
-
ପ୍ରଶିକ୍ଷିତ ହେବେ ୧ ଲକ୍ଷରୁ ଅଧିକ ବୁଥ୍ ସ୍ତରୀୟ ଅଧିକାରୀ
ନୂଆଦିଲ୍ଲୀ/ଭୁବନେଶ୍ୱର– ନୂଆଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ଡକ୍ଟର ବିବେକ ଜୋଶୀଙ୍କ ସହ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ମାନଙ୍କ ପାଇଁ ଆୟୋଜିତ ପ୍ରଥମ ତାଲିମକୁ ଉଦଘାଟନ କରିଛନ୍ତି। ଆଗାମୀ କିଛି ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ (ହାରାହାରି ପ୍ରତି ୧୦ଟି ମତଦାନ କେନ୍ଦ୍ରରେ ଗୋଟିଏ ବୁଥ୍ ସ୍ତରୀୟ ଅଧିକାରୀ) ଏପରି ତାଲିମ କାର୍ଯ୍ୟକ୍ରମରେ ପ୍ରଶିକ୍ଷିତ କରାଯିବ । ଏହି ସୁପ୍ରଶିକ୍ଷିତ ବୁଥ୍ ସ୍ତରୀୟ ଅଧିକାରୀମାନେ ଦେଶବ୍ୟାପୀ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କର ସମଗ୍ର ନେଟୱାର୍କକୁ ସୁଦୃଢ଼ କରିବା ପାଇଁ ବିଧାନସଭାସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କ ସଂଘ ଗଠନ କରିବେ, ଯେଉଁମାନେ ୧୦୦ କୋଟି ଭୋଟର ଏବଂ ଭାରତୀୟ ନିର୍ବାଚନ ଆୟୋଗ ମଧ୍ୟରେ ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ସାବ୍ୟସ୍ତ ହେବେ ।
ଏହି ଅନନ୍ୟ କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଜାରି ରହିବ ଏବଂ ପ୍ରଥମେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ଉପରେ ଧ୍ୟାନ ଦିଆଯିବ । ବର୍ତମାନ, ବିହାର, ପଶ୍ଚିମବଙ୍ଗ ଏବଂ ଆସାମରୁ ୧୦୯ ଜଣ ବୁଥ୍ ସ୍ତରୀୟ ଅଧିକାରୀ ଏହି ୨-ଦିନିଆ ଆବାସିକ ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଏହା ସହିତ ବିହାର, ପଶ୍ଚିମବଙ୍ଗ, ଆସାମ, କେରଳ, ପୁଡୁଚେରୀ ଏବଂ ତାମିଲନାଡୁରୁ ୨୪ ଜଣ ନିର୍ବାଚନ ରେଜିଷ୍ଟ୍ରେସନ ଅଧିକାରୀ ଏବଂ ୧୩ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ ମଧ୍ୟ ଅଂଶଗ୍ରହଣ କରୁଛନ୍ତି ।
ଏହି ତାଲିମ କାର୍ଯ୍ୟକ୍ରମର ଯୋଜନା ହେଉଛି ବୁଥ୍ ସ୍ତରୀୟ ଅଧିକାରୀମାନଙ୍କୁ ଜନପ୍ରତିନିଧି ଆଇନ, ୧୯୫୦, ନିର୍ବାଚନ ପଞ୍ଜୀକରଣ ନିୟମ ୧୯୬୦ ଏବଂ ସମୟ ସମୟରେ ଜାରି ହୋଇଥିବା ମୁଖ୍ୟ ନିର୍ବାଚନ କମିଶନରଙ୍କର ନିର୍ଦ୍ଦେଶାବଳୀ ଅନୁଯାୟୀ ସେମାନଙ୍କର ଭୂମିକା ଏବଂ ଦାୟିତ୍ୱ ସହିତ ପରିଚିତ କରାଇବା ଏବଂ ଭୋଟର ତାଲିକାର ତ୍ରୁଟିମୁକ୍ତ ଅଦ୍ୟତନ ପାଇଁ ପ୍ରାସଙ୍ଗିକ ଫର୍ମ ପୂରଣ କରିବାର ଆବଶ୍ୟକତା ସହ ମଧ୍ୟ ସେମାନଙ୍କୁ ସୁସଜ୍ଜିତ କରାଯିବ । ସେମାନଙ୍କ କାର୍ଯ୍ୟକୁ ସହାୟତା ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଥିବା ସୂଚନା ପ୍ରଯୁକ୍ତି ଆପ୍ଲିକେସନ୍ ସହିତ ମଧ୍ୟ ସେମାନଙ୍କୁ ପରିଚିତ କରାଯିବ ।
ବୁଥ୍ ସ୍ତରୀୟ ଅଧିକାରୀମାନେ ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅନୁମୋଦନ ପରେ ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି । ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଭୋଟର ତାଲିକାର ତ୍ରୁଟିମୁକ୍ତ ଅଦ୍ୟତନ କ୍ଷେତ୍ରରେ ନିର୍ବାଚନ ରେଜିଷ୍ଟ୍ରେସନ ଅଧିକାରୀ ଏବଂ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ଗୁରୁତ୍ୱାରୋପ କରିଥିଲେ ଯେ ରାଜ୍ୟ ସରକାରମାନେ ସବ ଡିଭିଜନାଲ ମାଜିଷ୍ଟ୍ରେଟସ୍ତରୀୟ କିମ୍ବା ସମକକ୍ଷ ଅଧିକାରୀମାନଙ୍କୁ ସେମାନଙ୍କ ବରିଷ୍ଠତାକୁ ବିଚାର କରି ନିର୍ବାଚନ ପଞ୍ଜିକରଣ ଅଧିକାରୀ ଭାବରେ ମନୋନୀତ କରିବା ଉଚିତ ଏବଂ ସେମାନଙ୍କ ଦାୟିତ୍ୱରେ ଥିବା ମତଦାନ କେନ୍ଦ୍ର ଅନୁଯାୟୀ ଏକ ସାଧାରଣ ବାସିନ୍ଦାକୁ ବୁଥ୍ ସ୍ତରୀୟ ଅଧିକାରୀ ଭାବେ ନିଯୁକ୍ତ କରିବା ଉଚିତ ।
ମୁଖ୍ୟ ନିର୍ବାଚନ କମିଶନର ଗୁରୁତ୍ୱାରୋପ କରିଥିଲେ ଯେ ସମ୍ବିଧାନର ଧାରା ୩୨୬ ଏବଂ ଜନପ୍ରତିନିଧି ଆଇନ, ୧୯୫୦ ର ଧାରା ୨୦ ଅନୁଯାୟୀ, କେବଳ ୧୮ ବର୍ଷରୁ ଅଧିକ ବୟସର ଏବଂ ସାଧାରଣତଃ ନିର୍ବାଚନମଣ୍ଡଳୀରେ ବାସ କରୁଥିବା ଭାରତର ନାଗରିକମାନେ ଭୋଟର ଭାବରେ ପଞ୍ଜୀକୃତ ହୋଇପାରିବେ।
ସେ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ, ନିର୍ବାଚନ ରେଜିଷ୍ଟ୍ରେସନ ଅଧିକାରୀମାନଙ୍କୁ ସେମାନଙ୍କ ସ୍ତରରେ ସର୍ବଦଳୀୟ ବୈଠକ କରିବା ଏବଂ ଭୋଟର ତାଲିକାର ସଠିକ୍ ଅଦ୍ୟତନ ସମେତ ସେମାନଙ୍କ କ୍ଷେତ୍ରାଧିକାର ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବା ପାଇଁ ତାଙ୍କ ନିର୍ଦ୍ଦେଶକୁ ପୁନଃ ମନେ ପକାଇଥିଲେ । ସେ ଏହା ମଧ୍ୟ ସତର୍କ କରାଇଥିଲେ ଯେ ନିର୍ବାଚନ ରେଜିଷ୍ଟ୍ରେସନ ଅଧିକାରୀ କିମ୍ବା ବୁଥ୍ ସ୍ତରୀୟ ଅଧିକାରୀଙ୍କ ବିରୁଦ୍ଧରେ ଯେ କୌଣସି ଅଭିଯୋଗ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ କହିଥିଲେ ଯେ ଭୋଟର ତାଲିକାର ଅଦ୍ୟତନ ପାଇଁ ଘର ଘର ଯାଞ୍ଚ ସମୟରେ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ଭୋଟରଙ୍କ ସହିତ ଭଦ୍ର ଭାବରେ ଆଲୋଚନା କରିବା ଉଚିତ ।