
ଯୋଡ଼ା– ପାଣିକୋଇଲି – ରାଜାମୁଣ୍ଡା ଜାତୀୟ ରାଜପଥ ସଂଖ୍ୟା ୫୨୦ ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିର ଟୋଣ୍ଟୋ ନିକଟସ୍ଥ ଝାଡ଼ ଗାଁ ନିକଟ ରେ ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଯେଉଁଥିରେ ଅସମୟରେ ପୁଣି ଏକ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଅପରାହ୍ନ ୨ଟା ସମୟରେ ଗୋଟିଏ ବାଇକ୍ରେ ଯାଉଥିବା ତିନି ଜଣ ଯୁବକ ଆଗରେ ଯାଉଥିବା ଏକ କଙ୍କ୍ରିଟ୍ ମିକ୍ସର୍ ଟ୍ରକକୁ ପଛ ଭାଗରୁ ଜୋରଦାର ଧକ୍କା ଦେଇଥିଲେ। ଧକ୍କା ଏତେ ଭୟଙ୍କର ଥିଲା ଯେ, ବାଇକ୍ରେ ଥିବା ତିନି ଯୁବକ କଙ୍କ୍ରିଟ୍ ମିକ୍ସର୍ ମେସିନ୍ର ତଳେ ପସିଯାଇଥିଲେ । ଦୁର୍ଘଟଣା ପରେ ଗୁରୁତରଙ୍କୁ ତୁରନ୍ତ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଜଣେ ଯୁବକଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ରହିଥିବା ନେଇ ସୂଚନା ଦେଇଛନ୍ତି । ମୃତ ଯୁବକ ମଣ୍ଟୁ କେର୍କେଟ୍ଟା ବୋଲି ଜଣାପଡ଼ିଛି । ଅନ୍ୟ ଦୁଇ ଯୁବକ ରାମୁ ମୁଣ୍ଡା ଓ ପରମସିଂହ ମୁଣ୍ଡା ଗମ୍ଭୀର ଭାବେ ଆହତ ହୋଇଛନ୍ତି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି। ସମସ୍ତ ଯୁବକ ଟୋଣ୍ଟୋ ଗାଁର ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଛି ଓ ସମ୍ପୂର୍ଣ୍ଣ ଘଟଣାର ଅନୁସନ୍ଧାନ କରି ଆଗାମୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, ୫୨୦ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ମାଳମାଳ ଟ୍ରକ ବେଆଇନ ଭାବରେ ପାର୍କିଂ କରୁଥିବା ଯୋଗୁଁ ପ୍ରାୟ ପ୍ରତ୍ୟେହ ଏଠାରେ ଦୁର୍ଘଟଣା ଘଟି ଜନ ଜୀବନ ହାନି ହେଉଥିବା ବେଳେ ଜିଲା ପ୍ରଶାସନ, ପରିବହନ ବିଭାଗ ଓ ସ୍ଥାନୀୟ ପୁଲିସ କାହା ସ୍ୱାର୍ଥରେ ମୁକ ଦର୍ଶକ ସାଜିଛି ତାକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେଉଛି ।