବୀ ପାଇଁ ଉଲ୍ଲେଖ କରିବା ସହ ମାସିକ ୧୫ ହଜାର ରୁ ୧୯ ହଜାର ପର୍ଯ୍ୟନ୍ତ ବେତନ ଦେବା ପାଇଁ ପ୍ରଲୋଭନ ଦିଆ ଯାଇଥିଲା।ଏହାକୁ ଦେଖି ଅନେକ ବେକାର ଯୁବକ ଯୁବତୀ ଏଭଳି ଠକେଇର ଶିକାର ହେଉଥିବା ଅଭିଯୋଗ ହେଉଛି।ତେବେ ଏ ସମ୍ପର୍କରେ ଜିଲ୍ଲାର କୌଣସି ଥାନାରେ ଅଭିଯୋଗ ହୋଇ ନ ଥିବା ଜଣାପଡିଛି।ଉଡାନ – ୩ ଯୋଜନାରେ ଝାରସୁଗୁଡା ବିମାନ ବନ୍ଦର ରୁ ୪ ଟି ଏୟାର ଲାଇନ୍ସ ବିଡିଂ କରିଥିବା ବେଳେ ଏପର୍ଯ୍ୟନ୍ତ ସ୍ପାଇସଜେଟ ଓ ଏଳାୟନ୍ସ ଏୟାର ସେବା ଆରମ୍ଭ କରିଥିବା ବେଳେ ଅନ୍ୟ ଦୁଇ କମ୍ପାନୀ ତାର ବିମାନ ସେବା ଆରମ୍ଭ କରିନାହାନ୍ତି।ଏଣୁ ଏଭଳି ଠକେଇର ଶିକାର ନ ହେବା ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷ ସତର୍କ ରହିବାକୁ କହିଛନ୍ତି।