
ଭୁବନେଶ୍ଵର, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ମାନ୍ୟବର ବାଚସ୍ପତି ମହୋଦୟା, ବର୍ତ୍ତମାନ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୭୦୭ କୋଟି ୪ ଲକ୍ଷ ୮୯ ହଜାର କୋଟି ଟଙ୍କାର ଅନୁଦାନ ଦାବି ଉପରେ ଗୃହରେ ହୋଇଥିବା ଆଲୋଚନାର ଉତ୍ତର ରଖିବା ପାଇଁ ମୋତେ ସୁଯୋଗ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି।
ଜଗତର ନାଥ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ, ସାଢେ ଚାରି କୋଟି ଓଡିଶା ବାସୀଙ୍କ ବିଶ୍ବାସ, ଭରସା ଓ ଆଶା-ଆକାଂକ୍ଷାକୁ ଅଗ୍ରାଧିକାର ଦେଇ, ଆମ ସରକାର, ଓଡିଶାର ପ୍ରତିଟି ଜନସାଧାରଣଙ୍କ ସର୍ବାଙ୍ଗୀନ ଉନ୍ନତି କରିବା ଦିଗରେ, ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାର ଲକ୍ଷ୍ୟ ନେଇ, ଆମର ପ୍ରିୟ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସଫଳ ମାର୍ଗଦର୍ଶନରେ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ।
ଆମ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ “ବିକଶିତ ଭାରତ ପାଇଁ ବିକଶିତ ଓଡିଶା”ର ପରିକଳ୍ପନାକୁ ସାକାର କରିବା ପାଇଁ ଆମ ସରକାର ଦୃଢ ସଙ୍କଳ୍ପବଦ୍ଧ।
ଓଡିଶାକୁ 2036 ସୁଦ୍ଧା ଭାରତର ଏକ ବିକଶିତ ରାଜ୍ୟରେ ପରିଗଣିତ କରିବା ପାଇଁ ଏବଂ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଯେଉଁ ଗ୍ୟାରେଣ୍ଟି ଦିଆଯାଇଛି, ସେ ଦିଗରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଯଶସ୍ଵୀ ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର “ସବ୍କା ସାଥ୍, ସବ୍କା ବିକାଶ୍, ସବ୍କା ବିଶ୍ୱାସ୍ ଏବଂ ସବ୍କା ପ୍ରୟାସ୍”କୁ ପାଥେୟ କରି ଓଡିଶା ବିକାଶ ଦିଗରେ ଆଗେଇ ଚାଲିଛି । ଆମ ସରକାର ଶପଥ ଗ୍ରହଣ କରିବା ପରେ ପରେ ଇତି ମଧ୍ୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି, ଯଦ୍ଵାରା ଓଡିଶାରେ ଡବଲ ଇଞ୍ଜିନ ସରକାରକୁ ସଫଳତା ମିଳିବା ଆରମ୍ଭ ହୋଇଛି ।
ଦୁର୍ନୀତି ହେଉଛି ଏକ ସମାଜ ପାଇଁ ଏକ କ୍ୟାନ୍ସର, ଏହା ଏକ ପ୍ରକାରେ ଉଇ ପରି, ଘର ମୂଳଦୁଆକୁ ଖାଇ ଖାଇ ଫମ୍ପା କରିଦିଏ। ଓଡିଶା ପରି ଏକ ବିକାଶଶୀଳ ରାଜ୍ୟକୁ ବିକଶିତ ରାଜ୍ୟ କରିବା ପାଇଁ ଏହି କ୍ୟାନ୍ସରର ସମୂଳେ ଉତ୍ପାଟନ କରିବା ଆବଶ୍ୟକ। ତେଣୁ ଆମ ସରକାର ପ୍ରଥମ ଦିନରୁ ହିଁ ଦୁର୍ନୀତି ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛନ୍ତି।
ଗତ ପ୍ରାୟ ଅଢେଇ ଦଶନ୍ଧିରେ ଦୁର୍ନୀତିର ଛାତ୍ରଛାୟା ତଳେ ପରିସ୍ଫୁଟ ହେଉଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଭୂକମ୍ପନ ସୃଷ୍ଟି ହୋଇଛି ଗତ ୯ ମାସ ମଧ୍ୟରେ। ମୁଁ ବିଭିନ୍ନ ମଞ୍ଚରେ ‘ଦୁର୍ନୀତି ପ୍ରତି ଜିରୋ tolerance’ ନୀତି ଅବଲମ୍ବନ ବିଷୟରେ କହି ଆସୁଅଛି। କେବଳ କଥାରେ ନୁହେଁ, କାର୍ଯ୍ୟରେ ବି ଦୁର୍ନୀତି ବିରୁଦ୍ଧରେ ଯୁଦ୍ଧ ଜାରି ରହିଛି, ପ୍ରଥମ ଦିନରୁ। ଏହାର ଫଳାଫଳ ସମସ୍ତଙ୍କ ସାମ୍ନାରେ।
ଆମ ସରକାର ଶପଥ ଗ୍ରହଣ କରିବା ପରଠାରୁ ଅଦ୍ୟାବଧି (ଜୁନ 2024 ରୁ ଅଦ୍ୟାବଧି ), ମୋଟ 312 ଜଣଙ୍କ ବିରୁଦ୍ଧରେ ମୋଟ 173 ଟି ମାମଲା ରୁଜୁ କରାଯାଇଛି ଏବଂ ମୋଟ 156 ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ମକଦ୍ଦମାରେ ଗିରଫ କରାଯାଇଛି। ଏହି ସମୟ ମଧ୍ୟରେ, 297 ଟି ମାମଲାରେ ତଦନ୍ତ ସମାପ୍ତି କରାଯାଇ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି । 82ଟି ମକଦ୍ଦମାରେ ସମୁଦାୟ 123 ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ଭିଜିଲାନ୍ସ ଅଦାଲତର ଦଣ୍ଡାଦେଶ ଯୋଗୁଁ ମୋଟ 11 ଜଣ ଲୋକସେବକଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ଏହା ବ୍ୟତୀତ, ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ 97 ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ 53 ଟି ମକଦ୍ଦମା ରୁଜୁ କରାଯାଇଛି ଯେଉଁଥିରେ ପ୍ରାୟ 131 କୋଟି 90 ଲକ୍ଷ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି ।
ରାଜ୍ୟ ଦୁର୍ନୀତିନିବାରଣ ନିର୍ଦ୍ଦେଶାଳୟକୁ ସଶକ୍ତ କରିବାପାଇଁ 2025-26 ଆର୍ଥିକ ବର୍ଷରେ ମୋଟ 133 କୋଟି 37 ଲକ୍ଷ ଟଙ୍କା ବ୍ୟୟ ବରାଦ ପ୍ରଶାସନିକ ଖର୍ଚ୍ଚ ବାବଦରେ କରାଯାଇଛି । ଏହାଛଡା, ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ଅଣ-ଆବାସିକ ତଥା ଆବାସିକ ଭିତ୍ତିଭୂମିର ବିକାଶ ନିମନ୍ତେ 36 କୋଟି 70 ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ।
ଆମ ସରକାରଙ୍କ ଲକ୍ଷ୍ୟ ହେଉଛି, ଦୁର୍ନୀତିଗ୍ରସ୍ତ ଅଫିସର ଏବଂ ଦୁର୍ନୀତିଗ୍ରସ୍ତଙ୍କ ମନରେ ଭୟ ସଂଚାର କରିବା। ଗତ ସରକାରଙ୍କ ଅମଳରେ ଦୁର୍ନୀତି ଉପାୟରେ ଉପାର୍ଜନ କରିଥିବା ଟଙ୍କାର ପାହାଡରେ ଶାନ୍ତିରେ ନିଦ୍ରା ଯାଉଥିଲେ, କିନ୍ତୁ ଯେଉଁମାନେ ଟଙ୍କା, ସୁନା, ଗହଣା, ପ୍ଳଟ, ଫ୍ଲାଟ ଅନୈତିକ ଉପାୟରେ ଉପାର୍ଜନ କରିଛନ୍ତି, ଆଜି ସେମାନେ ପ୍ରତିମୁହୂର୍ତ୍ତରେ ଭୟାତୁର। ସେମାନେ ଡରିବା ଉଚିତ, କାରଣ ‘ୟେ ଡର୍ ଆଚ୍ଛା ହୈ’। ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ଏହି ଯୁଦ୍ଧମଂ ଦେହି ଡାକରାରେ ରାଜ୍ୟବାସୀ ଅତ୍ୟନ୍ତ ଖୁସି ଅଛନ୍ତି ଏବଂ ଆପଣଙ୍କ ମାଧ୍ୟମରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବାକୁ ଚାହେଁ ଯେ ଏପରି ଦୁର୍ନୀତିଖୋର ଅଧିକାରୀଙ୍କ କାରନାମା ସରକାରଙ୍କ ଦୃଷ୍ଟିକୁ ଆଣନ୍ତୁ, ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ଆମ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କ ସୁବିଧା, ଅସୁବିଧା, ସମସ୍ୟା ଶୁଣି ସେସବୁର ସମାଧାନ କରିବା ପ୍ରତ୍ୟେକ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ସବୁବେଳେ ନିଜକୁ ‘ପ୍ରଧାନମନ୍ତ୍ରୀ’ ନୁହେଁ, ସେ ହେଉଛନ୍ତି, ‘ପ୍ରଧାନ ସେବକ’। ଆମେ ସମସ୍ତେ ବି ତାଙ୍କର ଏହି ନୀତିରେ ଅନୁପ୍ରାଣିତ।
ତେଣୁ ଶପଥ ନେବାର ପ୍ରଥମ ଦିନରୁ ହିଁ ଆମ ସରକାର ସିଧାସଳଖ ଲୋକଙ୍କ କଥା ଶୁଣି, ସେମାନଙ୍କ ସମସ୍ୟା ଶୁଣିବାକୁ ନିଷ୍ପତ୍ତି ନେଇଥିଲେ। ୧୨ ବର୍ଷ ପର୍ଯ୍ୟନ୍ତ ଖାଲିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପୁଣିଥରେ ଚଳ ଚଞ୍ଚଳ ହୋଇଉଠିଛି। ଏହି ନିଷ୍ପତ୍ତିର ଫଳ ସ୍ୱରୂପ, ଅଭିଯୋଗ ସମାଧାନର ସୁପରିଚାଳନା ନିମନ୍ତେ ଜୁଲାଇ ପହିଲାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଁ ନିଜେ ଉପସ୍ଥିତ ରହିବା ସହ ଉପମୁଖ୍ୟମନ୍ତ୍ରୀ, ଅନ୍ୟବିଭାଗର ମନ୍ତ୍ରୀଗଣ, ଗୁରୁତ୍ବପୂର୍ଣ୍ଣ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣିରେ ସହାୟତା କରୁଛନ୍ତି ।
ଗତ ଜୁଲାଇ 1, 2024 ଠାରୁ ଅଦ୍ୟାବଧି 9377 ଟି ଅଭିଯୋଗର ଶୁଣାଣି କରାଯାଇଛି । ଏଠାରେ ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହେଁ ଯେ ଇତିମଧ୍ୟରେ ପ୍ରାପ୍ତ ଅଭିଯୋଗରୁ ପ୍ରାୟତଃ 83 ପ୍ରତିଶତ ଅଭିଯୋଗର ତ୍ଵରିତ ସମାଧାନ ହୋଇଅଛି। ଏହା ବ୍ୟତୀତ ଅଭିଯୋଗ ପଞ୍ଜୀକରଣ ପ୍ରକ୍ରିୟାକୁ ସହଜ ଓ ସମୟ ଉପଯୋଗୀ କରିବାପାଇଁ, ଅଗ୍ରୀମ ଅନ୍ଲାଇନ ବୁକିଂ ବ୍ୟବସ୍ଥା ଆରମ୍ଭ କରାଯାଇଅଛି ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସମୟରେ ଦରିଦ୍ର ଓ ନିଃସ୍ଵ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ହୃଦୟଙ୍ଗମ କରି ତୁରନ୍ତ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଏକ ସ୍ବତନ୍ତ୍ର ସହାୟତା କେନ୍ଦ୍ର ଖୋଲାଯାଇଅଛି । ସେଠାରେ ଡାକ୍ତର ତଥା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ରୋଗର ତତ୍କ୍ଷଣାତ ଚିକିତ୍ସାର ଆବଶ୍ୟକତାକୁ ଦେଖି ଆର୍ଥିକ ସହାୟତା ନିମନ୍ତେ ସୁପାରିଶ କରୁଅଛନ୍ତି ।
ମୁଁ ଯେପରି ଭାବେ କହିଥିଲି, ଏ ସରକାର ଲୋକଙ୍କ ସରକାର, ଏ ସରକାର ଲୋକଙ୍କ ଦୁଆର ମୁହଁକୁ ଯିବ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବ୍ୟତୀତ, ଜିଲ୍ଲାସ୍ତରରେ ସାପ୍ତାହିକ ଯୁଗ୍ମ ଶୁଣାଣିର ଆୟୋଜନ କରାଯାଇଅଛି, ଯାହାଦ୍ୱାରା ଅଧିକାଂଶ ସମସ୍ୟା local level ରେ ସମାଧାନ ହୋଇଯିବ ଏବଂ ସେମାନଙ୍କୁ ରାଜଧାନୀକୁ ଆସିବା ପାଇଁ ପଡିବ ନାହିଁ । ଏହି ଶୁଣାଣି, ଆଗାମୀ ଦିନରେ ରାଜସ୍ୱ ଡିଭିଜନ ତଥା ଜିଲ୍ଲା ସ୍ତରରେ ମଧ୍ୟ ଅନୁଷ୍ଠିତ ହେବ ।
ଯୋଗ୍ୟ ସରକାରୀ କର୍ମଚାରୀମାନଙ୍କୁ ଅବସର ଦିବସରେ ପୂର୍ଣ୍ଣାଙ୍ଗ ପେନ୍ସନ ଦେବା ନିଷ୍ପତ୍ତିକୁ ସୁଗମ କରିବା ପାଇଁ, ସମସ୍ତ ପେନସନ ମଞ୍ଜୁର କରୁଥିବା ଅଧିକାରୀଙ୍କ କାର୍ଯ୍ୟାଳୟରେ ସହାୟତା କେନ୍ଦ୍ର ସ୍ଥାପନ ନିମନ୍ତେ ଆବଶ୍ୟକ ମାର୍ଗଦର୍ଶିକା ଜାରି କରାଯାଇଛି ।
ଆମ ସରକାର ସ୍ବଚ୍ଛ ଶାସନ ପ୍ରଦାନ ନିମନ୍ତେ ଲୋକମାନଙ୍କ ନିକଟରେ ଉତ୍ତରଦାୟୀ। ରାଜ୍ୟବାସୀଙ୍କର ସର୍ବାଙ୍ଗୀନ ଉନ୍ନତି ଓ କଲ୍ୟାଣ ପାଇଁ ଆମେ ପ୍ରତିବଦ୍ଧ। ଆମ ସରକାର, ସୁଶାସନ ପାଇଁ ପ୍ରଚଳିତ ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଚେଷ୍ଟିତ । ଏହି ଦିଗରେ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରଶାସନିକ ବାହକ ରୂପେ କାର୍ଯ୍ୟ କରୁଅଛି ।
ଆମ ସରକାର ଦରିଦ୍ର ଓ ନିଃସ୍ଵ ଲୋକମାନଙ୍କର ଜଟିଳ ରୋଗର ଚିକିତ୍ସା ଓ ଦୁର୍ଘଟଣା ପ୍ରପୀଡିତ ଲୋକମାନଙ୍କ ସହାୟତା ପାଇଁ ପ୍ରତିଶୃତିବଦ୍ଧ । ଏହି କ୍ଷେତ୍ରରେ, ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠି ଏକ ଆଶାର ସ୍ରୋତ । ଚଳିତ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ 525 ଟି ମାମଲାରେ ଗରିବ ଲୋକମାନଙ୍କର ଚିକିତ୍ସା ଓ ସଡକ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରଙ୍କୁ ଅନୁକମ୍ପାମୂଳକ ସହାୟତା ବାବଦରେ 15 କୋଟି 37 ଲକ୍ଷ 80 ହଜାର ଟଙ୍କା ପ୍ରଦାନ କରାଯାଇଛି। ପୁନଶ୍ଚ, ଯୋଗ୍ୟ ବ୍ୟକ୍ତିମାନଙ୍କ ପୁନର୍ବାସ, ଥଇଥାନ ଏବଂ ଜରୁରୀକାଳୀନ ଚିକିତ୍ସା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ମୋଟ 7 କୋଟି 30 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି | ଏହି ବାବଦରେ ଜିଲ୍ଲାପାଳମାନେ ତାଙ୍କ ସ୍ତରରେ 30,000 ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିପାରିବା ପାଇଁ ବ୍ୟବସ୍ଥା କରାଯାଇଛି ।
ହରିଶ୍ଚନ୍ଦ୍ର ସହାୟତା ଯୋଜନା ହିତାଧିକାରୀଙ୍କୁ ତୁରନ୍ତ ସହାୟତା ପ୍ରଦାନ ନିମନ୍ତେ ନିୟମାବଳୀରେ ପରିବର୍ତ୍ତନ କରାଯାଉଅଛି । ପୂର୍ବରୁ ହିତାଧିକାରୀଙ୍କୁ ଠିକ ସମୟରେ ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ ନିମନ୍ତେ ପ୍ରତି ଗ୍ରାମପଞ୍ଚାୟତ ମାନଙ୍କୁ 15,000 ଟଙ୍କା ଲେଖାଏଁ Revolving Fund ପ୍ରଦାନ କରାଯାଇଥିଲା । ମାତ୍ର ଏବେ ଏହି ରାଶିକୁ 50,000 ଟଙ୍କା କୁ ବୃଦ୍ଧିକରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ ହିତାଧିକାରୀମାନେ ହରିଶ୍ଚନ୍ଦ୍ର ସହାୟତା ରାଶି ପାଇବାରେ ଅର୍ଥ ବାଧକ ହେବ ନାହିଁ।
ଏହି ଯୋଜନାର ଏହିସବୁ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକୁ ଆଖି ଆଗରେ ରଖି, 2025-26 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ନିମନ୍ତେ ରାଜ୍ୟ ସରକାରଙ୍କ ଅଂଶଦାନକୁ, ପୂର୍ବ ବର୍ଷର 60 କୋଟି ତୁଳନା’ରେ 8 ପ୍ରତିଶତ ବୃଦ୍ଧି କରି 65 କୋଟି ଟଙ୍କା ବ୍ୟୟବରାଦ କରାଯାଇଅଛି। ଏହାଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଲୋକମାନଙ୍କର ଆବଶ୍ୟକତା ପାଇଁ ଅର୍ଥ ପ୍ରଦାନ କରିବାରେ ପ୍ରତିବନ୍ଧକ ରହିବ ନାହିଁ।ଓଡିଶାର ଯୁବବର୍ଗଙ୍କୁ ରୋଜଗାର ତଥା ଚାକିରି ପ୍ରଦାନ କରିବା ନିମନ୍ତେ ଆମ ସରକାର ବଦ୍ଧପରିକର। ନୂତନ ସରକାର ଆସିବାପରେ 12.06.2024 ରୁ 18.03.2025 ମଧ୍ୟରେ 26 ହଜାର 134 ଜଣ ପ୍ରାର୍ଥୀଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯାଇଅଛି । ଅବଶିଷ୍ଟ ଖାଲିଥିବା 85 ହଜାର 434 ଗୋଟି ମୂଳ ପଦବୀରୁ 40 ହଜାର 854 ଗୋଟି ପଦବୀକୁ ସିଧାସଳଖ ନିଯୁକ୍ତି ପ୍ରକ୍ରିୟା ଦ୍ଵାରା ପୂରଣ କରାଯିବାପାଇଁ Empowered Committee ବା Appropriate Authorityଙ୍କ ଦ୍ଵାରା ଅନୁମୋଦନ କରାଯାଇଅଛି ଏବଂ ଏହି ଅନୁମୋଦିତ ପଦବୀରୁ 33 ହଜାର 802 ଗୋଟି ପଦବୀକୁ ସମ୍ପୃକ୍ତ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାକୁ ନିଯୁକ୍ତି ପ୍ରକ୍ରିୟା ସମ୍ପାଦନ କରିବା ନିମନ୍ତେ ପ୍ରେରଣ କରାଯାଇଅଛି।
ଅଗ୍ନିବୀରମାନଙ୍କ ପାଇଁ ସରକାରୀ ଚାକିରି କ୍ଷେତ୍ରରେ 10 ପ୍ରତିଶତ ସମାନ୍ତରାଳ ସଂରକ୍ଷଣ ଦେବାପାଇଁ ଆମ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି ।
ନିଯୁକ୍ତି ପାଇଁ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ବିଭିନ୍ନ ପ୍ରକାରର ଅସାଧୁ ଉପାୟକୁ ରୋକିବା ଯଥା ମିଥ୍ୟା ପରିଚୟ ପ୍ରଦାନ, ଠକେଇ ଏବଂ ପରୀକ୍ଷା ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରିବା, ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଘଟ କରିବା, ଅନଧିକୃତ ଲୋକଙ୍କୁ ପରୀକ୍ଷା ହଲ ଭିତରକୁ ପ୍ରବେଶରୁ ରୋକିବା ଇତ୍ୟାଦିକୁ ନଜରରେ ରଖି ଭାରତ ସରକାର ପ୍ରଣିତ କରିଥିବା ଆଇନ ଆଧାରରେ ଆମ ସରକାର “Odisha Public Examinations (Prevention of Unfair Means) Act, 2024” ପ୍ରଣୟନ କରିଛନ୍ତି । ପରୀକ୍ଷାକୁ ବ୍ୟାପାର କରୁଥିବା ଅଧିକାରୀ, ବଣିକଙ୍କ ପାଇଁ ଏହା ଏକ strict warning। ଗତ ବର୍ଷମାନଙ୍କରେ ପରୀକ୍ଷାର୍ଥୀଙ୍କ ସବୁଠାରୁ ବଡ଼ ଅଭିଯୋଗ ଏହାଦ୍ବାରା ଦୂର ହୋଇ ପାରିଛି।
ମୃତ ସରକାରୀ କର୍ମଚାରୀଙ୍କ ଝିଅ କିମ୍ବା ସାବତ ଝିଅମାନଙ୍କୁ (ସେମାନଙ୍କ ବିବାହ ସ୍ଥିତି ନିର୍ବିଶେଷରେ) ଯଦି ସେମାନେ ସେମାନଙ୍କ ପିତାମାତାଙ୍କ ଉପରେ ନିର୍ଭରଶୀଳ ବୋଲି ପ୍ରମାଣିତ ହୋଇଥାଏ, ତେବେ ସେମାନଙ୍କୁ ବର୍ଗ-‘ଘ’ ପଦବୀରେ ଅନୁକମ୍ପା ମୁଳକ ନିଯୁକ୍ତି ନିମନ୍ତେ ନିୟମାନୁଯାୟୀ ବିଚାର କରାଯିବ ବୋଲି ବ୍ୟବସ୍ଥା କରାଯାଇଅଛି ।
ଓଡିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦ର ନିୟମ ୬(୯) ଅନୁସାରେ, ଓଡ଼ିଶା ଗେଜେଟରେ ଏହି ନିୟମାବଳୀର ପ୍ରକାଶନ ତାରିଖ ସୁଦ୍ଧା ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ସମସ୍ତ ବିଚାରାଧୀନ ଆବେଦନଗୁଡ଼ିକ ଏହି ନିୟମାବଳୀରେ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ସମାଧାନ କରାଯିବାର ବ୍ୟବସ୍ଥା ଥିଲା । ଆମ ସରକାର ଏହି ନିୟମକୁ ତା. ୨୦.୦୩.୨୦୨୫ରିଖରେ କ୍ୟାବିନେଟରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସଂଶୋଧନ ନିୟମାବଳୀ ଅନୁଯାୟୀ ଓଡିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦ ବଳବତ୍ତର ହେବା ପୁର୍ବରୁ ବିଚାରାଧିନ ଥିବା ସମସ୍ତ ଆବେଦନଗୁଡ଼ିକୁ କର୍ମଚାରୀଙ୍କ ମୃତ୍ୟୁ ସମୟରେ ପ୍ରଚଳିତ ଥିବା ପୁନର୍ବାସ ସହାୟତା ଯୋଜନା ଅନୁସାରେ ନିଯୁକ୍ତି ନିମନ୍ତେ ବିଚାର କରାଯିବ। ଏହାଦ୍ବାରା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦ ର ନିୟମ ୬(୯) ଅନୁସାରେ ଖାରଜ ହୋଇଥିବା ଆବେଦନ ଗୁଡ଼ିକର ପୁନର୍ବିଚାର କରାଯାଇ ଯୋଗ୍ୟ ଆବେଦନକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇପାରିବ।
ରାଜ୍ୟରେ ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS) ପରୀକ୍ଷା ଆଶାୟୀଙ୍କର ଆଶା ଓ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଆମ ସରକାର ଓଡ଼ିଶା ସିଭିଲ୍ ସର୍ଭିସେସ୍ (ସମ୍ମିଳିତ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା) ନିୟମ, 1991 ଅନୁଯାୟୀ ନିର୍ଦ୍ଧାରିତ ଉଚ୍ଚ ବୟସ ସୀମା ଅତିକ୍ରାନ୍ତ କରିଥିବା ଅଥବା ପ୍ରୟାସ ସମାପ୍ତ ହେବା ଯୋଗୁଁ OCSE-2024 ପରୀକ୍ଷା ଦେଇ ପାରୁନଥିବା ଛାତ୍ରଛାତ୍ରୀମାନଙ୍କୁ OCSE-2024 ପରୀକ୍ଷା ଦେବା ପାଇଁ ଆଉ ଏକ ଅତିରିକ୍ତ ସୁଯୋଗ ( Compensatory attempt) ପ୍ରଦାନ କରିଛନ୍ତି । ଏତଦ୍ୱାରା, ବୟସ ସୀମା ଅତିକ୍ରାନ୍ତ କରିଥିବା ରାଜ୍ୟର ଅନେକ ଆଶାୟୀ ପରୀକ୍ଷାର୍ଥୀ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ଆଉ ଏକ ଅତିରିକ୍ତ ସୁଯୋଗ ପାଇବେ ।
ଆଉଟସୋର୍ସିଂ କର୍ମଚାରୀ ଏବଂ ସେବା ପ୍ରଦାନକାରୀ ସଂସ୍ଥା ମାନଙ୍କ ସୁଗମ ପରିଚାଳନା ପାଇଁ ଏକ ଉପଭୋକ୍ତା-ଅନୁକୂଳ ସଫ୍ଟୱେୟାର ବ୍ୟବସ୍ଥା କରାଯାଇଅଛି । ଅଣ-ସରକାରୀ / ସରକାରୀ ସହାୟକ ଅନୁଷ୍ଠାନଗୁଡ଼ିକର କର୍ମଚାରୀଙ୍କ ମାନବ ସମ୍ବଳ କାର୍ଯ୍ୟକଳାପକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ପାଇଁ HRMS ପରି ଏକ ପୃଥକ ଆପ୍ଲିକେଶନ Online Personnel Management System (OPMS)ପ୍ରସ୍ତୁତ କରାଯାଇଅଛି |
ବାଣିଜ୍ୟିକ ଭଡା ଲେଜର୍ ମଡ୍ୟୁଲ୍ ନାମକ ଏକ ନୂତନ ସାଧନର ବିକାଶ କରାଯାଇଅଛି | ଏହି ମଡ୍ୟୁଲ୍କୁ ବ୍ୟବସାୟିକ ଅଟ୍ଟାଳିକାର ବକେୟା ଭଡା ଦେୟଗୁଡିକୁ ଶୃଙ୍ଖଳିତ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହା ରିଅଲ୍-ଟାଇମ୍ ଆଧାରରେ ଅପଡେଟ୍ ଦେବ ଏବଂ ସାମ୍ପ୍ରତିକ ସୂଚନାକୁ ସହଜରେ ହିତାଧିକାରୀଙ୍କ ପାଖରେ ପହଞ୍ଚାଯାଇପାରିବ।
ରାଜଧାନୀରେ ସରକାରୀ କର୍ମଚାରୀଙ୍କ ସରକାରୀ ବାସଭବନ ଆବଶ୍ୟକତାକୁ ପୁରଣକରିବା ପାଇଁ ଭୁବନେଶ୍ବରର ୟୁନିଟ-8 ରେ ନିର୍ମାଣଧୀନ 132 ଗୋଟି ଟାଇପ-2 ବାସଗୃହ, ୟୁନିଟ-4 ର ପୁରୁଣା ଏ.ଜି. କଲୋନୀ ଠାରେ ନିର୍ମାଣଧୀନ 84 ଗୋଟି ଟାଇପ-4 ବାସଗୃହ ଓ 170 ଗୋଟି ଟାଇପ-6 ବାସଗୃହ ନିମନ୍ତେ 2025-26 ଆର୍ଥିକ ବର୍ଷରେ, 15 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଅଛି । ଏତଦ୍ ବ୍ୟତୀତ, ଜି.ଏ. ପୁଲ ସରକାରୀ ବାସଭବନ ଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଚଳିତ ବର୍ଷ 52 କୋଟି 86 ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ।
ମୁଁ ଯେତେବେଳେ ପ୍ରଥମ ବିଧାୟକ ରୂପେ ନିର୍ବାଚିତ ହେଲି, ଏମଏଲଏ କଲୋନୀରେ ଥିବା ଏକ ସରକାରୀ ଗୃହରେ ରହୁଥିଲି। ସେତେବେଳେ, ଏମଏଲଏ କଲୋନୀରେ ଥିବା ଗୃହ ଗୁଡିକର ଅବସ୍ଥା ସେତେ ଭଲ ନଥିଲା। ଏହାକୁ ହୃଦୟଙ୍ଗମ କରି, ଏମଏଲଏ କଲୋନୀରେ ବିଧାୟକ ମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଗୃହ ଗୁଡିକର ମରାମତି ନିମନ୍ତେ 2025-26 ଆର୍ଥିକ ବର୍ଷ ପାଇଁ 10 କୋଟି ଟଙ୍କାର ବ୍ୟୟବରାଦ କରାଯାଇଅଛି। ଏତଦ୍ ବ୍ୟତୀତ, ବିଧାୟକ ମାନଙ୍କ ପାଇଁ ନୂତନ ଭାବରେ ବହୁତଳ ବିଶିଷ୍ଟ ସରକାରୀ ବାସଗୃହ ନିର୍ମାଣ କରାଯାଉଅଛି।
ଆମ ଭୁବନେଶ୍ଵର ଏକ ବିକଶିତ ସହର ହିସାବରେ ସମଗ୍ର ଭାରତ ବର୍ଷରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଭୁବନେଶ୍ବରରେ ଜମିର ମୂଲ୍ୟ ବର୍ତ୍ତମାନ ଆକାଶ ଛୁଆଁ ହେଲାଣି। ଅଧିକନ୍ତୁ ଅସାଧୁ ବ୍ୟକ୍ତିମାନଙ୍କ ଦ୍ଵାରା ଜମି ଜବରଦଖଲ ହେବା ସରକାରଙ୍କ ନଜରକୁ ଆସୁଛି। ବିଗତ 24 ବର୍ଷ ମଧ୍ୟରେ, ଏହି ଦିଗରେ ବିଭିନ୍ନ ମହଲରୁ ଅନେକ ଅଭିଯୋଗ ଆସୁଛି। ସରକାର ଏହି ଦିଗ ପ୍ରତି ସଜାଗ ଅଛନ୍ତି, ଏବଂ ଆମେ ଏହାକୁ ସମୀକ୍ଷା କରୁଛୁ। ଯଦି କିଛି ଅନିୟମିତତା ଦୃଷ୍ଟିଗୋଚର ହୁଏ, ତେବେ ଉଭୟ ଦୋଷୀ ଅଧିକାରୀ ଏବଂ ଲାଭ ଉଠାଇଥିବା ହିତାଧିକାରୀ ଏବେଠୁ ପ୍ରସ୍ତୁତ ହୋଇଥାନ୍ତୁ, ନିଶ୍ଚିତ ଭାବେ ପଦକ୍ଷେପ ଗ୍ରହଣ କରାଯିବ।
ଭୁବନେଶ୍ବରର ସରକାରୀ ଜମିର ନିୟନ୍ତ୍ରଣ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ରହିଛି। Odisha Government Land Settlement (Second Amendment) Rules, 2020, ର ପ୍ରାବଧାନ ଅନୁସାରେ ସରକାରୀ ଜମି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ଯୋଗାଇ ଦିଆଯାଇ ଥାଏ । ସରକାରୀ ଜାଗାର ଆବଣ୍ଟନ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ପାଇଁ ଏହି ନିୟମାବଳୀର ଆବଶ୍ୟକୀୟ ସଂଶୋଧନ କରିବା ପ୍ରସ୍ତାବ ସରକାରଙ୍କ ବିଚାରାଧିନ ଅଛି।
ଏତଦ୍ ବ୍ୟତୀତ, ସରକାରୀ ସମ୍ପତ୍ତିର ଉପଯୁକ୍ତ ରକ୍ଷଣାବେକ୍ଷଣ ନିମନ୍ତେ, ଅବରୋଧପ୍ରବଣ ସ୍ଥାନମାନଙ୍କର ଚିହ୍ନଟ କରାଯାଇ, Central Enforcement Monitoring Committee (C.E.M.C.) ମାଧ୍ୟମରେ ଉଚ୍ଛେଦ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ଆବଶ୍ୟକ ସ୍ଥଳେ Boundary Wall ନିର୍ମାଣ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଉଅଛି। ଏହି ବାବଦକୁ 2025-26 ବର୍ଷ ବଜେଟରେ 10 କୋଟି 88 ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଅଛି।
ସରକାରୀ କର୍ମଚାରୀମାନଙ୍କ ଦକ୍ଷତା ବିକାଶ ନିମନ୍ତେ ବିଭିନ୍ନ ପ୍ରଶିକ୍ଷଣ କାର୍ଯକ୍ରମ ତଥା ବିଭିନ୍ନ ରାଜ୍ୟମାନଙ୍କରେ ପ୍ରଚଳିତ ପ୍ରଶାସନିକ କୌଶଳ ସହ ପରିଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଅଛି । ଏଥିନିମନ୍ତେ, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀକୁ ଏକ ଆନ୍ତର୍ଜାତିକ ପ୍ରଶିକ୍ଷଣ ପ୍ରତିଷ୍ଠାନ ରୂପେ ବିକଶିତ କରିବା ପାଇଁ ନିଷ୍ପତି ନିଆଯାଇଅଛି । କେନ୍ଦ୍ର ସରକାରଙ୍କର “ମିଶନ କର୍ମଯୋଗୀ” କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ “Integrated Government Online Training ବା iGOT” ପ୍ଲାଟଫର୍ମର ଓଡିଶାରେ କାର୍ଯ୍ୟାନ୍ୱୟନ କରାଯାଉଛି । ଏହି ପ୍ଲାଟଫର୍ମ ମାଧ୍ୟମରେ, କେନ୍ଦ୍ର ସରକାର ତଥା ଅନ୍ୟ ପ୍ରମୁଖ ପ୍ରଶାସନିକ ତାଲିମ ପ୍ରତିଷ୍ଠାନମାନଙ୍କ ଦ୍ଵାରା ପ୍ରସ୍ତୁତ ଉତ୍କୃଷ୍ଟମାନର ତାଲିମର ଲାଭ ଓଡିଶାର ସମସ୍ତ ସରକାରୀ କର୍ମଚାରୀ ଉଠାଇପାରିବେ ଏବଂ ଏହାଦ୍ବାରା ଓଡିଶା ସରକାରଙ୍କ ପ୍ରଶାସନିକ ଗୁଣବତ୍ତା ନିଶ୍ଚିତ ଭାବରେ ବୃଦ୍ଧି ପାଇବ।
ଗୋପବନ୍ଧୁ ପ୍ରଶାସନ ଏକାଡେମୀ ପରିସରରେ ଗୋଟିଏ ହଷ୍ଟେଲ ଓ କମନ ଫେସିଲିଟି ସେନ୍ଟର ଏବଂ ଆଉ ଗୋଟିଏ 60 ଶଯ୍ୟା ବିଶିଷ୍ଟ ଏକଜିକ୍ୟୁଟିଭ ହୋଷ୍ଟେଲ ତିଆରି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ବାବଦରେ 2025-26 ଆର୍ଥିକ ବର୍ଷରେ, 60 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଅଛି। ଏଥି ସହିତ ପ୍ରଶାସନରେ ବୈଷୟିକ ଜ୍ଞାନ କୌଶଳକୁ ବହୁଳ ଭାବେ ପ୍ରୟୋଗ କରାଯିବ ଯାହାଦ୍ୱାରା ଖର୍ଚ୍ଚ କମିବା ସହିତ ଏହା ଲୋକାଭିମୁଖୀ, ସ୍ଵଚ୍ଛ, ସରଳ ଏବଂ ପାରଦର୍ଶୀ ହୋଇପାରିବ।
ସରକାରୀ କର୍ମଚାରୀମାନଙ୍କର ବଦଳି ନୀତିରେ ପାରଦର୍ଶିତା ଆଣିବା ପାଇଁ, ପ୍ରଶାସନିକ ଆବଶ୍ୟକତା ଓ କର୍ମଚାରୀମାନଙ୍କ ମଙ୍ଗଳକୁ ଦୃଷ୍ଟିରେ ରଖି ସରକାର ଏକ ନୂତନ ବଦଳି ନୀତି ଆଣିବାକୁ ଯାଉଅଛନ୍ତି । ପୂର୍ବରୁ ରାଜନୈତିକ ଛାତ୍ରଛାୟା ତଳେ ବହୁବର୍ଷ ଧରି ରହିଥିବା ସରକାରୀ ଅଧିକାରୀମାନଙ୍କର ବଦଳି ପାଇଁ ଆମେ ପଦକ୍ଷେପ ନେଉଛୁ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପାଇଁ 2025-26 ଆର୍ଥିକ ବର୍ଷ ନିମନ୍ତେ ମୋଟ 707 କୋଟି 4 ଲକ୍ଷ 89 ହଜାର ଟଙ୍କାର ଦାବି ଗୃହରେ ଉପସ୍ଥାପନ କରାଯାଇଛି। ସେଥିରୁ ପ୍ରଶାସନିକ ବ୍ୟୟ ନିମନ୍ତେ 484 କୋଟି 93 ଲକ୍ଷ 99 ହଜାର ଓ କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ 222 କୋଟି 10 ଲକ୍ଷ 90 ହଜାର ଟଙ୍କା ରହିଛି। ମୁଁ ଏହି ଅନୁଦାନ ଦାବିକୁ ଗୃହରେ ପାରୀତ କରିବା ପାଇଁ ପ୍ରସ୍ତାବ ରଖୁଛି।