
ଭୁବନେଶ୍ଵର, ସ୍ଥାନୀୟ ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟଠାରେ ଆଜିଠୁ ଆରମ୍ଭ ହୋଇଛି ସପ୍ତମ କଳାଭୁମି ଉତ୍ସବ । ଏହି ୫ ଦିନିଆ ଉତ୍ସବକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଓଡ଼ିଶାର ଗରିମାମୟ ହସ୍ତତନ୍ତ ଓ ହସ୍ତଶିଳ୍ପର ସମୃଦ୍ଧ ପରମ୍ପରାକୁ ଆଗେଇ ନେବା ପାଇଁ ବିଭାଗ ପ୍ରତିଶ୍ରୁତିବଦ୍ଧ ଅଛି ।
ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରଭାକର ମହାରଣା, ହସ୍ତଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ପ୍ରଣତୀ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉଦଘାଟନୀ ଉତ୍ସବରେ ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ମଧୁମିତା ରଥ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅତିରିକ୍ତ ଶାସନ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ ।
ଉଦଘାଟନୀ କାର୍ଯ୍ୟକ୍ରମ ପରେ ଏକ ପଥର ଖୋଦେଇ କର୍ମଶାଳା “ସ୍ଥାପତ୍ୟ: ଇଚିଙ୍ଗ୍ ଲାଇଭଲିହୁଡ୍ ଅନ୍ ଷ୍ଟୋନ୍” (Sthapatya- etching livelihood on stone) ଆୟୋଜନ ହୋଇଥିଲା । ଖୋଦେଇ ଶିଳ୍ପକଳା ସମ୍ପର୍କିତ ପ୍ୟାନେଲ୍ ଆଲୋଚନାରେ ଜାତୀୟ ପୁରସ୍କାରପ୍ରାପ୍ତ ଉଦୟ ମହାନ୍ତି, ପଦ୍ମ ଚରଣ ଓଝା, ଇନ୍ଦ୍ରମଣି ମହାରଣା, ମହେଶ୍ଵର ଓଝା, ରାଜେନ୍ଦ୍ର ମିଶ୍ର, ବିନୟ ଭୂଷଣ ଜେନା, ଗୋଲକ ପାତ୍ର ଓ ଭାରତୀୟ ରପ୍ତାନି ସଂଗଠନ ମହାସଂଘ ପକ୍ଷରୁ କୋମଲ କାନ୍ତ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ବିଭାଗ ପକ୍ଷରୁ ଦେବୀ ପ୍ରସନ୍ନ ନନ୍ଦ ଆଲୋଚନାକୁ ସଂଚାଳନ କରିଥିଲେ ।
ସୂଚନାଯୋଗ୍ୟ, ଏହି ଉତ୍ସବ ଚଳିତ ମାସ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତାକାଲି ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ । ମାର୍ଚ୍ଚ ୨୪ ରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଗ୍ରୀଷ୍ମ ଶିବିର ଆୟୋଜନ ମଧ୍ୟ କରାଯିବ । ମାର୍ଚ୍ଚ ୨୩ ଓ ୨୪ ତାରିଖରେ ନିଃଶୁକ୍ଳ ପ୍ରବେଶ ସୁବିଧା ରହିଛି । ମାର୍ଚ୍ଚ ୨୫ ଓ ୨୬ ରେ କୋଲକାତାସ୍ଥିତ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ପ୍ୟାକେଜିଙ୍ଗ ସହିତ ଏକ କର୍ମଶାଳାର ଆୟୋଜନ ହେବ । ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଛି । ଉଦଯାପନୀ ସମାରୋହରେ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବେ ।