
-
ବୟନିକାର ସମସ୍ତ ଶାଖା, ଜନତା ମୈଦାନ ଓ ପ୍ରଦର୍ଶନୀ ପଡ଼ିଆ ଷ୍ଟଲରେ ୨୦% + ୧୦% + ୫% ରିହାତି
-
ବୟନ ଭବନ ସ୍ଥିତ “ବୟନିକା ଅନନ୍ୟ” ଶାଖାରେ ଖୋଲିଲା ରାତ୍ରୀ ବଜାର, ରାତି ୧୧ଟା ରୁ ସକାଳ ୭ଟା ପର୍ଯ୍ୟନ୍ତ ବିକ୍ରୟ ଉପରେ ଅତିରିକ୍ତ ୫% ରିହାତି (୨୦% + ୧୦% + ୫%+ ୫%)
-
୨୭ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ବିଶେଷ ରିହାତି ସୁବିଧା
-
ବୁଣାକାରଙ୍କ ଆର୍ଥିକ ସମୃଦ୍ଧି ଓ ହସ୍ତତନ୍ତ ସାମଗ୍ରୀର ପ୍ରୋତ୍ସାହନ ପାଇଁ ବିଶେଷ ରିହାତି ପଦକ୍ଷେପ ନିଆଯାଇଛି : ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ
ଭୁବନେଶ୍ଵର,ଓଡ଼ିଶା ଦିବସ ଉପଲକ୍ଷେ ବିଶେଷ ସରକାରୀ ରିହାତି ଦରରେ ବୟନିକାର ବିକ୍ରୟ ଆଜିଠୁ ଆରମ୍ଭ ହୋଇଛି । ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି କହିଛନ୍ତି, ବୟନିକା ହସ୍ତତନ୍ତ ସାମଗ୍ରୀର ପ୍ରଚାର ପ୍ରସାର ଓ ବୁଣାକାରଙ୍କ ଆର୍ଥିକ ସମୃଦ୍ଧିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଏହା ସହ ସେ କହିଛନ୍ତି, ହସ୍ତତନ୍ତ କ୍ଷେତ୍ରର ନିରନ୍ତର ଅଭିବୃଦ୍ଧି ଏବଂ ଅନ୍ତର୍ଜାତୀୟ ସ୍ୱୀକୃତି ସୁନିଶ୍ଚିତ କରିବା ସହିତ ଏହାର ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ ଅଛନ୍ତି । ଓଡ଼ିଶା ଦିବସ ପାଳନ ଅବସରରେ ଏହା ପର୍ଯ୍ୟଟକ ତଥା ଗ୍ରାହକମାନଙ୍କୁ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତର ଐତିହ୍ୟ ସମ୍ପର୍କରେ ମଧ୍ୟ ପରିଚିତ କରାଇବ ।
ଏହି ସୁବିଧା ୨୭ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଉପଲବ୍ଧ ହେବ । ସମସ୍ତ ହସ୍ତତନ୍ତ ଉତ୍ପାଦ ଉପରେ ୨୦% + ୧୦% + ୫% ବିଶେଷ ରିହାତିର ସୁବିଧା ମିଳିବ । ବୟନିକାର ସମସ୍ତ ବିକ୍ରୟ ଶାଖା, ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ଚାଲିଥିବା ଜାତୀୟ ହସ୍ତତନ୍ତ ମେଳା ଓ ଜନତା ମଇଦାନରେ ଚାଲିଥିବା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ରେ ଖୋଲିଥିବା ବୟନିକା ଷ୍ଟଲରେ ଏହି ବିଶେଷ ରିହାତି ସୁବିଧା ଉପଲବ୍ଧ ହେବ । ବୟନ ଭବନ ସ୍ଥିତ “ବୟନିକା ଅନନ୍ୟ” ଶାଖାରେ ରାତି ୧୧ଟା ରୁ ସକାଳ ୭ଟା ପର୍ଯ୍ୟନ୍ତ ବିକ୍ରୟ ଉପରେ ଅତିରିକ୍ତ ୫% ରିହାତି (୨୦% + ୧୦% + ୫%+ ୫%) ସୁବିଧା ମିଳିବ । ବୟନିକା ଅନନ୍ୟ ଶାଖା ରାତ୍ରୀ ବଜାର ସମୟରେ ଶାସ୍ତ୍ରୀୟ ସଂଗୀତ ପ୍ରଦର୍ଶନ, ଲାଇଭ୍ ଲୁମ୍ ପ୍ରଦର୍ଶନ ଏବଂ ଖାଦ୍ୟ କାଉଣ୍ଟର ବ୍ୟବସ୍ଥା ରହିବ । ବିଳମ୍ବିତ ରାତିରେ ପରିଦର୍ଶକମାନଙ୍କ ପାଇଁ ଏକ ଜୀବନ୍ତ ଓ ଆକର୍ଷଣୀୟ ପରିବେଶ ସୃଷ୍ଟି ସହ ସପିଂ ଅନୁଭବକୁ ବୃଦ୍ଧି କରିବା ଲକ୍ଷ୍ୟରେ ଏହି ଆୟୋଜନ ବୟନିକା ପକ୍ଷରୁ ଗ୍ରହଣ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର, ବୟନିକାର ସଭାପତି ପ୍ରକାଶ ଚନ୍ଦ୍ର ମେହେର, ହସ୍ତଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ପ୍ରଣତି ଛୋଟରାୟ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ବୟନିକାର ସାଧାରଣ ପ୍ରବନ୍ଧକ ତଥା ସମ୍ପାଦକ ସୁଷମା ବାରିକ, ବୟନିକାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ପୃଷ୍ଠପୋଷକ ଓ ଗ୍ରାହକମାନେ ଆଗେଇ ଆସି ଖଣ୍ଡିଏ ଖଣ୍ଡିଏ ହସ୍ତତନ୍ତ ସାମଗ୍ରୀ କିଣି ନେଇ ଓଡ଼ିଶାର ଏହି ସମୃଦ୍ଧ ପରମ୍ପରାକୁ ଆଗେଇ ନେବାକୁ ମାନ୍ୟବର ମନ୍ତ୍ରୀ ନିବେଦନ କରିଛନ୍ତି ।