
-
କଂଗ୍ରେସ କର୍ମୀଙ୍କ ପଥର, ଅଣ୍ଡା , ଟମାଟୋ ଓ ଚେୟାର ମାଡ
-
ପୋଲିସ୍ ର ପାଣି ମାଡ , ଟିୟର ଗ୍ୟାସ୍ ସହ ଲାଠି ଚାର୍ଜ
ଭୁବନେଶ୍ୱର– କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ଯୋଗୁଁ ଭୁବନେଶ୍ୱରର ଲୋୟର ପିଏମଜି ରଣକ୍ଷେତ୍ର ପାଲଟିଛି। ବିଧାନସଭା ଘେରାଉ ପାଇଁ କଂଗ୍ରେସ କର୍ମୀ ମାନେ ବ୍ୟାରିକେଟ୍ ଡେଇଁବାକୁ ଉଦ୍ୟମ କରିଥିଲେ । ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଆନ୍ଦୋଳନକାରୀମାନେ ପୋଲିସ୍ ଉପରକୁ ପଥର, ଅଣ୍ଡା ଏବଂ ଟମାଟୋ ମାଡ କରିବା ସହିତ ଚେୟାର ଫିଙ୍ଗିଥିଲେ। ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ୍ ଏବଂ ପାଣି ତୋପ ବ୍ୟବହାର କରିଛି।
ସୂଚନା ଅନୁଯାୟୀ କଂଗ୍ରେସ ପକ୍ଷରୁ ପୂର୍ବ ଘୋଷଣା ଅନୁସାରେ ଗୁରୁବାର ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରାଯାଇଥିଲା। ଲୋୟର ପିଏମଜିରେ ବଡ ଧରଣର ସଭା ପରେ କଂଗ୍ରେସ କର୍ମୀମାନେ ବିଧାନସଭା ଆଡକୁ ଅଗ୍ରସର ହୋଇଥିଲେ। ୧୬୩ ଧାରା ଭାଙ୍ଗିବାକୁ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରଥମେ ଧସ୍ତାଧସ୍ତି ହୋଇଥିଲା । ନାରୀ ସୁରକ୍ଷା ପ୍ରସଙ୍ଗରେ ବିଧାନସଭା ଘେରାଉ ପାଇଁ ଯାଇଥିବା ଶତାଧିକ କଂଗ୍ରେସ କର୍ମୀ ହଠାତ ପୋଲିସର ପ୍ରଥମ ସୁରକ୍ଷା ବଳୟ ଭାଙ୍ଗି ବିଧାନସଭା ଅଭିମୁଖେ ବଢ଼ିଥିଲେ। ପୋଲିସ କଂଗ୍ରେସ କର୍ମୀଙ୍କୁ ଅଟକାଇାବାକୁ ଉଦ୍ୟମ କରିଥିଲା । ତେବେ ଏତିକି ବେଳେ କଂଗ୍ରେସ କର୍ମୀ ମାନେ ପୋଲିସ ଉପରକୁ ଚେୟାର ମାଡ଼ କରିଥିଲେ । ଏହା ପରେ ପରେ ପୋଲିସ ଉପରକୁ ଟେକା ପଥର, ଅଣ୍ଡା, ଟମାଟୋ, ପାଣି ବୋତଲ ମାଡ଼ କରିଥିଲେ ।
ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପୋଲିସ ପ୍ରଥମେ ପାଣି ମାଡ଼ ଓ ପରେ ଭିଡ଼ ହଟାଇବାକୁ ଟିୟର ଗ୍ୟାସ୍ ମାଡ଼ କରିଥିଲା। ଏହାପର ବି କଂଗ୍ରେସ କର୍ମୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଲାଠି ମାଡ଼ କରିଥିଲା। ଆନ୍ଦୋଳନକାରୀ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା ପୋଲିସ। ଶେଷରେ ପୋଲିସ ଆନ୍ଦୋଳନର ନେତୃତ୍ୱ ନେଉଥିବା ପିସିସି ସଭାପତି ଭକ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି, ମହମ୍ମଦ ମୋକିମଙ୍କ ସମେତ ଅନ୍ୟ କିଛି ନେତାଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠାଇ ନେଇଛି ।