
ଲକ୍ଷ୍ନୌ– ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ଏକ ନୂତନ କ୍ରୀଡ଼ା ସଂସ୍କୃତି ବିକଶିତ ହୋଇଛି । ପୂର୍ବରୁ ଭାରତର ଖେଳାଳୀ ଜିତିବା ଠାରୁ ଅଧିକ ଅଂଶଗ୍ରହଣ କରିବାରେ ସନ୍ତୁଷ୍ଟ ରହୁଥିଲେ । କିନ୍ତୁ, ଆଜି ଭାରତର ଖେଳାଳୀ ସାରା ବିଶ୍ୱରେ ଯେଉଁଠିକୁ ବି ଯାଉଛନ୍ତି, ସେମାନଙ୍କୁ ଗମ୍ଭୀରତାର ସହିତ ନିଆଯାଉଛି । ଏହି ପରିବର୍ତନ ପଛରେ ସବୁଠୁ ବଡ କାରଣ ସରକାରଙ୍କ ସ୍ପୋର୍ଟସ୍ ଫ୍ରେଣ୍ଡଲି ନୀତି ମଧ୍ୟ ଅଟେ ।
ଶନିବାର କେଡି ସିଂହ ବାବୁ ଷ୍ଟାଡ଼ିୟମରେ ଆୟୋଜିତ ସାଂସଦ ଖେଳ ମହାକୁମ୍ଭକୁ ସମ୍ବୋଧିତ କରି ସେ କହିଥିଲେ ଯେ, ଖେଲୋ ଇଣ୍ଡିଆ ମାଧ୍ୟମରେ ଆଜିର ପରିବର୍ତିତ ଭାରତ ଗ୍ରାମ ଓ ଛୋଟ ସହର ଗୁଡିକର ପ୍ରତିଭା ମାନଙ୍କୁ ଖୋଲାଖୋଲି ଭାବେ ଆଗକୁ ଆସିବାର ସୁଯୋଗ ମିଳୁଛି । ଖେଲୋ ଇଣ୍ଡିଆ ଅନୁଯାୟୀ, ୩ ହଜାରରୁ ଅଧିକ ଖେଳାଳୀଙ୍କୁ ପ୍ରତି ମାସରେ ୫୦ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି । ଯାହାକି ସେମାନଙ୍କୁ ପ୍ରଶିକ୍ଷଣ, ଖାଦ୍ୟ, କୋଚିଂ, କିଟ୍, ଆବଶ୍ୟକ ଉପକରଣ ଏବଂ ଅନ୍ୟ ଜରୁରୀ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେଉଛି । ତୃଣମୂଳ ସ୍ତରରେ ପ୍ରାୟ ୧ ହଜାର ଖେଲୋ ଇଣ୍ଡିଆ କେନ୍ଦ୍ରରେ ହଜାର ହଜାର ଖେଳାଳୀ ପ୍ରଶିକ୍ଷଣ ନେଉଛନ୍ତି ।