
ପୁରୀ– ଶାନ୍ତିପ୍ରିୟ ଶ୍ରୀକ୍ଷେତ୍ରରେ ଶ୍ରୀରାମ ନବମୀ ଅବସରରେ ସିଂହଦ୍ଵାର ପତିତପାବନଙ୍କ ସମ୍ମୁଖରେ ଏକ ଲଜ୍ଯାଜନକ ଘଟଣା ଘଟିଯାଇଛି । ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକା ଲିନୁ ନାୟକଙ୍କୁ ୧୦ରୁ ଉର୍ଦ୍ଧ୍ବ ସେବକ ବେଶଧାରୀ ଯୁବକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଠେଲାପେଲା ଓ ଆକ୍ରମଣ କରିବାରୁ ଲିନୁ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସହିତ କ୍ୟାମେରାମ୍ୟାନ ଶିବ ପଲେଇ, ଚନ୍ଦ୍ରଶେଖର ଓମ ପାତ୍ର, ପିଣ୍ଟୁ ସାହୁ, ସାଗର ମଲ୍ଲିକଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ସେବକ ବେଶଧାରୀ ଯୁବକମାନେ ଔଦ୍ଧତ୍ୟର ସୀମା ଉଲ୍ଲଘଂନ କରିଥିଲେ ବୋଲି ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ସମ୍ମୁଖରେ ଶ୍ରୀରାମ ନବମୀ ଅବସରରେ ଗଣମାଧ୍ୟମ ପ୍ରତିନିଧି ମାନେ କର୍ତ୍ତବ୍ଯରତ ଥିବା ସମୟରେ ଏଭଳି ଆକ୍ରମଣ ହୋଇଥିଲା । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଏହା କୁଠାରଘାତ କରୁଛି | ଏ ସମ୍ପର୍କରେ ସାମ୍ବାଦିକା ଲିନୁ ନାୟକ ଓ ପିଣ୍ଟୁ ସାହୁ ସିଂହଦ୍ଵାର ଥାନରେ ଲିଖିତ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ତାଙ୍କର ମୋବାଇଲ ଓ କ୍ଯାମେରା ଭାଙ୍ଗିଦେବା ସହ ଠେଲାପେଲା ଓ ଆକ୍ରମଣ କରିଥିଲେ । ଏହା ସହ ସାମ୍ବାଦିକଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି । ଏଭଳି ଘଟଣାକୁ ପୁରୀର ସାମ୍ବାଦିକଗଣ, ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ, ଆଇନଜୀବୀ ପକ୍ଷରୁ ନିନ୍ଦା କରାଯାଇଛି । ପରେ ପରେ ସହରର ସାମ୍ବାଦିକ ମାନେ ଏସପିଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏସପି ବିନୀତ ଅଗ୍ରୱାଲଙ୍କ ସହ ଆଲୋଚନା କରିଥିଲେ । ଏସପି ଶ୍ରୀ ଅଗ୍ରୱାଲ କହିଲେ, ମାମଲାକୁ ବିଚାରକୁ ନେଇ ନିରପେକ୍ଷ ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଡିଶା ସାମ୍ବାଦିକ ସଂଘ, ପୁରୀ ଜିଲ୍ଲା ପକ୍ଷରୁ ଏହି ଘଟଣାକୁ ଦୃଢ ନିନ୍ଦା କରାଯିବା ସହ ଅଭିଯୁକ୍ତ ମାନଙ୍କୁ ୨୪ ଘଣ୍ଟା ଭିତରେ ଗିରଫ କରାଯାଇ ଏନବିଡ଼ବ୍ଲୁ ଲାଗୁ କରିବାକୁ ଦାବି କରାଯାଇଛି । ସଂଘର ଜିଲ୍ଲା ସଭାପତି ବିଜୟ ମିଶ୍ର ଓ ସମ୍ପାଦକ ସୁଧାଂଶୁ ଶେଖର କର ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି ।