
ମାଲକାନଗିରି– ଶିବ ସାଗର ପୁନଃଉଦ୍ଧାର ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଗୋଟିଏ ସାଗରରେ କୋଟିଏ ଗାଏବ, ମାଟି ଖୋଳି ନେଇଗଲେ କୋଟି କୋଟି ଟଙ୍କା । ମାଲକାନଗିରି ଜିଲ୍ଲା ମାଥିଲି ସଦରରେ ଥିବା ଶିବ ସାଗର ପୁନଃଉଦ୍ଧାର ନାଁରେ ଆସିଛି ଦୁର୍ନୀତିର ସାଂଘାତିକ ସତ । ବର୍ଷ ବର୍ଷ ଧରି କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ଶିବ ସାଗରର ଉନ୍ନତିକରଣ ନାଁରେ ଖାଲି ହିଡ ହିଁ ତିଆରି ହେଉଛି । ପ୍ରକଳ୍ପ ମଞ୍ଜୁର କରି ଅଧିକାରୀ ଟଙ୍କା ଲୁଟି ନେଉଥିବା ଅଭିଯୋଗ ହୋଇଛି ।
ସାଗର ଗୋଟିଏ କିନ୍ତୁ ଗାଏବ ହୋଇଛି କୋଟିଏ । ନାମକୁ ମାତ୍ର କାମ କରି କୋଟି କୋଟି ଟଙ୍କା ଖାଇଗଲେ ଅଧିକାରୀ । ୨୦୨୩ରୁ ସାଗର ପୁନଃରୁଦ୍ଧାର କାମ ଆରମ୍ଭ ହୋଇଛି ହେଲେ ଶେଷ ହେବାର ନାଁ ନେଉନାହିଁ । ବର୍ଷ ବର୍ଷ ଧରି କାମ ଚାଲୁଛି ଏପଟେ ମାସକୁ ମାସ ଛାଡି ଗୋଟିଏ ଗୋଟିଏ ବିଲ୍ କରି ବାବୁ ଓ ଠିକାଦାର ପକେଟ ଗରମ କରୁଛନ୍ତି । ସାଗର ଉପରେ ହିଡ ଓ କିଛି ପଥର ପିଚିଂ କରି କୋଟିଏରୁ ଅଧିକ ଟଙ୍କା ଗାଏବ କରାଯାଇଥିବା ଅଭିଯୋଗ ହୋଇଛି ।
ଶିବ ସାଗର ପୁନଃଉଦ୍ଧାର ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୩ କୋଟି ୮୭ ଲକ୍ଷ ୪୨ ହଜାର ଟଙ୍କା ମଞ୍ଜୁର କରିଥିଲେ ପୂର୍ବତନ ସରକାର । ଏବେ ସୁଦ୍ଧା କୋଟିଏରୁ ଅଧିକ ଟଙ୍କା ବିଲ୍ ହୋଇସାରିଛି । ବଳକା ଅର୍ଥକୁ ଭିନ୍ନ ଭିନ୍ନ କାମରେ ଖର୍ଚ୍ଚ କରାଯାଇଥିବା ଦର୍ଶାଇଛି କ୍ଷୁଦ୍ର ଜଳସେଚନ ବିଭାଗ । ଏପଟେ ୨୦୨୪-୨୫ ଆର୍ଥିକ ବର୍ଷରେ ପୁର୍ନବାର ସାଗର ଉପରେ ରାସ୍ତା ନିର୍ମାଣ ଓ ସୁରକ୍ଷିତ ବାଡ଼ ପାଇଁ ଆଉ ୭୯ ଲକ୍ଷ ୫ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ମାର୍ଚ୍ଚ ଶେଷ ସୁଦ୍ଧା କାମ ସାରିବାକୁ ଚୁକ୍ତି ହୋଇଛି । ଏମିତି ବାରମ୍ବାର ହିଡ଼ ନିର୍ମାଣ କରି ଦୁର୍ନୀତି କରିବାର ବାଟ ତିଆରି କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।