
ଶିମଲା- ହିମାଚଳ ପ୍ରଦେଶରେ ଗରମ ସହିତ ଜୁଝୁଥିବା ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି ପାଗ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା, କୁଆପଥର ବୃଷ୍ଟି ଓ ବରଫପାତ ରେକର୍ଡ଼ ହୋଇଛି । ଯାହାଦ୍ୱାରା ତାପମାତ୍ରା ହ୍ରାସ ପାଇଛି । ଏବଂ ଗରମର ପ୍ରଭାବ ହ୍ରାସ ପାଇଛି । ଗୋଟିଏ ପଟେ ପାଗରେ ପରିବର୍ତନ ଲୋକଙ୍କୁ ଆଶ୍ୱସ୍ତି ଦେଇଥିବା ବେଳେ ଅନ୍ୟପକ୍ଷରେ ଚାଷୀଙ୍କ ଚିନ୍ତା ବଢାଇଛି । କୁଆପଥର ବୃଷ୍ଟି ଓ ଅଦିନିଆ ବର୍ଷା ଯୋଗୁଁ ଉଚ୍ଚ ଓ ସମତଳ ଅଂଚଳରେ ଫସଲ ଅଧିକ କ୍ଷତି ହୋଇଛି ।
ରାଜ୍ୟର ଲାହୌଲ, ସ୍ପିତି, କିନୌର, ଚମ୍ବା ଓ କୁଲ୍ଲୁର ଉଚ୍ଚ ପର୍ବତ ଶୃଙ୍ଗମାନଙ୍କରେ ଗୁରୁବାର ରାତିରୁ ବରଫପାତ ହେଉଛି । କୁଂଜୁମ ଦର୍ରା, ବାରାଲାଚା ଓ ରୋହତାଂଗ ଦରେ ସହିତ ଉଚ୍ଚ ଶିଖର ମାନଙ୍କରେ ପୁଣି ଥରେ ବରଫ ଚାଦର ଆଚ୍ଛାଦିତ ହୋଇଛି । ବରଫପାତ କାରଣରୁ ଏସବୁ ଅଂଚଳରେ ପୁଣି ଥରେ ଥଣ୍ଡା ଫେରିଛି ଏବଂ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଥିବା ରେକର୍ଡ଼ ହୋଇଛି ।