
-
ପଖାଳ ଖାଇ ପଖାଳ ଦିବସ ପାଳିଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
-
ବିଶ୍ଵ ଯେଉଁ କୋଣେ ଓଡିଆ, ସେହି କୋଣେ ପଖାଳ
ଭୁବନେଶ୍ୱର, ବିଶ୍ଵରେ ଓଡ଼ିଶାର ଲୋକ ଯେଉଁଠି ରହୁଛନ୍ତି, ପଖାଳ ସେଇଠି ପହଞ୍ଚିଛି । ଓଡିଆମାନଙ୍କ ପାଇଁ ପଖାଳ ହେଉଛି ଜୀବନ ଧନ । ପଖାଳ ସହିତ ମା’ ର ସ୍ନେହ ଓ ଭାବ ଯୋଡି ହୋଇ ରହିଛି । ବିଭିନ୍ନ ରୋଗ ଓ ବାର୍ଦ୍ଧକ୍ୟ ଜନିତ ରୋଗର ଉପଶମ ପାଇଁ ପଖାଳ ହେଉଛି ଏକମାତ୍ର ଔଷଧ । ବର୍ତ୍ତମାନର ନୂଆ ଜୀବନଧାରାରେ ଶାରୀରିକ ଓ ମାନସିକସ୍ତରରେ ସୁସ୍ଥ ଓ ସନ୍ତୁଳନ ରଖିବା ନିମନ୍ତେ ପଖାଳ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ସହଭାଗିତାରେ ଆୟୋଜିତ ବିଶ୍ଵ ପଖାଳ ଦିବସ ପାଳନ ଅବସରରେରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଛପନ ଭୋଗରେ ପଖାଳ ଓ ଟଙ୍କ ପାଣିର ମଧ୍ୟ ମହତ୍ତ୍ଵ ରହିଛି । ଆମ ଅସ୍ମିତା ଆମ ସଂସ୍କୃତି ଆମ ପଖାଳ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଏହା ସହ ଓଡ଼ିଶାର ଯୁବ ପିଢି ପଖାଳର ଉପାଦେୟତାକୁ ବୁଝି ବ୍ଲଗ ଓ ସୋସିଆଲ ମିଡିଆ ମାଧ୍ୟମରେ ପଖାଳ ଓ ପଖାଳ ସହ ଜଡ଼ିତ ଓଡିଆ ସାହିତ୍ୟର ପ୍ରଚାର ପ୍ରସାର କରିବାକୁ ସେ ଅନୁରୋଧ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଯୋଗ ଦେଇ କହିଲେ ଯେ ପଖାଳ ହେଉଛି ଆମ ପରିବେଶ ଅନୁକୂଳ ଖାଦ୍ୟ । ଏବେ ଖାଦ୍ୟର ଟ୍ରେଣ୍ଡ ବଦଳିଯାଇଛି । ବଡ ବଡ ହୋଟେଲ ମଧ୍ୟ ପଖାଳ ପ୍ଲାଟର ନାଁରେ ନୂଆ ଖାଦ୍ୟ ଢାଞ୍ଚା ଆଣିଲେଣି । ମୁଁ ଆଶା କରୁଛି ଯେ ବିଶ୍ଵ ପଖାଳ ଦିବସ ପାଳନ ଦ୍ଵାରା ଆମେ ପଖାଳକୁ ବିଶ୍ୱର କୋଣେ ଅନୁକୋଣେ ପହଞ୍ଚାଇପାରିବା ।
କଳିଙ୍ଗ ହସ୍ପିଟାଲରେ ମୁଖ୍ୟ ଡାଇଟିସିଆନ ଶ୍ରୀମତୀ ଅଞ୍ଜନା ତ୍ରିପାଠୀ ଏହି ଅବସରରେ କହିଲେ ଯେ e ଖରାଦିନର ଡାଏଟରେ ପଖାଳ ଏକ ପ୍ରମୁଖ ଭୂମିକା ନିର୍ବାହ କରେ। ପଖାଳରେ ପ୍ରାକୃତିକ ପ୍ରୋ – ବାୟୋଟିକସ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ସେ କହିଲେ ଯେ ପଖାଳ ଖାଇଲେ ଆମକୁ ବାର ବାର ଭୋକ ଲାଗିନଥାଏ ଯାହାଦ୍ୱାରା ଆମ କ୍ୟାଲେରୀ ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ପଖାଳ ସହିତ ଆମେ ତେଲ ତିଆରି ଖାଦ୍ୟକୁ ଏଡାଇବା ଦରକାର । ପଖାଳ ସହିତ ଆମକୁ ଶାଗ ଭଜା, ଡାଲି ବରା, କାକୁଡି, ଲେମ୍ବୁ ଓ ଦହି ଖାଇବାର ଆବଶ୍ୟକତା ଅଛି ।
ବହୁ ଓଡିଆ ଫୁଡ ବ୍ଲଗରମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଓଡିଆ ଖାଦ୍ୟକୁ ଇଣ୍ଟରନେଟ ଜରିଆରେ ସୁଦୂର ପ୍ରସାର କରିଥିବା ଯୋଗୁଁ ୬ ଜଣ ପ୍ରମୁଖ ଫୁଡ଼ ବ୍ଲଗର – ସେନୋରିଟା ଦାସ, ଅଙ୍କିତା ତ୍ରିପାଠୀ, ମେହେକ ମହାପାତ୍ର, ସାନ ଶେଖ,ଆୟୁଷ କୁମାର ଏବଂ ଆଲୋକ ପ୍ରସାଦ ମହାପାତ୍ରଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ପର୍ଯ୍ୟଟନ ବିଭାଗ କମିଶନର ତଥା ପ୍ରମୁଖ ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ ତାଙ୍କ ସ୍ଵାଗତ ଭାଷଣରେ କହିଲେ ଯେ ପଖାଳ ହେଉଛି ଆମ ଓଡିଆ ଖାଦ୍ୟର ଏକ ଅନନ୍ୟ ଉତ୍ସବ । ଆଗାମୀ ସପ୍ତାହରେ ସୋନି ଟିଭିରେ ମାଷ୍ଟର ଶେଫ କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଓଡ଼ିଶା ବ୍ୟଞ୍ଜନ ଉପରେ ଆଧାରିତ ହେବ ବୋଲି ସେ ପ୍ରକାଶ କରିଛନ୍ତି । ଏହି ଅବସରରେ ପର୍ଯ୍ୟଟନ ନିର୍ଦ୍ଦେଶିକା ମାନସୀ ନିମ୍ଭାଲ୍ ଧନ୍ୟବାଦ ଅର୍ପଣ କରିଥିଲେ ।