
ଭୁବନେଶ୍ୱର, ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଦଳର ବିଧାୟକ ମାନଙ୍କ ହଟ୍ଟଗୋଳ କାରଣରୁ ଆଜି ମଧ୍ୟ ବିଧାନ ସଭାରେ ପ୍ରଶ୍ନ କାଳ କାର୍ଯ୍ୟକ୍ରମ ହୋଇ ପାରି ନାହିଁ ।ବିରୋଧୀ ବିଧାୟକ ମାନଙ୍କର ହଟ୍ଟଗୋଳ କାରଣରୁ ବାଚସ୍ପତି ସୁରମା ପାଢ଼ୀ ଗୃହ କୁ 11.30 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଛନ୍ତି।
ଆଜି ନିର୍ଦ୍ଧାରିତ 10.30 ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ସୁରମା ପାଢ଼ୀ ପ୍ରଶ୍ନ କାଳ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହିଁଥିଲେ ଓ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କୁ ଉତ୍ତର ଦେବାକୁ ଡାକି ଥିଲେ। ମନ୍ତ୍ରୀ ଶ୍ରୀ ନାୟକ ଉତ୍ତର ଦେବା ଆରମ୍ଭ କରି ଥିଲେ । ଏହି ସମୟ ମଧ୍ୟରେ ବିିଜେଡି ଓ କଂଗ୍ରେସ ଦଳର ବିଧାୟକ ମାନେ ନାରାବାଜୀ କରି ଓ ହାତରେ ପ୍ଲାକାର୍ଡ ମାନ ଧରି ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ । କଂଗ୍ରେସ ବିଧାୟକ ମାନେ ଘଂଟ ଓ ବଇଁଶି ବଜାଇ ରାଜ୍ୟରେ ବଢୁଥିବା ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ପ୍ରତିବାଦ କରିଥିଲେ । ସେହିପରି ବିଜେଡି ବିଧାୟକ ମାନେ ଶିକ୍ଷା ଓ ନିଯୁୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି କରିଥିଲେ । ଯଦି ବିହାରରେ ଜାତି ଜନ ଗଣନା କରାଯାଇ ପାରୁଛି ତେବେ ଓଡିଶାରେ କାହିଁକି ହେଇ ନାହିଁ ବୋଲି ଲେଖାଥିବା ପ୍ଲାକାର୍ଡ ମାନ ବିଜେଡି ସଭ୍ୟ ମାନେ ଧରିଥିଲେ।
ବାଚସ୍ପତି ଶ୍ରୀମତୀ ସୁରମା ପାଢୀ କହିଥିଲେ ଯେ ଗତ କାଲି ଉପ ବାଚସ୍ପତି ଗୃହକୁ ଘଂଟ ଓ ଶଂଖ ଆଣି ନ ଆସିବା ପାଇଁ ରୁଲିଂ ଦେଇଥିଲେ । ଏହା ସତ୍ୱେ ବିଧାୟକ ମାନେ ଏହାକୁ ନେଇ ଆସିଛନ୍ତି । ସେ ବିରୋଧୀ ଦଳର ବିଧାୟକ ମାନଙ୍କୁ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ । ହେଲେ ଏହି ଅନୁରୋଧର କୌଣସି ପ୍ରଭାବ ତାଙ୍କ ଉପରେ ପଡି ନ ଥିଲା । ଶେଷରେ ଗୃହର ଅଚଳାବସ୍ଥା ଏଡାଇବାକୁ ଯାଇ ବାଚସ୍ପତି ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ଦିନ ୧୧.୩୦ ମିନିଟରେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେଲା ମାତ୍ରେ ସେହି ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ମାନେ ସମାନ ପ୍ରସଙ୍ଗକୁ ନେଇ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା । ଏହି କାରଣରୁ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ୩୦ ମିନିଟ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।