
ପୁରୀ– ପୁରୀରେ ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଠାରୁ ଆରମ୍ଭ ହୋଇଛି । ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଏଥିରେ ଦଳୀୟ ସାଂସଦ, ବିଧାୟକ ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଶ୍ରୀ ନଡ୍ଡା । ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ ପ୍ରଥମଥର ଲାଗି ଦଳର ନିର୍ବାଚିତ ସମସ୍ତ ଲୋକସଭା ସାଂସଦ, ରାଜ୍ୟସଭା ସାଂସଦ ଓ ବିଧାୟକମାନେ ନେଉଛନ୍ତି ପ୍ରଶିକ୍ଷଣ । ଏନେଇ ଶୁକ୍ରବାର ଠାରୁ ପୁରୀରେ ବିଜେପି ନେତାମାନେ ପହଂଚିବାରେ ଲାଗିଛନ୍ତି । ଏହାସହ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ ମଧ୍ୟ କରିଛନ୍ତି । ଏହି ପ୍ରଶିକ୍ଷଣ ଶିବିର ପାଇଁ ସ୍ୱତନ୍ତ୍ର କୋର୍ କମିଟି ବୈଠକ ଗତକାଲି ଅନୁଷ୍ଠିତ ହୋଇଥିଲା ।
ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଡା. ସମ୍ବିତ୍ ପାତ୍ର, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବହୁ ସାଂସଦ ଓ ବିଧାୟକମାନେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରୋଡସ୍ଥିତ ସ୍ୱାମୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ପହଂଚିଥିଲେ । ରାତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପହଂଚିଥିଲେ । ଆଜି ସକାଳ ସାଢ଼େ ୯ଟାରେ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଏଥିରେ ସାଂସଦ ଓ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେବେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା । ରାଜ୍ୟବାସୀଙ୍କ ନିକଟରେ ସରକାରଙ୍କ ସମସ୍ତ ଯୋଜନା କିପରି ଶତ ପ୍ରତିଶତ ପହଂଚିପାରିବ ସେନେଇ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେବେ । ଅନ୍ୟପକ୍ଷରେ ଦଳୀୟ କାର୍ଯ୍ୟକର୍ତାମାନଙ୍କ ମଧ୍ୟରେ ସୁସମ୍ପର୍କ, ଶୃଙ୍ଖଳିତ ଆଚରଣ, ସାଧାରଣ ଲୋକଙ୍କୁ ସୁବିଧାରେ ନ୍ୟାୟ ପ୍ରଦାନ ସମ୍ପର୍କରେ ତାଲିମ୍ ଦିଆଯିବ । ଆଗକୁ ପଂଚାୟତ ନିର୍ବାଚନ ଆସୁଥିବା ବେଳେ ଏଥିରେ ଦଳ ଯେଭଳି ଭଲ ପ୍ରଦର୍ଶନ କରିବ ସେ ସମ୍ପର୍କରେ ଆଲୋଚନା ହୋଇପାରେ ।
୧୪ ତାରିଖ ସକାଳେ ଶ୍ରୀ ନଡ୍ଡା ଜିଲ୍ଲାର କାର୍ଯ୍ୟକର୍ତାମାନଙ୍କ ସହ ଆଲୋଚନା କରି ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରଶିକ୍ଷଣ ଶିବିରରେ ୨୦ ଜଣ ଲୋକସଭା ସାଂସଦ, ୩ ଜଣ ରାଜ୍ୟସଭା ସାଂସଦ ଏବଂ ୮୧ ଜଣ ବିଧାୟକ ଯୋଗଦେଇଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।