ଭୁବନେଶ୍ୱର – ଡି.ୱାଇ.ଏଫ୍.ଆଇ. ରାଜ୍ୟ କମିଟିର ଆହ୍ୱାନ କ୍ରମେ ଜୟଦେବ ବିହାରସ୍ଥିତ ଉତ୍କଳମଣୀ ସଭାକକ୍ଷଠାରେ ସଂଗଠନର ରାଜ୍ୟ ସଭାପତି ସରୋଜ ନାୟକଙ୍କ ସଭାପତିତ୍ୱରେ ଏକ ରାଜ୍ୟ ସ୍ତରୀୟ ଯୁବ କନ୍ଭେନ୍ସନ୍ ଅନୁଷ୍ଠିତ ହୋଇଯାଇଛି ।
ସଂଗଠନର ସର୍ବଭାରତୀୟ ସମ୍ପାଦକ ଅଭୟ ମୁଖାର୍ଜୀ, ଏସ୍.ଏଫ୍.ଆଇ.ର ପୂର୍ବତନ ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଡି.ୱାଇ.ଏଫ୍.ଆଇ. ର ରାଜ୍ୟ ସମ୍ପାଦକ ଯତୀନ୍ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । \nସେମାନେ କହିଥିଲେ ଯେ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥାର ପ୍ରଭାବରେ ଆଜି ବଜାରରେ ମାନ୍ଦା ଅବସ୍ଥା ଦେଖାଦେଇଛି । ଯାହାଫଳରେ ଦେଶରେ ଲକ୍ଷାଧିକ କ୍ଷୁଦ୍ରଶିଳ୍ପ ବନ୍ଦ ହୋଇଛି । ଅଟୋ ମୋବାଇଲ କମ୍ପାନୀ ଗୁଡିକରୁ ୩ ଲକ୍ଷ କର୍ମଚାରୀ ଛଟେଇ ହୋଇଛନ୍ତି । କେନ୍ଦ୍ର ସରକାରୀ ଦପ୍ତରରେ ୨୩ ଲକ୍ଷ ପଦବୀ ଖାଲି ପଡିଛି । ରାଜ୍ୟ ସରକାରୀ ଦପ୍ତରରେ ୧ ଲକ୍ଷ ୫୪ ହଜାର ପଦବୀ ଖାଲି । ସରକାର ନିଯୁକ୍ତି ବିହୀନ ଶିଳ୍ପ ନିତୀକୁ ଆପଣାଇବା ଫଳରେ ରାଜ୍ୟର ୪୨ ଲକ୍ଷ ଯୁବକ ଦାଦନ ଖଟୁଛନ୍ତି । ପ୍ରତି ବର୍ଷ ୧୧ ଲକ୍ଷ ଯୁବକ ରାଜ୍ୟ ବାହାରକୁ କାମ ପାଇଁ ଯାଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଯୁବକ, କୃଷକ, ଶ୍ରମିକମାନଙ୍କୁ ରୋଜଗାର ଦେବାରେ ବିଫଳ । ଫଳରେ ଦେଶର କୋଟି କୋଟି ଯୁବକ ଆଜି ପଥଭ୍ରଷ୍ଟ । ଦେଶରେ ମୁଣ୍ଡ ଟେକୁ ଥିବା ଆନ୍ଦୋଳନକୁ ଚପାଇ ଦେବାକୁ ସରକାର ଆନ୍ଦୋଳନକାରୀଙ୍କୁ ଆକ୍ରମଣ କରିବାକୁ ପଛାଉନାହାଁନ୍ତି ।
ତେଣୁ ସରକାରଙ୍କର ଏହି ନିତୀ ବିରୁଦ୍ଧରେ ଆଗାମୀ ଦିନରେ ଯୁବ ଛାତ୍ର ଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ । ଏହି କନ୍ଭେନ୍ସନ୍ ପୂର୍ବରୁ ଏକ ପଟୁଆର ଜୟଦେବ ବିହାର ଛକ ପରିକ୍ରମା କରି ବିକ୍ଷୋଭ ପ୍ରତିବାଦ ଜରିଆରେ ଗତ ୧୩ ତାରିଖରେ ଏସ୍.ଏଫ୍.ଆଇ. ଓ ଡି. ୱାଇ.ଏଫ୍.ଆଇ. ଆନ୍ଦୋଳନକାରୀଙ୍କ ଉପରେ ପଶ୍ଚିମବଙ୍ଗ ପୋଲିସ୍ର ବର୍ବର ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲେ ।