
ଭୁବନେଶ୍ୱର, ଭବିଷ୍ୟତରେ ଶିକ୍ଷାଦାନକୁ ଜୀବନର ବ୍ରତ ରୂପେ ଗ୍ରହଣ କରିବାକୁ ଆଗେଇ ଆସିଥିବା ଛାତ୍ରୀମାନେ ଅନୁସନ୍ଧିତ୍ସୁ ହେବା ସହିତ ଛାତ୍ରଛାତ୍ରୀଙ୍କ ମନସ୍ତ୍ୱକୁ ଭଲ ଭାବରେ ବୁଝି ର୍କବ୍ୟ ସମ୍ପାଦନ କରିବା ପାଇଁ ବାଚସ୍ପତି ସୁରମା ପାଢୀ ପରାମର୍ଶ ଦେଇଛନ୍ତି ।
ରାଜ୍ୟର ଅଗ୍ରଗଣ୍ୟ ମହିଳା ଶିକ୍ଷକ ତାଲିମ ମହାବିଦ୍ୟାଳୟ ଖାରବେଳ ନଗରସ୍ଥିତ ନଳିନୀଦେବୀ ଶିକ୍ଷକ ଶିକ୍ଷା କଲେଜର ୪୪ତମ ବାର୍ଷିକ ଉତ୍ସବ ‘ସ୍ୱପ୍ନିକା-୨୦୨୪-୨୫”ରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବାଚସ୍ପତି ଶ୍ରୀମତୀ ପାଢୀ ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନର ବିଭିନ୍ନ ସମସ୍ୟା ନେଇ ସରକାରଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କଲେଜର ଅଧ୍ୟକ୍ଷା ପ୍ରଫେସର ଗାୟତ୍ରୀ ମହାନ୍ତି ସ୍ୱାଗତ ଭାଷଣ ଦେବା ଅବସରରେ ନିଜ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ଛାତ୍ରୀମାନେ କଠିନ ପରିଶ୍ରମ କରିବା ଲାଗି ଆହ୍ୱାନ ଦେଇଥିଲେ । ଛାତ୍ରୀ ପରିଷଦର ଉପଦେଷ୍ଟା ଅଧ୍ୟାପିକା ସବିତା ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ହିରଣ୍ମୟୀ କର ଅନୁଷ୍ଠାନର ବିଭିନ୍ନ ଦାବି ଓ ସମସ୍ୟା ଉପସ୍ଥାପନ କରିଥିଲେ । ସମ୍ପାଦିକା ଋତୁପର୍ଣ୍ଣା ପାଣି ବାର୍ଷିକ ବବରଣୀ ପାଠ କରିଥିଲେ ।
ପ୍ରାରମ୍ଭରେ ମୁଖ୍ୟ ଅତିଥି ମହାବିଦ୍ୟାଳୟର ପ୍ରାଚୀର ପତ୍ରିକା ‘ସୃଜନିକା’କୁ ଉନ୍ମୋଚନ କରିବା ସଙ୍ଗେ ସଙ୍ଗେ ଫଟୋ ଗ୍ୟାଲେରୀ ଉଦ୍ଘାଟନ କରିଥିଲେ । ଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ‘ସାଧାରଣ କକ୍ଷ’କୁ ମଧ୍ୟ ଶ୍ରୀମତୀ ପାଢୀ ଉଦ୍ଘାଟନ କରିଥିଲେ । ବାର୍ଷିକ ଉତ୍ସବ ଅବସରରେ ଫିଲ୍ମ ଓ ଫଟୋ ବିଭାଗର କଫି ଟେବୁଲ ବୁକ୍ ଏବଂ ସଂସ୍କୃତି ଓ ଗବେଷଣା ବିଭାଗର ବୁଲେଟିନ ମଧ୍ୟ ଉନ୍ମୋଚିତ ହୋଇଥିଲା । କୃତୀ ଛାତ୍ରୀ ଓ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯିବା ପରେ ଛାତ୍ରୀ ପରିଷଦର ଉପସଭାପତି ଅନସୂୟା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।