
ଭଦ୍ରକ– ଗୀତିକବି ଭାବେ ସାରା ଓଡିଶାରେ ପରିଚିତ ଭଦ୍ରକ ମାଟିର ଜଣେ ସୁଯୋଗ୍ୟ କବି, ସାହିତ୍ୟିକ ଅରୁଣ କୁମାର ପାତ୍ର ଯାଜପୁର ରୋଡ କୃଷି ଜିଲ୍ଲା ଅଧିକାରୀ ଭାବେ ଗତ ମାର୍ଚ୍ଚ ମାସରେ ସରକାରୀ ପଦବୀରୁ ଅବସର ଗ୍ରହଣ କରିଛନ୍ତି। କନିଷ୍ଠ କୃଷି ଅଧିକାରୀ ଭାବେ ଉମରକୋଟ, ନବରଙ୍ଗପୁରରୁ ଚାକିରୀ ଜୀବନ ଆରମ୍ଭ କରି, ଫସଲ ସୁରକ୍ଷା ଅଧିକାରୀ ଭାବେ ଲେଫ୍ରିପଡ଼ା, ସୁନ୍ଦରଗଡ଼ ଓ ଭଦ୍ରକ ପରେ ବ୍ଲକ୍ କୃଷି ଅଧିକାରୀ ଭାବେ ଚାନ୍ଦବାଲି ଏବଂ ଶେଷ ପର୍ଯ୍ୟାୟରେ ଯାଜପୁର ରୋଡ଼ କୃଷି ଜିଲ୍ଲାଧିକାରୀ ଭାବେ ଦକ୍ଷତାର ସହ ନିଜ ଦାୟୀତ୍ୱ ନିର୍ବାହ କରି ବେଶ୍ ସୁନାମ ଅର୍ଜନ କରିଥିଲେ। କୃଷି ଅଭିଯାନ ଅଧିକାରୀ ଭାବେ ମଧ୍ୟ କୃଷି ନିର୍ଦ୍ଦେଶାଳୟରେ ଦୀର୍ଘ ୮ ବର୍ଷ ନିଷ୍ଠାର ସହିତ କର୍ତ୍ତବ୍ୟ ସମ୍ପାଦନ କରି ନିଜ ବିଭାଗ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଅବସର ଗ୍ରହଣ ପରିପ୍ରେକ୍ଷୀରେ ଯାଜପୁରଟାଉନ୍ ମୁଖ୍ୟ ଜିଲ୍ଲା କୃଷି କାର୍ଯ୍ୟାଳୟ, ଯାଜପୁର ରୋଡ଼ କୃଷି ଜିଲ୍ଲା କାର୍ଯ୍ୟାଳୟ ଓ ଭଦ୍ରକ କୃଷି ବିଭାଗ ତରଫରୁ ଶ୍ରୀଯୁକ୍ତ ପାତ୍ରଙ୍କୁ ବିଦାୟକାଳୀନ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ କର୍ତ୍ତବ୍ୟ ସମ୍ପାଦନରେ ତାଙ୍କର ନିଷ୍ଠା, ସଚ୍ଚୋଟ ପଣିଆ, କୃଷକ କଲ୍ୟାଣ ଦିଗରେ କର୍ମତତ୍ପରତା ଓ ସାରସତ୍ୱ ସାଧନା ସମ୍ବନ୍ଧରେ ଆଲୋଚନା ଜରିଆରେ ତାଙ୍କର ପ୍ରଶଂସା କରାଯାଇଥିଲା।କେବଳ ଏତିକିରେ ତାଙ୍କର ପରିଚୟ ସିମୀତ ନାହିଁ। କୃଷି ସମ୍ପ୍ରସାରଣ ଧାରା ଅଦ୍ୟାବଧି ଗଦ୍ୟଧର୍ମୀ ଥିଲାବେଳେ ଶ୍ରୀଯୁକ୍ତ ପାତ୍ର ଏହାକୁ ପଦ୍ୟ ସାହିତ୍ୟରେ ପରିଣତ କରିବା ତାଙ୍କର ଏକ ଉଲ୍ଲେଖନୀୟ କୃତି, ସେ ପ୍ରାୟ ୧୦ ହଜାର ରୁ ଅଧିକ କୃଷିଗୀତ ରଚନା କରି କୃଷକଙ୍କ ଭାଷାରେ କୃଷି ବିଜ୍ଞାନ ପୁସ୍ତକ ପ୍ରକାଶକରି ଓଡ଼ିଶା ବିଜ୍ଞାନ ଏକାଡ଼େମୀର ପ୍ରାଣକୃଷ୍ଣ ପରିଜା ଶ୍ରେଷ୍ଠ ବିଜ୍ଞାନ ପୁସ୍ତକ ପୁରସ୍କାର ୨୦୨୪ରେ ପ୍ରାପ୍ତ ହୋଇଥିଲେ। କୃଷି ବିଜ୍ଞାନର ସୂକ୍ଷ୍ମତତ୍ତ୍ୱକୁ ଓଡ଼ିଆ ଭାଗବତର ନବାକ୍ଷରୀ ଛନ୍ଦରେ ରଚନା ସମଗ୍ର ରାଜ୍ୟରେ ନୂତନ କୀର୍ତ୍ତି ସୃଷ୍ଟି କରିବା ସହ କୃଷକ ସମାଜରେ ବିଶେଷ ଆଦୃତି ଲାଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କୁ କୃଷିକବି ସମ୍ମାନ ପ୍ରଦାନ କରାଯାଇଛି। କୃଷକଙ୍କ ପାଇଁ ୩୦ ରୁ ଅଧିକ ପୁସ୍ତକ ରଚନା କରିଛନ୍ତି।
ଏହା ବ୍ୟତୀତ ରବୀନ୍ଦ୍ର ନାଥ ଠାକୁରଙ୍କ ‘ଗୀତାଞ୍ଜଳି’ କୁ ଇଂରାଜୀରୁ ଓଡ଼ିଆ ଅନୁବାଦ ‘ଓଡ଼ିଆ ସାହିତ୍ୟରେ ନୂତନ ଢଗଢମାଳୀ’, ଗୀତି କବିତା,‘ଫଗୁଣ କନ୍ୟା’ ଅରୁଣ କୃଷି ବଚନ, ହୋ ଚାଷୀ ଭାଇ ହୋ, କୃଷି ଚାଳିଶା ଓ କୃଷି ଚଉତିଶା ଆଦି ଅନେକ ପୁସ୍ତକ ତାଙ୍କ ସାରସ୍ୱତ ସାଧନାର ପରିଚୟ ଦିଏ। ନିଉଜ-୭ ଓ ଜି କଳିଙ୍ଗ ଚାନେଲରେ ରଥଯାତ୍ରାର ଭାଷ୍ୟକାର ଭାବେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚିତି ରହିଛି। ୧୦ ହଜାରରୁ ଉର୍ଦ୍ଧ୍ୱ ଢଗଢମାଳୀ ସଂଗ୍ରହ କରି “ସାମାଜିକ ଜୀବନରେ ଢଗଢମାଳୀ” ପୁସ୍ତକ ପ୍ରକାଶନ କାର୍ଯ୍ୟରେ ସେ ବର୍ତ୍ତମାନ ତାଙ୍କ ଅବସର ଜୀବନର ଅୟମାରମ୍ଭ ସମୟକୁ ବିନିଯୋଗ କରୁଛନ୍ତି।