
ଭୁବନେଶ୍ୱର– ଛତିଶଗଡ଼ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମହାନଦୀକୁ ନେଇ ଆଲୋଚନାକୁ କଟାକ୍ଷ କରିଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଆମେ ସମସ୍ତେ ମହାନଦୀ ବିବାଦର ସମାଧାନ ଚାହୁଁଛୁ। ପୂର୍ବରୁ ଅନେକ ଥର ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିଲା ବେଳେ ଉଦ୍ୟମ ହୋଇଛି। ବାରମ୍ବାର କେନ୍ଦ୍ର ଓ ଛତିଶଗଡ଼ ସହ ଆଲୋଚନା ହୋଇଛି। ଏକାଧିକ ଥର ତ୍ରିପାକ୍ଷିକ ଆଲୋଚନା ହୋଇଛି। ହେଲେ ଛତିଶଗଡ଼ର ଜିଦଖୋର ମନ ଭାବ ପାଇଁ ସମାଧାନ ହୋଇପାରିନି। ତେଣୁ ଯଦି ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ତାହା ସ୍ୱାଗତଯୋଗ୍ୟ। ହେଲେ କେବଳ ଚା କପ ଉପରେ ଆଲୋଚନା ନ କରି ଯଦି ସମାଧାନର ଇଚ୍ଛା ଅଛି ଛତିଶଗଡ଼ ନିର୍ମାଣ କରୁଥିବା ବ୍ୟାରେଜ କାମ ବାକି ବନ୍ଦ କରନ୍ତୁ। ଅନେକ ବ୍ୟାରେଜ କାମ ସାରି ସାରିଲାଣି। ଅନେକ କାମ ବହୁତ ଆଗକୁ ଗଲାଣି। ଟ୍ରିପଲ ଇଞ୍ଜିନ ସରକାର କାମ ବନ୍ଦ କରି ସମାଧାନର ରାସ୍ତା ବାହାର କରନ୍ତୁ। କେବଳ ଟେବୁଲରେ ଆଲୋଚନା କରି, କାମ ଚାଲୁ ରହିଲେ ଏହାର କୌଣସି ଲାଭ ନାହିଁ। ଯଦି ଉଭୟ ସରକାର ଫଳପ୍ରଦ ଆଲୋଚନା ଚାହୁଁଛନ୍ତି, ଘଟଣାର ଆପୋଷ ସାମଧନ ଚାହୁଁଛନ୍ତି ତାହାଲେ କାମ ପ୍ରଥମେ ବନ୍ଦ କରି ଆଲୋଚନା କରନ୍ତୁ। ଏମିତି କି ମାମଲା ଟ୍ରିବ୍ୟୁନାଲରେ ଅଛି। ତେଣୁ ଉଭୟ ସରକାର ଆପୋଷ ସମାଧାନ ପାରିବ କି ନାହିଁ ସେକଥା ଦେଖନ୍ତୁ। ନୂଆ ସରକାର ସବୁବେଳେ ପୂର୍ବ ସରକାର ପୂର୍ବ ସରକାର କହି ଦୋଷ ଦେଉଛନ୍ତି। ଏବେ ବିଜେପି ସରକାର ଅଛନ୍ତି। ତେଣୁ ତୁରନ୍ତ ସମାଧାନ ର ରାସ୍ତା ବାହାର କରିବାକୁ ବିଜେପି ସରକାରଙ୍କୁ ଆହ୍ବନ ଦେଲା ବିଜେଡି।।