
ମାଲକାନଗିରି– ମାଲକାନଗିରି ଜିଲ୍ଳା କାଲିମେଳା ବନାଞ୍ଚଳ ସଭାକକ୍ଷ ଠାରେ କାଲିମେଳା ଓ ମୋଟୁ ବନାଞ୍ଚଳର ବନ ସୁରକ୍ଷା ସମିତି ସଭ୍ୟଙ୍କୁ ଆଜି ଜିଆଖତ ଚାଷ ଓ ଏହାର ଲାଭକୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଭୁବନେଶ୍ୱରରୁ ଆସିଥିବା ଗ୍ରାମୀଣ ଉତ୍ପାଦନ ବ୍ୟବସାୟିକ ସଂସ୍ଥାର ନିର୍ଦେଶକ ପ୍ରଫୁଲ୍ଲ ବିଷୋୟୀଙ୍କ ତତ୍ୱାବଧାନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କିଭଳି ମାତ୍ର ୪ ହଜାର ଟଙ୍କା ଜିଆଖତରେ ବିନିଯୋଗ କରି ବାର୍ଷିକ ୪୦ ହଜାର ଟଙ୍କା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଏହାସହ ଆବର୍ଜନା ଓ ଗୋବରରୁ ଜିଆଖତ ପ୍ରସ୍ତୁତି ପ୍ରଣାଳୀ ବାବଦରେ କହିବା ଏବଂ ଜିଆଖତ ଗୁଡିକ କିପରି ଜମିର ଉର୍ବରତା ବଢ଼ିବାରେ ସହାୟକ ହୋଇପାରିବ ସେ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଅନ୍ୟପକ୍ଷରେ ରାସାୟନିକ ସାର ବ୍ୟବହାରକୁ ପରିଣାମ ଓ ଏହାଦ୍ବାରା ଶରୀରରେ ହେଉଥିବା ବିଭିନ୍ନ ରୋଗ ଓ ସଂକ୍ରମଣ ବାବଦରେ ବୁଝାଇଥିଲେ । ଶେଷରେ ଜିଆଖତ ଅମଳ ପରେ ସେଗୁଡ଼ିକ ଏଜେନ୍ସି ମାଧ୍ୟମରେ ବିକ୍ରି କରିବା ପାଇଁ ସୁବିଧା ସମ୍ପର୍କରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଅବଗତ କରାଇଥିଲେ । ଏଵଂ ଏହି ପ୍ରଶିକ୍ଷଣରେ ଯୋଗଦେଇଥିବା ୪୦ରୁ ଉର୍ଦ୍ଧ୍ବ ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟଙ୍କୁ ଜିଆଖତ ପ୍ରସ୍ତୁତି ପାଇଁ ଆବଶ୍ୟକ କିଟବ୍ୟାଗ ବଣ୍ଟନ କରାଯାଇଥିଲା ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁ କାଲିମେଳା ବନପାଳ ମୃତୁଞ୍ଜୟ ସେଠି ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଲିମେଳା ଓ ମୋଟୁ ବନାଞ୍ଚଳର ବହୁ ବନପାଳ ଓ ବନରକ୍ଷୀ ଉପସ୍ଥିତ ରହିଥିବା ବେଳେ ସହଯୋଗୀ ଏନଜିଓ ସୃଷ୍ଟି ର କର୍ମକର୍ତା ଟିମ ଲିଡ଼ର ବି. ଶ୍ରୀନିବାସ ପାତ୍ର, ମୋଟୁ ଟିମ ଲିଡ଼ର ଅଭିମନ୍ୟୁ ନାୟକ, ଡିଇଓ ସୁବ୍ରତ ସ୍ୱାଇଁ, ଏନ. ରବି କୁମାର ଓ ପଲାସ ବିଶ୍ଵାସ ଉପସ୍ଥିତ ରହିଥିଲେ ।