
-
ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ ମେଡିକାଲ କଲେଜ
-
ଖୁବଶୀଘ୍ର ନବ ନିର୍ମିତ ୨ଟି ମେଡିକାଲ କଲେଜର ମଧ୍ୟ ଶୁଭ ଉଦ୍ଘାଟନ କରାଯିବ
-
ଆୟୁଷ୍ମାନ ଭାରତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଗତ ୧୦ ମାସ ଭିତରେ ରାଜ୍ୟରେ ପର୍ଯ୍ୟାୟ କ୍ରମେ ଖାଲିଥିବା ଡ଼ାକ୍ତର, ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ଦିଆଯାଉଛି। ତିନିଟି ପର୍ଯ୍ୟାୟରେ ୪ ହଜାର ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ ପଦବୀ ଏବେ ସୁଦ୍ଧା ପୂରଣ ହେଲାଣି । ଆଗାମୀ ଦିନରେ ୫ ହାଜର ୩୭୪ ଡାକ୍ତର, ଦନ୍ତ ଚିକିତ୍ସକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଚାଲିଛି । ଖୁବଶୀଘ୍ର ଏହି ପଦବୀ ଗୁଡିକରେ ନିଯୁକ୍ତି ଦିଆଯିବ । ସେହିପରି ଏବେ ରାଜ୍ୟରେ ୧୨ଟି ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ ହେଉଛି । ଆଉ କିଛି ଦିନ ମଧ୍ୟରେ ଆଉ ୨ଟି ମେଡିକାଲ କଲେଜ ଶୁଭ ଉଦ୍ଘାଟନ କରାଯିବ । ଚଳିତ ବର୍ଷ ବଜେଟରେ ଆଉ ୪ଟି ଜିଲ୍ଲାରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ବ୍ୟୟ ବରାଦ କରାଯାଇଛି। ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଏବଂ ନବରଙ୍ଗପୁର ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେ କହିଛନ୍ତି ଯେ ୨୪ ବର୍ଷରେ ଯେଉଁ କାମ ହୋଇପାରିନଥିଲା। ବିଜେପି ସରକାର ଆସିଲା ପରେ ୨୪ ମିନିଟରେ କରି ଦେଖାଇଲା। ଆଜି ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଏକ ଐତିହାସିକ ଦିନ। ଓଡ଼ିଶାର ବିକାଶ ଇତିହାସରେ ଆଜି ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଛି। ୬ ବର୍ଷ ପୂର୍ବରୁ ରାଜନୈତିକ କାରଣରୁ ଆୟୁଷ୍ମାନ ଭାରତ ଯୋଜନା ଗତ ସରକାର ଲାଗୁ କରିନଥିଲେ। କିନ୍ତୁ ରାଜ୍ୟରେ ନୂଆ ବିଜେପି ସରକାର ଆସିବା ପରେ ଆଜି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଛି। ଓଡ଼ିଶା ବାହାରେ ମଧ୍ୟ ଏବେ ଉତମ ସ୍ୱାସ୍ଥ୍ୟ ସେବା ପାଇପାରିବେ ଓଡ଼ିଆ ଲୋକ। ସରକାରୀ ଓ ବେସରକାରୀ ମେଡିକାଲରେ ସେବା ମିଳିବ। ୩ଟି ରାଜ୍ୟରେ ଲାଗୁ ହୋଇନଥିଲା ଆୟୁଷ୍ମାନ ଭାରତ ଯୋଜନା। ଗତକାଲି ଦିଲ୍ଲୀରେ ଲାଗୁ ହେଲା ଏବଂ ଆଜି ଓଡ଼ିଶାରେ ଲାଗୁ ହୋଇଛି । ଧନୀ ଗରିବ ନିର୍ବିଶେଷରେ ସମସ୍ତ ବରିଷ୍ଠ ନାଗରିକ ଏହି ଯୋଜନାରେ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।