
ଭୁବନେଶ୍ୱର:ଜନସାଧାରଣଙ୍କ ସହରାଞ୍ଚଳ ପରିବହନ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ନିକଟରେ ଓଡ଼ିଶା ସରକାରଙ୍କ ଦ୍ୱାରା ‘ଓଡ଼ିଶା ଯାତ୍ରୀ’ ରାଇଡ଼୍ ବୁକିଂ ଆପ୍ ସେବାର ଶୁଭାରମ୍ଭ ହୋଇଥିଲା । ଶୁକ୍ରବାର ଏହାର ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଯାତ୍ରୀ ପ୍ରଗତିର ମୂଲ୍ୟାଙ୍କନ ହୋଇଛି ।
ଜନସାଧାରଣଙ୍କ ଯାତାୟତ ସମସ୍ୟାର ସମାଧାନ ଦିଗରେ ବିକାଶ ଆଣିବା ପାଇଁ ଏହି ନାଗରିକ କୈନ୍ଦ୍ରିକ ଆପ୍ର ଶୁଭାରମ୍ଭ ହୋଇଥିଲା । ଏହି ଆପ୍ର ପ୍ରମୁଖ ଆକର୍ଷଣ ହେଉଛି ଏକ ଶୂନ କମିଶନକୁ ପ୍ରାଧାନ୍ୟ ଦେବା ସହିତ ଉଭୟ କ୍ୟାବ୍ ଏବଂ ଅଟୋ ଡ୍ରାଇଭରଙ୍କ ରୋଜଗାରକୁ ସଶକ୍ତ କରିବ । ଡ଼୍ରାଇଭର୍ମାନେ ଏହି ଆପ୍ ମାଧ୍ୟମରେ ଓପେନ୍ ନେଟ୍ୱର୍କ ଡିଜିଟାଲ କମର୍ସ(ଓଏନ୍ଡ଼ିସି) ପଦ୍ଧତିର ଲାଭ ଉଠାଇ ଡିଜିଟାଲ ମଧ୍ୟମରେ ରୋଜଗାର କରିବାର ସୁଯୋଗ ପାଇଛନ୍ତି । ଏହା ଉଭୟ ଯାତ୍ରୀ ଓ ଚାଳକଙ୍କ ଉତ୍କୃଷ୍ଟ ଯାତ୍ରା ଅଭିଜ୍ଞତା ପ୍ରଦାନ କରିଆସୁଛି ।
ଡ଼ିଜିଟାଲ୍ ମାଧ୍ୟମରୁ ବଞ୍ଚିତ ରହୁଥିବା ଜନସାଧାରଣଙ୍କ ନିମନ୍ତେ ରାଜ୍ୟ ସରକାର ଜନଗହଳି ସ୍ଥାନମାନଙ୍କରେ ଓଡ଼ିଶାଯାତ୍ରୀ ଟିକେଟ୍ ବୁକିଂ କିଓସ୍କ ବା ବୁଥ୍ ତିଆରି ହେବ । ଏହାଦ୍ୱାରା ସାଧାରଣ ଯାତ୍ରୀଟିଏ ମଧ୍ୟ ବୁଥ୍ ମାଧ୍ୟମରେ ରାଇଡ଼୍ ବୁକିଂ କରିପାରିବେ । ଏହା ନିଶ୍ଚିତ କରିବ ଯେ, ଯେଭଳି କୈାଣସି ଜନସାଧାରଣ ଡ଼ିଜିଟାଲ ଯୁଗରେ ଏହି ସେବାରେ ବଞ୍ଚିତ ନହେବେ ।
ସମୀକ୍ଷା ବୈଠକରେ ଓଡ଼ିଶା ଯାତ୍ରୀକୁ ଆଗାମୀ ଦିନରେ ଏକ ସୁପର୍ ଆପ୍ ବନାଇବା ଦିଗରେ ଆଲୋଚନା ହୋଇଥିଲା । ଯାହାକି ପରବର୍ତ୍ତି ସମୟରେ ଆମ ବସ୍ ଆପ୍ ଏବଂ ଓଟିଡ଼ିସି ପର୍ଯ୍ୟଟନ ଟିକେଟିଂ ପ୍ଲାଟ୍ଫର୍ମ ମାଧ୍ୟମରେ ଜନସାଧାରଣ ଏବଂ ପର୍ଯ୍ୟଟକ ସେମାନଙ୍କର ରାଇଡ଼୍ ବୁକ୍ କରିପାରିବେ । ଏହି ଗୋଟିଏ ଆପ୍ ମାଧ୍ୟମରେ ସାଧାରଣ ଯାତ୍ରୀଟିଏ ତା’ର ରାଇଡ଼୍ ବୁକ୍ କରିବା ପାଇଁ ସ୍ଥାନୀୟ ବସ୍ ଏବଂ ପର୍ଯ୍ୟଟକମାନେ ସ୍ଥାନୀୟ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ନେବେ । ଏହି ରାଇଡ଼୍ ସେବା ଆପ୍ ଆଗାମୀ ଦିନରେ ରାଜ୍ୟବ୍ୟାପି କାର୍ଯ୍ୟକ୍ଷମ ହେବ । ରାଜ୍ୟର ପ୍ରତିଟି ସହରରେ ଏହାର ସୁବିଧା ପାଇପାରିବେ ଜନସାଧାରଣ । ଯାତ୍ରୀଙ୍କ ବିଶ୍ୱାସଭାଜନ ଏବଂ ଓଡ଼ିଶା ଯାତ୍ରୀର ଅନନ୍ୟ ମୂଲ୍ୟବୋଧକୁ ପ୍ରଦର୍ଶିତ କରିବା ନିମନ୍ତେ ଏହା ଉପରେ ଅଧିକ
ସଚେତନତାମୂଳକ କାର୍ଯ୍ୟ ଏବଂ ବିଭିନ୍ନ ସହରର ଚାଳକମାନଙ୍କୁ ଏଥିରେ ଯୋଗ ଦେବା ନିମନ୍ତେ ଅଧିକ ଦୃଷ୍ଟି ଦିଆଯିବ ।
ଏହାର ଅନ୍ତର୍ଭୁକ୍ତିମୂଳକ ଆଭିମୁଖ୍ୟ, ଭବିଷ୍ୟତମୂଖୀ ବୈଶିଷ୍ଟ ଏବଂ ଦୃଢ଼ ସାର୍ବଜନୀନ ମାଲିମାନା ସହିତ ଓଡ଼ିଶା ଯାତ୍ରୀ ଭାରତର ସହରାଞ୍ଚଳ ଗତିଶୀଳତା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରୁଛି । ଏହା କେବଳ ଆପ୍ ଭାବରେ ନୁହେଁ ବରଂ ବିକଶିତ ଓଡ଼ିଶା ଭିଜନ୍ର ଏକ ମୁଖ୍ୟ ଅଂଶ । ଯାହାକି ଡ଼ିଜିଟାଲ୍ ଭାବରେ ସଶକ୍ତ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ପରିବେଶକୁ ମଧ୍ୟ ଧ୍ୟାନ ଦିଆଯାଉଛି ।
ଖାରବେଳ ଭବନରେ ଅନୁଷ୍ଠିତ ଏହି ବୈଠକରେ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ବିଏମ୍ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ୍, କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍ ତିରୁମାଲା ନାୟକ, ଜି ଏମ୍ ସଞ୍ଜୟ କୁମାର ବିଶ୍ଵାଳ , ପରିବହନ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ତପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।