
ଲକ୍ଷ୍ନୌ– ଇସ୍ରାଏଲ ବିରୁଦ୍ଧ ଯୁଦ୍ଧ ଲଢୁଥିବା ପାଲେଷ୍ଟାଇନର ପତାକା ଉଡାଇବା ମାମଲା ସାମ୍ନାକୁ ଆସିଛି । ଉତର ପ୍ରଦେଶ ଜିଲ୍ଲା ସହାରନପୁରର ଘଂଟାଘର ଅଂଚଳରେ ଇଦ-ଉଲ-ଫିତରର ଦିନରେ ବହୁ ସଂଖ୍ୟାରେ ମୁସଲିମ ଯୁବକ ଏକାଠି ହୋଇଛନ୍ତି । ମୁସଲିମ ଯୁବକମାନେ ପାଲେଷ୍ଟାଇନର ପତାକା ଲହରାଇଛନ୍ତି ଏବଂ ନାରାବାଜି ବି କରିଛନ୍ତି । ଏହି ସମୟରେ ଜଣେ ଯୁବକ ଗାଜା ଲେଖାଯାଇଥିବା ଟିସର୍ଟ ପିନ୍ଧିଥିବାର ଦେଖାଯାଇଛି । ଏସଏସପି କହିଛନ୍ତି ଯେ, ସିସିଟିଭି ଫୁଟେଜରୁ ଚିହ୍ନଟ କରି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସହାରନପୁରରେ ସୋମବାର ଇଦଗାହ ଅଂଚଳରେ ବହୁ ସଂଖ୍ୟାରେ ପୋଲିସ ଟିମ ମୁତୟନ ହୋଇଥିଲେ । ଏହାସହିତ ନମାଜ ସମୟରେ ସତର୍କତା ବି ଗ୍ରହଣ କରାଯାଇଥିଲା । ସେତେବେଳେ ନମାଜ ପଢି ବାହାରିଥିବା ଯୁବକଙ୍କ ଏକ ଗ୍ରୁପ ଘଂଟାଘର ଅଂଚଳରେ ଏକତ୍ରିତ ହୋଇଥିଲେ । ସେମାନେ ସବୁଜ ରଙ୍ଗର ପତାକା ସହ ପାଲେଷ୍ଟାଇନର ପତାକା ଉଡାଇଥିଲେ ଏବଂ ନାରାବାଜି ବି କରିଥିଲେ । ସୂଚନା ପାଇବା ପରେ ତିନୋଟି ଥାନାର ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ ।