
ବାଡ଼ମେର– ବାଡ଼ମେର- ଜୈସଲମେର ହାଇୱେ (ଏନଏଚ-୬୮)ର ବାଡ଼ମେର ମେଡ଼ିକାଲ କଲେଜ ନିକଟରେ ଶୁକ୍ରବାର ରାତିରେ ସ୍କର୍ପିଓ ଓ ବୋଲେରୋ କ୍ୟାମ୍ପର ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ତନ୍ମଧ୍ୟରେ ରହିଛନ୍ତି ସ୍କର୍ପିଓରେ ଯାତ୍ରା କରୁଥିବା ଡାକ୍ତର ଏବଂ ମେଡ଼ିକାଲ ଛାତ୍ର । ସେମାନଙ୍କର ଅନ୍ୟ ୪ ସାଥୀ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରୁ ଜଣକର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତାଙ୍କୁ ଅହମଦାବାଦ (ଗୁଜୁରାଟ) ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ୩ ଜଣ ବାଡ଼ମେର ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ।
ଗ୍ରାମାଚଂଳ ଥାନା ଇନଚାର୍ଜ ବିକ୍ରମ ଦାନ ଚାରଣ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଶୁକ୍ରବାର ବାଡ଼ମେର ଜିଲ୍ଲା ହସ୍ପିଟାଲରେ ଡ୍ୟୁଟି ସାରି ଅର୍ଥପେଡିକ ଡାକ୍ତର ଅଶୋକ କୁମାର, ଜଣେ ଡାକ୍ତରୀ ଛାତ୍ର ରମେଶ ସମେତ ୬ ଜଣ ଲୋକ ସ୍ପର୍ପିଓ ଯୋଗେ ମେଡ଼ିକାଲ କଲେଜକୁ ଯାଉଥିଲେ । ରାତିରେ ଜାତୀୟ ରାଜପଥ ନମ୍ବର ୬୮ ର ମେଡ଼ିକାଲ କଲେଜ ନିକଟରେ ତାଙ୍କ ସ୍କର୍ପିଓ କାର୍ ସାମ୍ନାରୁ ଆସୁଥିବା ବୋଲେରୋ କ୍ୟାମ୍ପରକୁ ଧକ୍କା ଦେଇଥିଲା । ଏବଂ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣାରେ ଡାକ୍ତର ଅଶୋକ କୁମାର ଓ ଡାକ୍ତରୀ ଛାତ୍ର ରମେଶଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ପଥଚାରୀ ମାନେ ଏ ସମ୍ପର୍କରେ ଗ୍ରାମାଚଂଳ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ହସ୍ପିଟାଲକୁ ଆଣିଥିଲା । ସେଠାରେ ଡାକ୍ତର ଅଶୋକ ଓ ଡାକ୍ତରୀ ଛାତ୍ର ରମେଶଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଜଣେ ଗୁରୁତରଙ୍କୁ ପ୍ରଥମେ ଜୋଧପୁର ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ସେଠାରୁ ଅହମଦାବାଦ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ତିନି ଜଣ ବାଡ଼ମେର ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ୨ ମୃତକଙ୍କ ଶବ ଜିଲ୍ଲା ହସ୍ପିଟାଲରେ ରଖାଯାଇଛି । ପରିଜନଙ୍କ ରିପୋର୍ଟ ଆଧାରରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।