
ଭୁବନେଶ୍ୱର– ରାଜ୍ୟରେ ବିଧାନସଭାକୁ ନେଇ କିଛି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। କୌଣସି ପ୍ରସଙ୍ଗ ନ ଥାଇ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ଅପଚେଷ୍ଟା କରୁଛି କଂଗ୍ରେସ। ପବିତ୍ର ବିଧାନସଭାରେ ମର୍ଯ୍ୟାଦାର ଉଲ୍ଲଂଘନ କରାଯାଇଛି। ବାଚସ୍ପତିଙ୍କୁ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରାଗଲା, ତାହା ମଧ୍ୟ କୌଣସି ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ପାଖରୁ ଆଶା ଓ ଅପେକ୍ଷା କରାଯାଇପାରିବ ନାହିଁ। ଗଠନମୂଳକ ପ୍ରସ୍ତାବ ଦେବା ବା ସମାଲୋଚନା କରିବାକୁ ବିରୋଧୀ ଦଳକୁ କେହି ମନା କରିନାହାଁନ୍ତି। ଏଥିପାଇଁ ସହଯୋଗ ଓ ବିରୋଧ ମଧ୍ୟ ଗଠନମୂଳକ ହେବା ଦରକାର। ବିଭିନ୍ନ ବିଷୟରେ ସରକାରଙ୍କୁ ଗଣତନ୍ତ୍ରରେ ସମାଲୋଚନା କରାଯାଏ। ବିରୋଧୀ ଦଳ ଯଦି ଠିକ୍ କଥା କହୁଛି କିମ୍ବା ସରକାରଙ୍କ କୌଣସି ଭୁଲ୍ ଥିଲେ ଏହାର ସଂଶୋଧନ କରିବା ପାଇଁ ମନା ନାହିଁ। ତେବେ କୌଣସି ଆଧାର ଓ ବିଷୟବସ୍ତୁ ନ ଥାଇ ବିରୋଧୀ ଦଳ ଯେପରି ଆଚରଣ ପ୍ରଦର୍ଶନ କରୁଛି, ତାହା ଅତ୍ୟନ୍ତ ନିନ୍ଦନୀୟ। ସରକାର ବିଧାନସଭାରେ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଥିଲାବେଳେ ବିରୋଧୀ ଦଳ କେବେଳ ମିଛ ଅପପ୍ରଚାର କରି ‘ସର୍ଟକଟ୍ ରାଜନୀତି’ କରିବାକୁ ଚେଷ୍ଟା କରୁଛି। ଆଲୋଚନ ନ କରି ପ୍ରଶ୍ନୋତର କାର୍ଯ୍ୟକ୍ରମରେ ହୋ-ହଲ୍ଲା କରିବା ସହ ଗୃହର ମଧ୍ୟଭାଗରେ ଘଂଟ ବାଡେଇ ବାଧା ସୃଷ୍ଟି କରିଥିଲା। ଏଥିରେ ସମ୍ପୃକ୍ତ ବିଧାୟକମାନଙ୍କୁ ନିଲମ୍ବିତ କରାଯିବା ପରେ ସେମାନେ ଏବେ ଗୁଣ୍ଡାଗର୍ଦ୍ଦି କରୁଛନ୍ତି। ସେଥିରୁ ଜଣାପଡୁଛି ବିରୋଧୀ ଦଳ ନିଜର ଭୂମିକା ଏପର୍ଯ୍ୟନ୍ତ ବୁଝିପାରିନାହାଁନ୍ତି। ଏପରିକି ନିଜ ଦାୟିତ୍ୱ ନିର୍ବାହ କରିବାକୁ ସେମାନେ ଏପର୍ଯ୍ୟନ୍ତ ମାନସିକସ୍ତରରେ ପ୍ରସ୍ତୁତ ମଧ୍ୟ ନୁହଁନ୍ତି। ଏବେବି ସେମାନେ ସରକାରରେ ରହିଛନ୍ତି ବୋଲି ବୋଧହୁଏ ଭାବୁଛନ୍ତି। ସେମାନେ ଜୋସରେ ନ ରହି ହୋସରେ ରୁହନ୍ତୁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।
ଶ୍ରୀ ସାମଲ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥକୁ ଦୃଷ୍ଟି ରଖି ବିରୋଧୀ ଜନମତକୁ ସମ୍ମାନ ଦେବା ଉଚିତ୍। ଓଡ଼ିଶାର ଜନମତ ବିରୋଧୀ ଦଳକୁ ପ୍ରତ୍ୟାଖାନ କରିଛି, ଏକଥା ସେମାନେ ସ୍ୱୀକାର କରିବା ଦରକାର। ଯେଉଁମାନେ ପୂର୍ବରୁ କହୁଥିଲେ ଆଇନକୁ ହାତକୁ ନେବାର ଅଧିକାର କାହାର ନାହିଁ, ସେମାନେ ଆଜି ସେମାନଙ୍କ କଥା ଭୁଲିଯାଇଛନ୍ତି। ଆଇନଶୃଙ୍ଖଳାକୁ ହାତକୁ ନେଇ ସାଧାରଣ ଲୋକଙ୍କ ଜୀବନ ସହ ଖେଳିବାର ଅଧିକାର କାହାର ନାହିଁ। ବିରୋଧୀ ଦଳର ଏପରି ଆଚରଣ, ଉଚ୍ଚାରଣ ଓ ହିଂସାତ୍ମକ ବ୍ୟବହାରରୁ ତୀବ୍ର ନିନ୍ଦା କରୁଛି ବିଜେପି। ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଉଥିବା କଂଗ୍ରେସ ତାର କଳଙ୍କିତ ଇତିହାସକୁ ଭୁଲଯିବା ଉଚିତ ନୁୂହେଁ। ଛବିରାଣୀ ହତ୍ୟାକାଣ୍ଡଠାରୁ ଆରମ୍ଭ କରି ଅଞ୍ଜନା ମିଶ୍ର ଘଟଣା ପର୍ଯ୍ୟନ୍ତ ସେମାନଙ୍କର କଳଙ୍କିତ ଇତିହାସ ରହିଛି। ଯେଉଁମାନେ ଓଡ଼ିଶା ଇତିହାସକୁ କଳଙ୍କିତ କରିଛନ୍ତି ସେମାନେ ଆଜି ନାରୀ ପ୍ରସଙ୍ଗ ଉଠାଇବା ଲଜ୍ଜାଜନକ ବିଷୟ ବୋଲି ଶ୍ରୀ ସାମଲ କହିଛନ୍ତି।
ଅପ୍ରସଙ୍ଗକୁ ଉଠାଇ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବିରୋଧୀ ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରକୁ ସହଯୋଗ କରନ୍ତୁ। ଓଡ଼ିଶାର ବିକାଶ ଦିଗରେ କେହି ଅନ୍ତରାୟ ସୃଷ୍ଟି ନ କରନ୍ତୁ। ବିିଜେପି ବିରୋଧୀ ଦଳରେ ଥିଲାବେଳେ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରୁଥିଲା। ଅପରପକ୍ଷେ ବିରୋଧୀ ସରକାରରେ ଥିଲାବେଳେ କେବେ ବିରୋଧୀ ଦଳକୁ ବୈଠକ ପାଇଁ ଡାକୁ ନ ଥିଲେ। ମାତ୍ର ବିଜେପି ସରକାର ସବୁବେଳେ ସର୍ବଦଳୀୟ ବୈଠକ ଡାକିଛି। ଓଡ଼ିଶାର ଲକ୍ଷଲକ୍ଷ ଯୁବକ ଦାଦନ ଖଟିବାକୁ ଯାଉଥିବାବେଳେ ଏଠାରେ ଜଳସେଚନର ବ୍ୟବସ୍ଥା ନାହିଁ। ଓଡ଼ିଶାରେ ସାମଗ୍ରିକ ବିକାଶର ଆବଶ୍ୟକତା ଅଛି। ଏଭଳି ପରିସ୍ଥିତିରେ ବିଜେପି ସରକାର ଯେତେବେଳେ ଗୋଟିଏ ପରେ ଗୋଟିଏ ବିକାଶମୂଳକ କାର୍ଯ୍ୟ କରୁଛି ସେତେବେଳେ ବିରୋଧୀ ନିରାଶ ଓ ହତାଶ ହେବା ଉଚିତ ନୁହେଁ। ଗୋଟିଏ ଭୁଲ ପାଇଁ ୧୦୦ଟି ଭୁଲ୍, ଗୋଟିଏ ଅନ୍ୟାୟ ପାଇଁ ୧୦୦ଟି ଅନ୍ୟାୟ ଓ ଗୋଟିଏ ମିଛ ଲୁଚେଇବାକୁ ଯାଇ ୧୦୦ଟି ମିଛ ନ କହିବାକୁ ବିରୋଧୀ ଦଳକୁ ଶ୍ରୀ ସାମଲ ପରାମର୍ଶ ଦେଇଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ଓ ରାଜ୍ୟ ମୁଖପାତ୍ର ସୁଦିପ୍ତ ରାୟ ଉପସ୍ଥିତ ଥିଲେ।