
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସହର ପୁରୀକୁ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ସହିତ ସଂଯୁକ୍ତ କରୁଥିବା ଅବିଭକ୍ତ ପୁରୀ ଜିଲ୍ଲାର ଜୀବନ ରେଖା ନୂଆ ଜଗନ୍ନାଥ ସଡ଼କକୁ ରାଜନୈତିକ ପକ୍ଷପାତିତା ଏବଂ ଉପେକ୍ଷାର ଶିକାର କରାଯିବା ଦୁର୍ଭାଗ୍ୟ ଜନକ । ୧୦ଜୁନ୨୦୧୫ ରେ ପିପିଲି ଠାରେ ଆୟୋଜିତ ଏକ ସଭାରେ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ଶ୍ରୀ ନିତିନ୍ ଗଡକରି ନୂଆ ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥ ଭାବରେ ଗ୍ରହଣ କରିବା ପାଇଁ ଦାବିକୁ ମାନି ନେଇଥିଲେ ଏବଂ ୨୦୧୭ ରେ ଏହାକୁ ନୀତିଗତ ଭାବରେ ଜାତୀୟ ରାଜପଥ ଭାବରେ ଘୋଷଣା କରାଯାଇଥିଲା । ପରେ (CARD) କାର୍ଡ ଇଞ୍ଜିନିୟରିଂ ସଂସ୍ଥା ପ୍ରସ୍ତୁତ କରିଥିବା ଡି. ପି. ଆର (ସବିଶେଷ ପ୍ରକଳ୍ପ ବିବରଣୀ) ଭୂପୃଷ୍ଠ ପରିବହନ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଥିଲା ।
ସଂପ୍ରତି ଭୂପୃଷ୍ଠ ପରିବହନ ମନ୍ତ୍ରୀଙ୍କ ଓଡିଶା ଗସ୍ତ କାଳରେ ଭୁବନେଶ୍ବର ବରମୁଣ୍ଡା ପଡିଆରେ ଆୟୋଜିତ ସଭାରେ ୪ ହଜାର ୧୭୩ କୋଟି ଟଙ୍କା ନିବେଶରେ ଅନେକ ସଡକ ପ୍ରକଳ୍ପର ସେ ଘୋଷଣା କଲେ ଓ ଆମେରିକା ଭଳି ଓଡିଶାରେ ରାଜପଥ ନିର୍ମାଣ ହେବ ବୋଲି କହିଲେ l ମଞ୍ଚରେ ଉପସ୍ଥିତ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କିଛି କଥା ରଖିଥିବାବେଳେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର ପଦଟିଏ ହେଲେ କିଛି କହିଲେ ନାହିଁ l ପ୍ରକାଶ ଥାଉକି ଯେତେବେଳେ ନୀତିଗତ ଭାବରେ ଜାତୀୟ ରାଜପଥ ଘୋଷିତ ନୂଆ ଜଗନ୍ନାଥ ସଡକର ଭାଗ୍ୟ ବିଡ଼ମ୍ବିତ ହୋଇଥିଲା, ନୂଆ ଜଗନ୍ନାଥ ସଡ଼କ ସୁରକ୍ଷା ସମିତି ପକ୍ଷରୁ ସ୍ଵାକ୍ଷର ସଂଗ୍ରହ ଅଭିଯାନ ଚାଲିଥିଲା, ସେତେବେଳେ ପୁରୀ ସାଂସଦ ଡ.ପାତ୍ର କେନ୍ଦ୍ରମନ୍ତ୍ରୀଙ୍କର ଏକ ପୁରୁଣା ଚିଠିକୁ ଗଣମାଧ୍ୟମରେ ପ୍ରସାର କରି ବିଭ୍ରାନ୍ତି ସୃଷ୍ଟି କରିଥିଲେ l
ଏହି ପରିପ୍ରେକ୍ଷୀରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ ଯେତେବେଳେ ନୂଆ ଜଗନ୍ନାଥ ସଡ଼କ ସୁରକ୍ଷା ସମିତି ପକ୍ଷରୁ ଉକ୍ତ ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ବିଧିବଦ୍ଧ ଜାତୀୟ ରାଜପଥ ଭାବରେ ବିକଶିତ କରିବା ପାଇଁ ସ୍ମାରକପତ୍ର ପ୍ରଦାନ ନିମନ୍ତେ ପ୍ରୟାସ କରାଗଲା, ସେତେବେଳେ ଏ ସୁଯୋଗ ମିଳିଲା ନାହିଁ l ଏହା ବିଡ଼ମ୍ବନା ଯେ ଯେତେବେଳେ ସେ ସଭାରେ ଭକ୍ତ ଓ ଯାତ୍ରୀମାନଙ୍କୁ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯିବାକୁ ସହଜ ସୁଗମ ଯାତ୍ରାପଥ କଥା ମୁଖ୍ୟମନ୍ତ୍ରୀ କହ଼ୁଥିଲେ ସେତେବେଳେ ନୂଆ ଜଗନ୍ନାଥ ସଡ଼କର ବିକାଶକୁ ଛାଡି ଏହା କିପରି ସମ୍ଭବ ?
ଜାତୀୟ ରାଜପଥ ପାଇଁ ସମସ୍ତ ଆବଶ୍ୟକ ଯୋଗ୍ୟତା ରହିଥିବା ବେଳେ ନୂଆ ଜଗନ୍ନାଥ ସଡ଼କକୁ ଉପେକ୍ଷା କରାଯିବା ପ୍ରତିବାଦରେ ନିରନ୍ତର ବିଶାଳ ଜନ ଆନ୍ଦୋଳନର ବିକଳ୍ପ ନାହିଁ ବୋଲି ଆମେ ଆବେ ଅନୁଭବ କରୁଛୁ ବୋଲି ନୂଆ ଜଗନ୍ନାଥ ସଡ଼କ ସୁରକ୍ଷା ସମିତି,ଆବାହକ କୃଷ୍ଣ ଚନ୍ଦ୍ର ଜଗଦ୍ଦେବ କହିଛନ୍ତି |