ଜୟପୁର- ଜୟପୁର ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ସଂଯୋଗ କରାଯାଇଛି । ଏହି ସିସି କ୍ୟାମେରା ସଂଯୋଗ କାର୍ଯ୍ୟକ୍ରମକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଉଦଘାଟନ କରିଛନ୍ତି । ସହରରେ ଦିନକୁ ଦିନ ବଢୁଥିବା ଅପରାଧ, ରୋଡ ରୋମିଓ, ଗୁଣ୍ଡାଗିରି, ମାରପିଟ , ଚୋରି ଡକାୟତି, ଗଞ୍ଜେଇ ଚାଲାଣ ପରି ଅପରାଧ ଓ ଅପରାଧୀଙ୍କ ଉପରେ ରୋକ୍ ଲଗାଇବା ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଏହି ଉଦ୍ୟମ ଆରମ୍ଭ ହୋଇଛି । ସହରର ମୁଖ୍ୟ ସଡ଼କ ସମେତ ବିଭିନ୍ନ ଛକ ସ୍ଥାନରେ ୮୫ଟି ସିସି କ୍ୟାମେରା ଲଗାଯାଇଛି । ଆଉ ଏହି ସବୁ କ୍ୟାମେରା ସହରରେ ଦୈନନ୍ଦିନ ଘଟୁଥିବା ପ୍ରତିଟି ଅପରାଧରେ ଜଡ଼ିତ ଅପରାଧୀଙ୍କୁ ଚିହ୍ନଟ କରିବ । ଆଇ ସିସି ଫୁଟେଜର ଆଧାରରେ ଧରାପଡିବେ ଅପରାଧୀ । ଏହି ସିସି କ୍ୟାମେରାର କଂଟ୍ରୋଲ୍ ରୁମ ଟାଉନ ଥାନାରେ ରହିବ । ଏଠାରେ ୨୪ ଜଣ କର୍ମଚାରୀଙ୍କ ଦ୍ୱାରା ଏହାର ତଦାରଖ କରାଯିବ ।
ପରେ ସଂନ୍ଧ୍ୟା ଫଙ୍କସନ ହଲରେ ରକ୍ତ ଦାନ ଶିବିର ଆୟୋଜନ ହୋଇଥିଲା । ସ୍ଥାନୀୟ ବାସିନ୍ଦାଙ୍କ ସହ ପୋଲିସ ଦମ୍ପତି ରକ୍ତ ଦାନ କରିଥିଲେ । ଏହି ରକ୍ତ ଦାନ ଶିବିରରେ ମୋଟ୍ ୧୮୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତଦାତାଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।
ଏସପି ମୁକେଶ କୁମାର ଭାମୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସଡିପିଓ ବରୁଣ ଗୁ ପାଲି, ଟାଉନ ଥାନା ଅଧିକାରି ବାଲେଶ୍ୱର ଗିଧି, ସଦର ଥାନା ଅଧିକାରି ଶିବ ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।