
ଗଞ୍ଜାମ– ଚୈତ୍ର ଦ୍ୱିତୀୟ ପାଳି ମଙ୍ଗଳବାର ଅବସରରେ ମା ତାରାତାରିଣୀଙ୍କ ପୀଠରେ ପ୍ରବଳ ଜନସମାଗମ ହୋଇଛି ।ଗତ ଦୁଇଦିନ ଧରି ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବା ଫଳରେ ବାୟୁ ମଣ୍ଡଳ ଥଣ୍ଡା ଅନୁଭୂତ ହୋଇଥିବାରୁ ଏହା ଜନସମାଗମ ପାଇଁ ବେଶ ସହାୟକ ହୋଇଛି । ଗତକାଲି ବିଳମ୍ବିତ ରାତି ପରେ ଦ୍ୱାରଫିଟା, ମଂଗଳ ଆରତୀ ପୂଜା ପରେ ଶ୍ରଦ୍ଧାଳୁମାନେ ଧାଡିରେ ଶୃଙ୍ଖଳିତ ଭାବେ ମନ୍ଦିରକୁ ଯାଇ ମାଙ୍କ ଦର୍ଶନ କରି ପୂଜା ଅର୍ଚ୍ଚନା କରୁଛନ୍ତି । ହଜାର ହଜାର ଶିଶୁଙ୍କର ମୁଣ୍ଡନ କରି ପ୍ରଥମ କେଶକୁ ମାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରି ନିଜନିଜ ସନ୍ତାନ ମାନଙ୍କ ଦୀର୍ଘ ଜୀବନ ଓ ମଂଗଳ କାମନା କରିଛନ୍ତି ପରିବାର ଲୋକେ ଏବଂ ମନ୍ଦିର ପାଦଦେଶ କୁମାରୀ ପାହାଡ ତଳେ ଭୋଜିଭାତର ଆସର ଜମାଇଛନ୍ତି। ଏହି ଅବସରରେ ଅଂଚଳରେ ଶହ ଶହ ଅସ୍ଥାୟୀ ଦୋନାନ ବଜାର ଖୋଲିଛି। ପୁଲିସ୍ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲି ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ଏହି ଅଂଚଳରେ ତଳୁ ପାହାଡର ଶିଖର ତଥା ମନ୍ଦିର ଯାଏ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ ୯୯୯ ପାହଚ ଚଢି, କିମ୍ବା ରୋପୱେ ଅଥବା ବସରେ ପାହାଡ ଉପରକୁ ଯାଇ ମନ୍ଦିରରେ ମା ଙ୍କ ଦର୍ଶନ କରୁଛନ୍ତି । ସଂଧ୍ୟା ପର୍ଯ୍ୟନ୍ତ ଜନସମାଗମ ଲାଗି ରହିବା ଆଶା କରାଯାଉଛି।
ଗଞାମର ଗଣପର୍ବ ତଥା ୨୧ ଦିନିଆ ଦଣ୍ଡ ଯାତ୍ରା ଆଜି ଠାରୁ ଶହଶହ ଗ୍ରାମରେ ଆରମ୍ଭ ହୋଇ ଯାଇଛି । ଆସନ୍ତା ମେରୁ ସଂକ୍ରାନ୍ତି ଦିନ ଏହା ଉଦଯାପିତ ହେବ।