
-
ବାବାସାହେବଙ୍କ ବ୍ୟକ୍ତିତ୍ୱ ଓ ବିଚାର ପାଇଁ ଆମର ଲୋକତନ୍ତ୍ର ନୂଆ ଉଚ୍ଚତାକୁ ଛୁଇଁଛି – ଧର୍ମେନ୍ଦ୍ର ପ୍ରଧାନ
-
ସ୍ଥାନୀୟ ଜନସାଧାରଣ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସାକ୍ଷାତ ଆଲୋଚନା
-
ବାବା ସାହେବଙ୍କ ଆଜୀବନ ସମାବେଶୀ ସମାଜ ନିର୍ମାଣ କରିବା ପାଇଁ ସମର୍ପିତ ଥିଲେ
-
ସେ ଥିଲେ ଜଣେ ମହାନ ଦେଶଭକ୍ତ ଏବଂ ସ୍ୱାଧୀନ ଭାରତରେ ଗଣତନ୍ତ୍ର ପ୍ରତିଷ୍ଠାର ଅଗ୍ରଦୂତ
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବାବା ସାହେବଙ୍କ ବିଚାର ବ୍ୟାପକ ହୋଇଛି
-
କଂଗ୍ରେସ ନିଜର ୬୦ ବର୍ଷ ଶାସନରେ ବାବା ସାହେବଙ୍କର ନାମ ଉଚ୍ଚାରଣ କରିବା ପାଇଁ ସଂକୋଚ ପ୍ରକାଶ କରୁଥିଲା
-
ବାବାସାହେବଙ୍କ ଇତିହାସକୁ ଲିଭାଇ ଦେବା ପାଇଁ ମଧ୍ୟ ପ୍ରୟାସ କରିଥିଲା କଂଗ୍ରେସ
-
ମୋଦୀଙ୍କ ଶାସନ ପ୍ରଣାଳୀରେ ସବକା ସାଥ୍, ସବକା ବିକାଶ ମୂଳ ମନ୍ତ୍ର ହୋଇଛି
-
ତୃଣମୂଳ ସ୍ତରର ଜନସାଧାରଣଙ୍କ ବିକାଶ ହୋଇପାରିଲେ ହିଁ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ସ୍ୱପ୍ନ ସାକାର ହୋଇପାରିବ
ଠେଲକୋପଡ଼ା/ସମ୍ବଲପୁର, ଆମର ଗଣତନ୍ତ୍ରକୁ ସମ୍ବିଧାନ ଭଳି ମହାନ ଉପହାର ବାବା ସାହେବଙ୍କରୁ ମିଳିଛି । ବାବା ସାହେବଙ୍କର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଓ ବିଚାରରୁ ପ୍ରେରଣା ନେଇ ଭାରତ ଏବଂ ଭାରତର ଲୋକତନ୍ତ୍ର ନୂଆ ଉଚ୍ଚତାକୁ ଛୁଇଁଛି । ସମାନତା, ସ୍ଵାଧୀନତା ଓ ବନ୍ଧୁତ୍ୱର ଯେଉଁ ପରିକଳ୍ପନା ବାବାସାହେବ ଦେଶ ସାମ୍ନାରେ ରଖିଥିଲେ, ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ସାକାର କରୁଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସୋମବାର ସମ୍ବଲପୁର ଠେଲକୋପଡ଼ା ଠାରେ ଭାରତୀୟ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡକ୍ଟର ବି.ଆର୍ ଆମ୍ବେଦକରଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶ୍ରୀ ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ସ୍ଥାନୀୟ ଜନସାଧାରଣ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ସେ କହିଛନ୍ତି ଡକ୍ଟର ଆମ୍ବେଦକର ଜଣେ ଜନନାୟକ ଥିଲେ । ଆଜି ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆମେ ଗର୍ବ ଅନୁଭବ କରୁଛୁ । ବାବା ସାହେବଙ୍କ ସମ୍ପୂର୍ଣ୍ଣ ଜୀବନ ସମାବେଶୀ ସମାଜ ନିର୍ମାଣ କରିବା ପାଇଁ ସମର୍ପିତ ଥିଲା । ସେ ଜଣେ ମହାନ ଦେଶଭକ୍ତ ଏବଂ ସ୍ୱାଧୀନ ଭାରତରେ ଗଣତନ୍ତ୍ର ପ୍ରତିଷ୍ଠାର ଅଗ୍ରଦୂତ ଥିଲେ । ବାବାସାହେବ ଆଜୀବନ ଗରିବ, ବଞ୍ଚିତ, ନିଷ୍ପେସିତ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ଉତ୍ଥାନ ଏବଂ ସଶକ୍ତିକରଣ କରିବା ଦିଗରେ ଉତ୍ସର୍ଗୀକୃତ ଥିଲେ । ସମ୍ବିଧାନରେ ବାବା ସାହେବ ଯେଉଁ ନୀତି ପ୍ରଣୟନ କରିଛନ୍ତି ତାହା ନ ଥିଲେ ପଛୁଆ ଓ ବଞ୍ଚିତଙ୍କ ଅବସ୍ଥା କ’ଣ ହୋଇଥାନ୍ତା ?
ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବାବା ସାହେବଙ୍କର ବିଚାରକୁ ନେଇ ବିଜେପି କାର୍ଯ୍ୟକର୍ତ୍ତା ଓ ସରକାର ଦେଶର କୋଣ ଅନୁକୋଣକୁ ଯାଉଛନ୍ତି । ଗାଁ ଗାଁ ପର୍ଯ୍ୟନ୍ତ ତାଙ୍କର ବିଚାରକୁ ବ୍ୟାପକ କରାଯାଉଛି । ଦୁଃଖର ବିଷୟ ଯେ ଏଥିପାଇଁ ଦେଶକୁ ଦଶନ୍ଧି ଦଶନ୍ଧି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଲା । କଂଗ୍ରେସର ୬୦ ବର୍ଷ ଶାସନରେ ବାବା ସାହେବଙ୍କର ନାମ ଉଚ୍ଚାରଣ କରିବା ପାଇଁ ମଧ୍ୟ ସଂକୋଚ ପ୍ରକାଶ କରୁଥିଲା । ବାବାସାହେବ ଥିବା ସମୟରେ ମଧ୍ୟ କଂଗ୍ରେସ ତାଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛି ଏବଂ ତାଙ୍କର ବିୟୋଗ ପରେ ମଧ୍ୟ ବାବାସାହେବଙ୍କ ଇତିହାସକୁ ଲିଭାଇ ଦେବା ପାଇଁ ମଧ୍ୟ ପ୍ରୟାସ କରିଛି । କିନ୍ତୁ ଆଜି ଦେଶବାସୀମାନେ ଗୌରବ ଅନୁଭବ କରୁଛନ୍ତି ଯେ ଆମର ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ ରୁ ବାବା ସାହେବଙ୍କ ବିଚାରଗୁଡ଼ିକୁ ଆଗକୁ ବଢାଇବାର ସଂକଳ୍ପ ନେଇଛନ୍ତି । ବାବା ସାହେବଙ୍କ ସହିତ ଜଡିତ ସ୍ଥାନଗୁଡିକୁ ପଞ୍ଚତୀର୍ଥ ଭାବରେ ବିକାଶ କରି ମହାନ ପ୍ରତୀକଗୁଡିକର ସ୍ଥାପନା କରିଛନ୍ତି । ଦେଶର ଗରିବ, ବଞ୍ଚିତ, ଶୋଷିତ, ପଛୁଆ, ମହିଳାଙ୍କ ସମେତ ସର୍ବସମାଜର ପ୍ରଗତିକୁ ପ୍ରାଥମିକତା ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ତୃଣମୂଳ ସ୍ତରର ନାଗରିକ ଏବଂ କାର୍ଯ୍ୟକର୍ତ୍ତାଙ୍କ ବିକାଶ ଦିଗରେ ସର୍ବଦା କାର୍ଯ୍ୟ କରୁଛନ୍ତି । ମୋଦୀଙ୍କ ଶାସନ ପ୍ରଣାଳୀରେ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ମୂଳ ମନ୍ତ୍ର ହୋଇଛି । ତାଙ୍କର ଦୃଢ଼ ମନୋବଳ, ସାମାଜିକ ନ୍ୟାୟ ପ୍ରତି ପ୍ରତିବଦ୍ଧତା ଓ ନୀତି ଆଦର୍ଶ ସମାଜର ସବୁ ବର୍ଗର ଲୋକଙ୍କୁ ସର୍ବଦା ଅନୁପ୍ରାଣିତ କରିବ । ତୃଣମୂଳ ସ୍ତରର ଜନସାଧାରଣଙ୍କ ବିକାଶ ହୋଇପାରିଲେ ହିଁ ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ସ୍ୱପ୍ନ ସାକାର ହୋଇପାରିବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।