-
ରାଜଧାନୀର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବାଚସ୍ପତିଙ୍କ ଆହ୍ୱାନ
-
ରାଜଧାନୀର କ୍ରମବର୍ଦ୍ଧିଷ୍ଣୁ ବିକାଶ ଉପରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ
ଭୁବନେଶ୍ବର,୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ ହୋଇଛି । ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଭୁବନେଶ୍ବର ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ଭୁବନେଶ୍ୱର-କଟକ ପୋଲିସ କମିଶନର ଏସ ଦେବଦତ୍ତ ସିଂହ, ବିଏମସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ବିଡିଏ ଭାଇସ ଚେୟାରମ୍ୟାନ ଏନ ତିରୁମାଲ୍ଲା ନାଏକ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା, ବିଏମସି ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ ସାହୁ, ଉପ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ସାହୁ, ଖୋର୍ଦ୍ଧା ଅତିରିକ୍ତ ଶିକ୍ଷାଧିକାରୀ ଡଃ ପ୍ରଜ୍ଞା ପାରମିତା ଜେନା,ସମସ୍ତ କର୍ପୋରେଟର, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ, ଉପସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସାଧାରଣ ସଂପାଦକ ଶ୍ରୀ ସନତ ମିଶ୍ର ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇଥିଲେ ।
ସୂଚନା ଓ ଲୋକସମ୍ପର୍କ ବିଭାଗ, ଭୁବନେଶ୍ବର ମହାନଗର ନିଗମ ଓ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୁଲ୍ଯରେ ଅନୁଷ୍ଠିତ ଏହି ପାଳନ ଦିବସ ଅବସରରେ ଯୋଗ ଦେଇଥିବା ମୁଖ୍ୟ ଅତିଥିଙ୍କ ସହ ଅତିଥି ମାନେ ବିଧାନସୌଧ ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ମାଲ୍ୟାର୍ପଣ କରିଥିଲେ । ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀମତୀ ପାଢ଼ୀ ପତାକା ଉତ୍ତୋଳନ କରି ବେସାମାରିକ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ପ୍ୟାରେଡରେ ମୋଟ ୨୧ଟି ଦଳ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ସୈନିକ ସ୍କୁଲ ପ୍ରଥମ, ଏନ୍ ସି ସି ଆର ଆଣ୍ଡ ଭି ସ୍କ୍ବାଡ୍ରନ୍ ଦ୍ଵିତୀୟ, ଡିଏଭି ପବ୍ଲିକ ସ୍କୁଲ, ୟୁନିଟ୍ ୮ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ସିଆରପିଏଫ୍ ବ୍ୟାଣ୍ଡ ଓ ଆର୍ମି ଏୟାର ଡିଫେନ୍ସ ବ୍ୟାଣ୍ଡକୁ ସ୍ଵତନ୍ତ୍ର ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଥିଲା ।
୧୯୪୮ମସିହା ଏପ୍ରିଲ ୧୩ ତାରିଖ ଦିନ ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଥିଲା ରାଜଧାନୀ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ରାଜଧାନୀ ଫଳକର ଉନ୍ମୋଚନ କରିଥିଲେ । ସେତେବେଳେ ମାତ୍ର ୪୦ ହଜାର ଲୋକଙ୍କ ପାଇଁ ପରିକଳ୍ପନା କରାଯାଇଥିଲା ରାଜଧାନୀ । ମାତ୍ର ଆଜି ତାର କଳେବର ବୃଦ୍ଧି ପାଇଛି । ସଂପ୍ରତି ୧୩ଲକ୍ଷରୁ ଅଧିକ ଲୋକ ଏଠାରେ ବସବାସ କରୁଛନ୍ତି । ଆମ ରାଜଧାନୀ ଭୁବନେଶ୍ୱର ଆଜି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ସବୁ କ୍ଷେତ୍ରରେ ଦେଶର ଯେ କୌଣସି ରାଜଧାନୀଠାରୁ ବହୁ ଉଚ୍ଚରେ ରହିଛି । ଆମ ରାଜଧାନୀର କଳା, ସଂସ୍କୃତି ଐତିହ୍ୟର ସୁରକ୍ଷା କରିବା ସହ ସହରକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରି ଗଢିତୋଳିବା ପାଇଁ ମେୟର ଶ୍ରୀମତୀ ସୁଲୋଚନା ଦାସ ଭୁବନେଶ୍ୱରବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ରାଜଧାନୀ ହେଉଛି ରାଜ୍ୟର ମୁଖଶାଳା । ଦେଶବିଦେଶରୁ ପର୍ଯ୍ୟଟକମାନେ ଆକାଶ ପଥରେ ହେଉ କିମ୍ବା ରେଳପଥରେ ପ୍ରଥମେ ଆସି ରାଜଧାନୀରେ ପହଞ୍ଚିଥାନ୍ତି । ମହିମାମଣ୍ଡିତ ଆମ ରାଜଧାନୀର କଳା ଓ ଐତିହ୍ୟ ବେଶ ଗୌରବ ମଣ୍ଡିତ । ଏହି ଗୌରବମୟ ରାଜଧାନୀର ଶ୍ରୀବୃଦ୍ଧି କରିବା ପାଇଁ ରାଜଧାନୀବାସୀଙ୍କୁ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଆହ୍ଵାନ ଦେଇଥିଲେ ।
ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଭୁବନେଶ୍ୱରକୁ ଆହୁରି ଉନ୍ନତି କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ଶେଷରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ଶ୍ରୀ ପ୍ରଦୋଷ ପ୍ରଟ୍ଟନାୟକ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ଜୟଦେବ ଭବନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଶ୍ରୀମତୀ ପାଢ଼ୀ ଏହି ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଫଟୋଚିତ୍ର ପ୍ରଦର୍ଶନୀ ବୁଲି ଦେଖିବା ଅବସରରେ ବାଚସ୍ପତି ଏହି ଫଟୋଚିତ୍ରଗୁଡ଼ିକର ଭୂୟସୀ ପ୍ରଶଂସା କରିଥିଲେ । ବିଭାଗ ପକ୍ଷରୁ ଏହି ପ୍ରଦର୍ଶନୀରେ ଭୁବନେଶ୍ୱରର ଐତିହ୍ୟ, କଳା, ସ୍ଥାପତ୍ୟ, ରାଜନୈତିକ ପୃଷ୍ଠଭୂମି, ସାମାଜିକ ରୂପାନ୍ତରଣ, ଆଧ୍ୟାତ୍ମିକ ପରିଦୃଶ୍ୟ, ସ୍ମାର୍ଟ ସିଟି ହେବା ପର୍ଯ୍ୟନ୍ତ ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ବିକାଶ ଆଦି ଉପରେ ପର୍ଯ୍ୟବେସିତ ଫଟୋଚିତ୍ର ପ୍ରଦର୍ଶିତ ହେଉଛି । ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ର, ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଦର୍ଶନୀ ଅଧିକାରୀ ଶ୍ରୀ ଦୀପକ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଦୁଇଦିନିଆ ପ୍ରଦର୍ଶନୀ ଆସନ୍ତାକାଲି (ସୋମବାର) ପର୍ଯ୍ୟନ୍ତ ଦର୍ଶକଙ୍କ ନିମନ୍ତେ ଖୋଲା ରହିବ ।