
ପୁଞ୍ଛ -ଜାମ୍ମୁକାଶ୍ମୀରର ପୁଞ୍ଛ ଜିଲ୍ଲାର ଲସାନା ଜଙ୍ଗଲ ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କୁ ଠାବ କରିବା ଏବଂ ହତ୍ୟା କରିବା ପାଇଁ ଭାରତୀୟ ସେନାର ରୋମିଓ ଫୋର୍ସ ଏବଂ ସ୍ପେଶାଲ ଅପରେସନ ଗ୍ରୁପ (ଏସଓଜୀ)ଗୁରୁବାର ଲଗାତାର ଚତୁର୍ଥ ଦିନ ପାଇଁ ସେମାନଙ୍କର ମିଳିତ ଅପରେସନ ଜାରି ରଖିଛନ୍ତି।
ଅଧିକାରୀଙ୍କ ଅନୁଯାୟୀ ପୁଞ୍ଛରୁ ଜାମ୍ମୁକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ସ୍ଥିତ ଲସାନା ଗ୍ରାମ ନିକଟରେ ଆତଙ୍କବାଦୀମାନେ ରୋମିଓ ଫୋର୍ସର ଯବାନଙ୍କ ଉପରେ ଗୁଳି ଚଳାଇଥିଲେ, ଯେଉଁଥିରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିଲେ।ସୋମବାର ରାତିରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବନିମୟ ପରେ ମଙ୍ଗଳବାର ସର୍ଚ୍ଚ ଅପରେସନ ପୁଣି ଆରମ୍ଭ ହୋଇଥିଲା,ଯାହା ଆଜି ମଧ୍ୟ ଜାରି ରହିଛି।ସୁରକ୍ଷାବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି ଏବଂ ଘନ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ ଚଳାଇଛନ୍ତି।