
ଜୟପୁର– ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବନ ବିଭାଗ ପକ୍ଷରୁ ଜଙ୍ଗଲ ସଂରକ୍ଷଣ ଓ ନିରନ୍ତରତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ବନ ଦିବସ ବିଶ୍ବବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଦ୍ୱାରା ଉଦ୍ଘାଟିତ ଏକ ପ୍ରଦର୍ଶନୀ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ପ୍ରଦର୍ଶନୀରେ ଜେକେ ପେପର ମିଲ୍ସ (ରାୟଗଡ଼ା), ଓରମାସ୍ (ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ମାର୍କେଟିଂ ସୋସାଇଟି), ଏକତା ଏନଜିଓ, ଜୟପୁରର ହସ୍ତଶିଳା ଚନ୍ଦ୍ରକଳା ଏବଂ ବନ ବିଭାଗର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ନିରନ୍ତର ଜଙ୍ଗଲ ପରିଚାଳନା ଏବଂ ଜୈବ ବିବିଧତା ସଂରକ୍ଷଣ ଉପରେ ଅଭିନବ ମଡେଲ ଏବଂ ପଦକ୍ଷେପ ପ୍ରଦର୍ଶନ କରି ପ୍ରଦର୍ଶନୀର ସୂଚନା ପୂର୍ଣ୍ଣ ଏବଂ ସୃଜନଶୀଳ ପ୍ରଦର୍ଶନ ପାଇଁ ବିଶିଷ୍ଟ ବ୍ୟକ୍ତି ମାନେ ଉଚ୍ଚ ପ୍ରଶଂସା କରିଥିଲେ।
ପ୍ରଫେସର ଶ୍ରୀ ତ୍ରିପାଠୀ ଜଙ୍ଗଲ ରକ୍ଷଣାବେକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି ଦିଗରେ ବନ ବିଭାଗର ଉଦ୍ୟମକୁ ପ୍ରଶଂସା କରିଥିଲେ। ଉଦ୍ଘାଟନୀ ଭାଷଣରେ ସମନ୍ବିତ କୃଷି ଓ ପ୍ରାକୃତିକ ସମ୍ପଦ ବିଦ୍ୟାଳୟର ଡିନ୍ ଡଃ. ଏନ୍.ସି. ପଣ୍ଡା ଜଳବାୟୁ ପରିବର୍ତ୍ତନ କୁ ରୋକିବାରେ ଜଙ୍ଗଲର ଭୂମିକା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ବିଜୟ ପ୍ରସାଦ ରଥ ସ୍ଥାୟୀ ବନୀକରଣକୁ ପ୍ରୋତ୍ସାହିତ କରିବାରେ ଶିଳ୍ପ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ମୁଖ୍ୟ ଅତିଥି ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟର ପ୍ରଫେସର କେଆର୍ ରମେଶ ଜଙ୍ଗଲ ଶିକ୍ଷା ଓ ଗବେଷଣାର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ଛାତ୍ର କଲ୍ୟାଣ ଡିନ୍ ଡ. ରାମେନ୍ଦ୍ର କୁମାର ପାଢ଼ୀ ଜଙ୍ଗଲ ସଂରକ୍ଷଣ କ୍ଷେତ୍ରରେ ଯୁବଗୋଷ୍ଠୀଙ୍କ ଯୋଗଦାନକୁ ପ୍ରୋତ୍ସାହିତ କରିଥିଲେ।
ବନ ବିଭାଗ ମୁଖ୍ୟ ଡଃ. ଶୁଭସ୍ମିତା ପରିଡ଼ା ଅତିଥିମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଜଙ୍ଗଲ ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନପାଇଁ କୁଳପତି ପ୍ରଫେସର ତ୍ରିପାଠୀ ଶ୍ରୀ ରଘୁନାଥ ଜାନୀଙ୍କୁ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଦେଇଥିଲେ।
ଡଃ. ପରିଡ଼ା, ଐଶ୍ୱର୍ଯ୍ୟାଲକ୍ଷ୍ମୀ ଏଆର, ଜ୍ୟୋତିରାଦିତ୍ୟ ଦାସ ଓ ଡଃ. ଅରବିନ୍ଦ ପ୍ରଜାପତିଙ୍କ ସମେତ ଅଧ୍ୟାପକମାନଙ୍କ ସହଯୋଗରେ କାର୍ଯ୍ୟକ୍ରମକୁ ଦକ୍ଷତାର ସହ ସଂଯୋଜନା କରାଯାଇଥିଲା। ଏହି ଉତ୍ସବ ସଫଳ ଭାବରେ ସ୍ଥାୟୀ ବନୀକରଣର ଗୁରୁତ୍ୱ ଏବଂ ପ୍ରାକୃତିକ ପରିବେଶ ସଂରକ୍ଷଣ ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତାକୁ ଦୃଢ଼ କରିଥିଲା ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡଃ. ଫଗୁନାଥ ଭୋଇ ଜଣାଇଛନ୍ତି ।