
ଭୁବନେଶ୍ୱର– ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ କରିବ। ଏସମ୍ପର୍କରେ ସୂଚନା ଦେଇ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ ଆମେ ବିଧାନସଭାରେ ମହିଳା ନିର୍ଯାତନା ପ୍ରସଙ୍ଗ ଯେବେ ଉଠାଇଲୁ ସେତେବେଳେ ଆମକୁ ବିରୋଧ କରାଗଲା। ଜଣେ ବିଧାୟକ ମୋତେ ଖରାପ ଭାଷାରେ ଗାଳି କଲେ, କଲର ଧରିଲେ। ସରକାର ସତ୍ୟକୁ ସାମ୍ନା କରିବାକୁ ଡ଼ରୁଛନ୍ତି। ବିରୋଧୀ ଦଳ ଗୃହରେ ଯେଉଁ ପ୍ରସଙ୍ଗ ଉଠାଉଛି ବା ବିରୋଧ ପ୍ରଦର୍ଶନ କରୁଛି ତାହା ଯେଭଳି ଭାବରେ ଗଣମାଧ୍ୟ୍ୟମରେ ନ ଦେଖାଯାଉ ବୋଲି ସରକାର ଚକ୍ରାନ୍ତ କରୁଛନ୍ତି। ବିଧାନସଭରେ ଗୁଣ୍ଡାରାଜ ଚଳାଇଛନ୍ତି ରାଜ୍ୟ ସରକାର। ଲୋକଙ୍କ ଅଧିକାର ବନ୍ଦ କରିବାକୁ ସରକାର କିଏ?ଏହା ଲୋକଙ୍କ ସରକାର,
ସରକାର କାହାର ପୈତୃକ ସମ୍ପତି ନୁହେଁ। ବିରୋଧୀ ଦଳର ଅଧିକାରକୁ ସରକାର ଛଡେଇ ନେବାକୁ ତାଙ୍କର ଅଧିକାର ନାହିଁ। ସରକାର ଗୃହରେ କମିଟି କରିବାକୁ ନିଷ୍ପତି ନିଅନ୍ତୁ, ନାରୀ ନିର୍ଯାତନା ନେଇ ସ୍ୱତନ୍ତ୍ର ଆଇନ ଆଣନ୍ତୁ।ଅପରାଧୀଙ୍କୁ କଠୋରରୁ କଠୋର ଦଣ୍ଡ ହେବାକୁ ଆମେ ଦାବୀ କରୁଛୁ। ଏକ ପାଖିଆ ଭାବରେ ବାଚସ୍ପତି ଗୃହ ଚଳାଉଛନ୍ତି, ଆମେ ଏହାକୁ ବିରୋଧ କରୁଛୁ ବୋଲି କହିଛନ୍ତି ତାରା ବାହିନୀପତି।