
ଧର୍ମଶାଳା– ବିଧାନସଭାରେ କଂଗ୍ରେସ ବିଧାୟକଙ୍କୁ ନିଳମ୍ବନ ଘଟଣା ଓ ମହିଳା ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି । ପିସିସିର ଆହ୍ୱାନ କ୍ରମେ କଂଗ୍ରେସର ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ନେତା ଓ କର୍ମୀମାନଙ୍କୁ ବାଟରେ ନାନା ଆଳ ଦେଖାଇ ପୋଲିସ ଅଟକାଉଥିବା ନେଇ କଂଗ୍ରେସ ଅଭିଯୋଗ କରିଛି । ଏପରିକି ଘଟଣାସ୍ଥଳରେ ଉଭୟ ପୋଲିସ ଓ ନେତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇ ଯାଇଥିଲା । ପୋଲିସ ଚେକିଂ ଆଳରେ ୧୬ ନଂ ଜାତୀୟ ରାଜପଥ ଟାଙ୍ଗି ଟୋଲ ଗେଟ୍ ନିକଟରେ ଭୁବନେଶ୍ୱର ଯାଉଥିବା ନେତା ଓ କର୍ମୀଙ୍କ ଗାଡିକୁ ଟିକନିଖ ଯାଂଚ କରାଯାଉଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ କିଶାନ ପଣ୍ଡାଙ୍କ ନେତୃତ୍ୱରେ କର୍ମୀମାନେ ଯାଉଥିବା ଗାଡିକୁ ପୋଲିସ ଅଟକାଇ ଥିଲା । ଫଳରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ପୋଲିସ ଉଦ୍ଦେଶ୍ୟମୂଳକଭାବେ ଗାଡିଗୁଡିକୁ ଅଟକାଉଥିବା ନେଇ ଶ୍ରୀ ପଣ୍ଡା ଅଭିଯୋଗ କରିବା ସହ ରାସ୍ତାରେ ଗାଡି ରଖି ଦୃଢ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା । ପୂର୍ବ ଦିନମାନଙ୍କରେ ଜାତୀୟ ରାଜପଥରେ କେବେ ବି ପୋଲିସ ଏଭଳି ଯାଂଚ କରୁ ନାହିଁ ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି । ଏଭଳି ଅଟକକୁ ନେଇ କର୍ମୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।