ଭୁବନେଶ୍ୱର- ଆସନ୍ତା ଫେବୃୟାରୀ ୧୩ ତାରିଖରେ ଭୁବନେଶ୍ୱରଠାରେ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ପକ୍ଷରୁ ସିଏଏ, ଏନଆରସି ଏବଂ ଏନପିଆର ବିରୋଧରେ ଏକ ରାଜ୍ୟ ସ୍ତରୀୟ ସମାବେଶ ଅନୁଷ୍ଠିତ ହେବ । ଏହି ସମାବେଶରେ ପାର୍ଟିର ସର୍ବଭାରତୀୟ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଯୋଗ ଦେବେ । ସେହିପରି ଫେବୃୟାରୀ ୧୫ରୁ ସି.ପି.ଆଇ.(ଏମ୍) କର୍ମୀମାନେ ରାଜ୍ୟ ତମାମ ଘରକୁ ଘର ଯାଇ ଏନପିଆର ଉଲ୍ଲିଖିତ କୌଣସି ପ୍ରଶ୍ନର ଜବାବ ନ ଦେବାକୁ ପ୍ରଚାର କରିବେ । ଏହି ପ୍ରକ୍ରିୟା ମାର୍ଚ୍ଚ ୨୯, ବିଶିଷ୍ଟ ଆଦିବାସୀ ନେତା ଲକ୍ଷ୍ମଣ ନାୟକଙ୍କ ଫାଶି ଦିବସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ସମ୍ପାଦକ ଅଳି କିଶୋର ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୩୦ ଓ ୩୧ ଜାନୁୟାରୀ ଦୁଇଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ସିପିଆଇ(ଏମ୍)ର ଓଡିଶା ରାଜ୍ୟ କମିଟି ବୈଠକରେ ରାଜ୍ୟରେ ଏନପିଆର ପାଇଁ ଗଣନା ବନ୍ଦ କରିବାକୁ ଦାବି କରାଯାଇଛି । ରାଜ୍ୟର ବିଜେଡି ଦଳର ପାର୍ଲାମେଂଟ ସଦସ୍ୟମାନେ ନାଗରିକତା ସଂଶୋଧନ ଆଇନ (ସି.ଏ.ଏ)କୁ ସମର୍ଥନ କରିଥିବାବେଳେ ପରବର୍ତି ଅବସ୍ଥାରେ ଏନଆରସି କୁ ବିରୋଧ କରିଛନ୍ତି । କିନ୍ତୁ ପୁଣି ଏନପିଆରକୁ ଓଡିଶାରେ ସହଯୋଗ କରିବାକୁ ଘୋଷଣା ଲୋକଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ହୋଇଛି ।
ଜନଗଣନା ଏବଂ ଏନପିଆର ଏକା କଥା ନୁହେଁ । ଯଦିଓ ସେନସସ ଓ ଏନପିଆର ପ୍ରସ୍ତୁତି ଏକା ସମୟରେ ସମାନ ଗଣନାକାରୀଙ୍କ ଦ୍ୱାରା କରାଯିବ, କିନ୍ତୁ ଲୋକଙ୍କୁ ଦୁଇଟି ଅଲଗା ଫର୍ମରେ ପଚରାଯାଇଥିବା ପ୍ରଶ୍ନର ଉତର ଦେବାକୁ ହେବ । ସେଥିପାଇଁ ଏନପିଆରରେ ପୂର୍ବରୁ ଥିବା ପ୍ରଶ୍ନଗୁଡିକ ସହିତ ଆଉ ୭ଟି ଅଧିକା ପ୍ରଶ୍ନର ଉତର ଦେବାକୁ ହେବ । ଏପ୍ରିଲ ୧ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ହେବାକୁ ଥିବା ଘରକୁ ଘର ଯାଇ ଗଣନା ଶେଷ ହେବା ପରେ ଏହା ସରକାରଙ୍କ ଦ୍ୱାରା ନିଯୁକ୍ତ ଜଣେ ରେଜିଷ୍ଟ୍ରାର ଦ୍ୱାରା ତନଖି ହେବ । ଯଦି କୌଣସି ବ୍ୟକ୍ତି ସମସ୍ତ ପ୍ରଶ୍ନର ନିର୍ଭୁଲ ଓ ସନ୍ତୋଷଜନକ ଉତର ନ ଦେଇ ପାରିଲେ, ସ୍ଥାନୀୟ ରେଜିଷ୍ଟ୍ରାର ତାଙ୍କୁ କଳା ଦାଗ ଦେଇ ସନ୍ଦେହ ତାଲିକା ଭୁକ୍ତ କରିବାକୁ ଅଧିକାର ପ୍ରାପ୍ତ । ଏହା ପରେ ଆସିବ ନିଜ ସମ୍ପର୍କରେ ସାକ୍ଷ୍ୟ କାଗଜ ବା ନଥିପତ୍ର ଦଖଲ କରିବାକୁ ନୋଟିସ୍ ।
ଏପରି ଏନଆରସି ପ୍ରସ୍ତୁତି ବେଳେ ଆସାମରେ ୧୯ ଲକ୍ଷ କଳାଦାଗ ଚିହ୍ନଟ ହୋଇ ନାଗରିକତା ହରାଇବା ଭୟରେ ରହିଛନ୍ତି । ଏଣୁ ଏଥିରେ ଓଡିଶାରେ କି ଲାଭ ହେବ ? କେବଳ କେନ୍ଦ୍ରର ବିଜେପି ନେତା ଓ ସରକାରଙ୍କୁ ସନ୍ତୁଷ୍ଟ କରିବା ଲାଗି ଓଡିଶାରେ ଏନପିଆର ପାଇଁ ବିଜେଡି ସରକାର ଘୋଷଣା କରିବା ଦୂର୍ଭାଗ୍ୟଜନକ ।
ଓଡିଶା ସମେତ ଦେଶର ୧୩ଟି ରାଜ୍ୟ ଏନଆରସି କୁ ପ୍ରତ୍ୟାଖ୍ୟାନ କରିଛନ୍ତି । କେରଳ, ପଞ୍ଜାବ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ପରି ୪ଟି ରାଜ୍ୟ ସେମାନଙ୍କ ବିଧାନସଭାରେ ସିଏଏ, ଏନଆରସି ଓ ଏନପିଆର ବିରୋଧରେ ପ୍ରସ୍ତାବ ପାଶ କରିଛନ୍ତି । ଓଡିଶାରେ ମଧ୍ୟ ଅନୁରୂପ ସଂକଳ୍ପ ପାରିତ କରିବାକୁ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ବୈଠକରେ ଦାବୀ କରାଯାଉଛି ।