
ଯୋଡ଼ା– ବେଆଇନ ପାର୍କିଙ୍ଗ, ଦ୍ରୁତ ଗତି ଓ ଓଭରଟେକିଙ୍ଗ ଯୋଗୁଁ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣକର ଅକାଳରେ ଜୀବନ ଚାଲିଯାଇଛି । ଏପରି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଖଣିଜ କ୍ଷେତ୍ର ଭାବେ ପରିଚିତ ବଡ଼ବିଲ ଥାନା କ୍ଷେତ୍ରରେ । ଭଦ୍ରାସାହି ଠାରୁ ବଡ଼ବିଲ ରାଜ୍ୟ ରାଜପଥ ଏସ ଏଚ -୧୦ବି ର ସେରେଣ୍ଡା ଠାରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ସେରେଣ୍ଡା ସ୍ଥିତ ତ୍ରିଶୂଲ ଟ୍ରେଡ଼ର୍ସ ନାମକ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ସନ୍ତୋଷ ଦାସଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ସହକର୍ମୀ ଅନନ୍ତ ବାରିକ ଗମ୍ଭୀର ଭାବରେ ଆହତ ହୋଇଛନ୍ତି ।
ସୂଚନାନୁସାରେ, ଅନନ୍ତ ଓ ସନ୍ତୋଷ ସାଙ୍ଗ ହୋଇ ଘରୁ ଖାଇବା ପରେ ଗତକାଲି ଅପରାହ୍ନ ୩ଟା ୩୦ ମିନିଟରେ ନିଜ କାର୍ଯ୍ୟସ୍ଥଳକୁ ଯାଉଥିବା ବେଳେ ସେରେଣ୍ଡା ଢ଼ାବା ନିକଟରେ ଏକ ମେସିନ ବୋଝେଇ ଟ୍ରଲର ଛିଡା ହୋଇଥିବା ଯୋଗୁଁ ସେଠାରେ ଉକ୍ତ ଟ୍ରକ ଟିକୁ ଓଭରଟେକ କରି ଯିବା ବେଳକୁ ପଛରୁ ଏକ ଦ୍ରୁତଗାମୀ ହାଇୱା ଟ୍ରକ ଆସି ପଛରେ ଧକ୍କା ଦେଇଥିଲା । ଫଳରେ ବାଇକ ଚାଳକ ଅନନ୍ତ ଛିଟିକି ପଡିଥିବା ବେଳେ ପଛରେ ବସିଥିବା ସନ୍ତୋଷ ଟ୍ରକ୍ ଟିର ପଛ ଚକରେ ପସିଯାଇଥିଲେ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ସନ୍ତୋଷଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ସହଯୋଗୀ ମାନେ ଅସନ୍ତୋଷ ପ୍ରକାଶ କରି ରାସ୍ତାରୋକ କରିଥିଲେ । କିଛି ସମୟ ସେଠାରେ ଉତ୍ତେଜନା ଦେଖାଦେଇଥିଲେ ହେଁ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସାମାନ୍ୟ ହୋଇଥିଲା । ପୁଲିସ ମୃତଦେହ ଜବତ କରି ବଡ଼ବିଲ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ଉକ୍ତ ରାସ୍ତାରେ ବେଆଇନ ପାର୍କିଙ୍ଗ, ଦ୍ରୁତ ଗତି ଓ ଓଭରଟେକିଙ୍ଗ ଯୋଗୁଁ ପ୍ରାୟ ପ୍ରତ୍ୟେହ ଏଠାରେ ଦୁର୍ଘଟଣା ସାଧାରଣ ଘଟଣା ପାଲଟିଥିଲେ ହେଁ ପ୍ରଶାସନ ବେଆଇନ ପାର୍କିଂ, ଦ୍ରୁତ ଗତି ଓ ଓଭରଟେକିଙ୍ଗ ଭଳି ସଡ଼କ ସୁରକ୍ଷା ପାଳନ କରୁନଥିବା ଭାରିଯାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏବେ ଯେଉଁ ଦୁର୍ଘଟଣା ଘଟିଛି ଏହା ପଛରେ ମଧ୍ୟ ବେଆଇନ ପାର୍କିଂ, ଅସୁରକ୍ଷିତ ଓଭରଟେକିଙ୍ଗ ଓ ଦ୍ରୁତ ଗତି କାରଣ ରହିଥିଲେ ହେଁ ପୁଲିସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା।