
ଭୁବନେଶ୍ୱର, ଆଜି ବିଧାନସଭାରେ ବିରୋଧୀ କଂଗ୍ରେସ ଓ ବିଜେଡି ଦଳର ପ୍ରବଳ ହଟ୍ଟଗୋଳ କାରଣରୁ ପ୍ରଧମାର୍ଧ ବୈଠକ ବାଧାପ୍ରାପ୍ତ ହୋଇଛି । ଏହି କାରଣରୁ ଆଜି ବିଧାନସଭାରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ପରି କାର୍ଯ୍ୟକ୍ରମ ହୋଇ ପାରି ନାହିଁ। ମହିଳା ନିର୍ଯ୍ୟାତନା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ମାନେ କଳା ପୋଷାକ ପିନ୍ଧି ଘଣ୍ଟ ଓ ମହୁରୀ ବଜାଇ ପ୍ରତିବାଦ କରିଥିବା ବେଳେ ବିଜେଡି ବିଧାୟକ ମାନେ ଗୃହରେ ବିରୋଧୀ ମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ହଟ୍ଟଗୋଳ କରିଛନ୍ତି । ଏହି କାରଣରୁ ବିଧାନସଭାକୁ ବାରମ୍ବାର ସ୍ଥଗିତ ରଖିବାକୁ ପଡିଥିଲା ।
ଆଜି ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଗୃହ କାର୍ଯ୍ୟ 10.30 ମିନିଟରେ ଆରମ୍ଭ ହୋଇଥିଲା । ବାଚସ୍ପତି ସୁରମା ପାଢୀ ପ୍ରଶ୍ନକାଳ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହିଁଥିଲେ ଓ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଉତର ଦେବାକୁ ଡାକିଥିଲେ । ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖୁଥିବା ବେଳେ ରାଜ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ସଦସ୍ୟମାନେ ଘଣ୍ଟ ବଜାଇ ପ୍ରତିବାଦ କରିଛନ୍ତି। କଂଗ୍ରେସ ସଦସ୍ୟମାନେ କଳା ପୋଷାକ ପିନ୍ଧି ଗୃହର ମଧ୍ୟଭାଗକୁ ଯାଇ ଘଣ୍ଟ ଓ ମହୁରୀ ବଜାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା । ସେହିପରି ବିଜେଡି ବିଧାୟକ ମାନେ ମଧ୍ୟ ବିରୋଧୀଙ୍କୁ ଅଣଦେଖା କରାଯାଉଥିବାରୁ ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଥିଲା ।
ଏହି ହଟ୍ଟଗୋଳ କାରଣରୁ ବାଚସ୍ପତି ସୁରମା ପାଢୀ ପ୍ରଥମେ ଗୃହକୁ 11.30 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥି୍ଲେ । 11.30ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ଥରେ ସମାନ ସ୍ଥିତି ଉତ୍ପନ୍ନ ହୋଇଥିଲା । ବିଧାନସଭାରେ ଅଚଳାବସ୍ଥାକୁ ଏ଼ଡାଇବାକୁ ଯାଇ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।