
ଖୋର୍ଦ୍ଧା, ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପିଚୁକୁଳି ଆଦର୍ଶ ବିଦ୍ୟାଳୟ ନିକଟରେ ପୁଣି ଅଘଟଣ। ଏକ ଯାତ୍ରୀବାହୀ ବସ୍ ସହ କାରର ମୁଁହାମୁହିଁ ଧକ୍କା ହେବା ଫଳରେ କାରରେ ଥିବା ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ସେହିପରି ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସୂଚନା ମୁତାବକ, ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ପିଚୁକୁଳି ନିକଟ ଆଦର୍ଶ ବିଦ୍ୟାଳୟ ନିକଟରେ ଭୁବନେଶ୍ୱରରୁ ବିଶାଖା ନାମକ ଯାତ୍ରୀବାହୀ ବସ୍ ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ମାରୁତି ସେଲେରିଓ କାର୍ ସହ ମୁଁହାମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ କାରରେ ଥିବା ଜଣେ ମହିଳା ଓ ପୁରୁଷ କାର ଭିତରେ ଚାପି ହୋଇ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ବସଟି ରାସ୍ତାକଡ଼କୁ ପଶି ଯାଇଥିବା ବେଳେ ବସରେ ଥିବା ଦୁଇଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।ଘଟଣା ସ୍ଥଳରେ ବେଗୁନିଆ ପୁଲିସ ପହଞ୍ଚିବାରେ ବିଳମ୍ବକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ସେପଟେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଉଭୟ ଦମ୍ପତି ହୋଇଥିବା ଅନୁମାନ କରାଯାଉଛି।