
ବାରାଣସୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନିଜ ସଂସଦୀୟ କ୍ଷେତ୍ର ବାରାଣସୀରେ ୩୮୮୪ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ମୋଟ୍ ୪୪ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପ୍ରଥମେ ଭୋଜପୁରୀରେ କହିଥିଲେ ଯେ, କାଶୀ ଆମର ଅଟେ, ଆମେ କାଶୀର । ଗତ ଏକ ଦଶକ ମଧ୍ୟରେ କାଶୀରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବାବଦରେ କହିଥିଲେ । ଏବଂ ବିରୋଧୀଙ୍କୁ କାଠ ଗଡ଼ାରେ ଛିଡା କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ୪୪ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ପରେ ଆୟୋଜିତ ଜନସଭାରେ କହିଥିଲେ ଯେ, କାଶୀର ଜନତା ଆଜି ବିକାଶର ଉତ୍ସବ ପାଳନ କରିବା ନିମନ୍ତେ ଏକତ୍ରିତ ହୋଇଛନ୍ତି । ଗତ ୧୦ ବର୍ଷରେ ବିକାଶର ଗତି ଧରିଛି କାଶୀ । ଆଧୁନିକ ସମୟକୁ ଧରିଛି କାଶୀ । ଆଜି କାଶୀ କେବଳ ପୁରାତନ ନୁହେଁ, ମୋ କାଶୀ ପ୍ରଗତିଶୀଳ ମଧ୍ୟ ଅଟେ । କାଶୀ ପୂର୍ବାଚଂଳର ଆର୍ଥିକ ନକ୍ସାର କେନ୍ଦ୍ରରେ ରହିଛି । ଯେଉଁ କାଶୀକୁ ମହାଦେବ ଚଳାଇଥାନ୍ତି, ସେହି କାଶୀ ଆଜି ବିକାଶର ରଥକୁ ଟାଣୁଛି । କନେକ୍ଟିଭିଟି, ନଳ ଠାରୁ ଆରମ୍ଭ କରି ଜଳ ପହଂଚାଇବାର ଅଭିଯାନ, କ୍ରୀଡ଼ା, ଶିକ୍ଷା କ୍ଷେତ୍ରରେ ହେଉଥିବା ବିକାଶ ପୂର୍ବାଚଂଳର ବିକାଶରେ ମାଇଲ୍ ଷ୍ଟୋନ୍ ସାବ୍ୟସ୍ତ ହେବାକୁ ଯାଉଛି । କାଶୀ ଓ ପୂର୍ବାଚଂଳର ଲୋକଙ୍କୁ ଅଭିନନ୍ଦନ ଜଣାଉଛି ।