
ବଲାଙ୍ଗିର, ସରକାର ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି । କୋଟି କୋଟି ଅର୍ଥରାଶି ବ୍ୟୟବରାଦ କରି ଲୋକଙ୍କ ମନରେ ହସ ଫୁଟାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚେଷ୍ଟା ଜାରି ରଖିଛନ୍ତି । ହେଲେ ଅଫିସର, ସ୍ଥାନୀୟ ପ୍ରତିନିଧି ଓ ଠିକାଦାରଙ୍କ ମନମୁଖ୍ କାରଣରୁ ଦୁର୍ଦ୍ଦଶା ଭୋଗୁଛନ୍ତି ସାଧାରଣ ଜନତା । ବିକାଶ ନାଁରେ ବ୍ୟବସ୍ଥା ସରିଛି । ବ୍ୟବସ୍ଥା ସରି ବର୍ଷ ବର୍ଷ ସରି ଯାଇଥିଲେ ହେଁ ବିକାଶର ସୂର୍ଯ୍ୟୋଦୟ ଦେଖି ପାରିନାହାନ୍ତି ଲୋକେ । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ୍ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ଗାଁରେ ବିଗତ ୫ ବର୍ଷ ହେବ ପାନୀୟ ଜଳର ସୁବ୍ୟବସ୍ଥା ପାଇଁ ସରକାର ଏଠାରେ ଓଭର ହେଡ଼ ଟାଙ୍କି ନିର୍ମାଣ କରିଥିଲେ । ହେଲେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନଥିବାରୁ ଲୋକେ
ପାନୀୟ ଜଳ ପାଇବାରୁ ବଞ୍ଚିତ ରହିଛନ୍ତି । ତେବେ କେଉଁ କାରଣରୁ ହିଆଁଲକୁ ପାଣି ଆସି ପାରୁନାହିଁ ସେନେଇ ସମାଧାନ ଏଯାଏଁ କରି ପାରିଲେ ନାହିଁ । ଲୋକଙ୍କ କହିବା ଅନୁଯାୟୀ, ୨୦୨୧ ରେ ଏହି ପାଣି ଟାଙ୍କି ନିର୍ମାଣ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ସେହି ଦିନଠାରୁ ହିଆଁଲବାସୀଙ୍କୁ ପାଣି ମିଳିନାହିଁ । ସରକାର ଗ୍ରାମାଞ୍ଚଳକୁ ପିଇବା ପାଣି ଯୋଗାଇ ଦେବାକୁ ନେଇ ଡିଣ୍ଡିମ ପିଟୁଛନ୍ତି । ସଭା ସମିତିରେ ନେତା ପାନୀୟ ଜଳ ଯୋଗାଣକୁ ନେଇ ନିଜ ଅବଦାନକୁ ନିଜେ ବଖାଣୁଛନ୍ତି । ହେଲେ ନେତାଙ୍କ ଭାଷଣ ଗୋଟିଏ ପଟେ ଓ ବାସ୍ତବତା ଆଉ ଗୋଟିଏ ପଟେ ରହୁଛି । ଏହାକୁ ନେଇ ହିଆଁଲ ବାସୀ ବାରମ୍ବାର ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ । ଖୋଦ୍ କଣ୍ଟାବାଞ୍ଜି ବିଧାୟକ ଏହି ପଞ୍ଚାୟତର ନିବାସୀ ହୋଇଥିବା ବେଳେ ଏହି ଗ୍ରାମରେ ପାଣି ସମସ୍ୟା ପ୍ରତି ଦୃଷ୍ଟି ଦେଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି । ଏନେଇ କନିଷ୍ଠ ଯନ୍ତ୍ରୀଙ୍କୁ ସମ୍ପର୍କ କଲେ ସୁଦ୍ଧା ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ । ହେଲେ ହିଆଁଳବାସୀ ପାଣି ପାଉନଥିବା ପ୍ରକାଶ କରିଛନ୍ତି । ସେହିପରି ଓଭର୍ ହେଡ୍ ଟାଙ୍କି ଅଧୀନରେ ବିଭିନ୍ନ ଗାଁକୁ ଦିଆଯାଇଥିବା ପାଣି ପାଇପ୍ ମାଟି ତଳେ ନଷ୍ଟ ହୋଇଥିବା ଜଣାପଡିଛି । କେତେ ଠିକାଦାର ଖର୍ଚ୍ଚ କରିଛନ୍ତି ଓ କେତେ ଚଳୁ କରିଛନ୍ତି ତାହା ଭିଜିଲାନ୍ସ ତଦନ୍ତ ସାପେକ୍ଷ । ଲୋକେ ଅଭିଯୋଗ କରିଛନ୍ତି ଯେ, ଟାଙ୍କିର ପାଣି ମୋଟର ଠିକ୍ ଥିଲେ ହେଁ ମାଟିରେ ପୋତା ଯାଇଥିବା ସମସ୍ତ ନକଲି ପାଇପ୍ କାରଣରୁ ପାଣି ଛାଡ଼ିଲେ ପାଇପ୍ ଫାଟି ପାଣି ବାହାରକୁ ଯାଉଛି । ତେଣୁ ପାଣି ଯୋଗାଇ ଦେବାରେ ସମ୍ଭବ ହେଉନାହିଁ । ହିଆଳ ଗ୍ରାମବାସୀଙ୍କୁ କେବେ ମିଳିବ ପାଣି ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥି ପ୍ରତି ଜିଲାପାଳ ଦୃଷ୍ଟି ଦେବା ସହ ଏହାର ଭିଜିଲାନ୍ସ ତଦନ୍ତ କରି ଦୁର୍ନୀତିକୁ ସାମ୍ନାକୁ ଆଣନ୍ତ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।