
ଖୋର୍ଦ୍ଧା , ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଶରଧାପୁର ମାଙ୍କଡ଼ା ଖଣିରେ ବଡ଼ ଧରଣର ଚଢ଼ାଉ ହୋଇଛି। ଆଜି ସକାଳୁ ପୋଲିସ ଓ ଖଣି ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇ ୩୯ ଗାଡ଼ି ଜବତ ହୋଇଥିବା ନେଇ ଖଣି ଉପନିର୍ଦ୍ଦେଶକ ଦିଲୀପ ସାହୁ ସୂଚନା ଦେଇଛନ୍ତି। ଏହି ଗାଡ଼ି ମଧ୍ୟରେ ରହିଛି ୨ଟି ଜେସିବି, ୪ଟି ହାଇୱା, ୭ଟି ଟ୍ରାକ୍ଟର, ୯ଟା ୪୦୭ ଗାଡ଼ି ୮ଟା ପାୱାର ଟିଲର ଓ ୯ଟା ବାଇକ। ଏହି ବଡ଼ ଧରଣର ଚଢ଼ାଉରେ ୪୦ଜଣ ପୁଲିସ ଅଧକାରୀ ନିୟୋଜିତ ହୋଇଛନ୍ତି। ଖଣି ବିଭାଗ ପକ୍ଷରୁ ଏଭଳି ଧରଣର ଚଢ଼ାଉ ଆଗରୁ କେବେ ବି ହୋଇନଥିବା କୁହାଯାଉଛି।ଖଣି ଅଧିକାରୀ ଜଗନ ବେହେରାଙ୍କ ସୂଚନା ମୁତାବକ, ଗଲା ୭ତାରିଖରୁ ୧୭ତାରିଖ ମଧ୍ୟରେ ମୋଟ୍ ୪୨ଗୋଟି ଗାଡ଼ି (ପାୱାର ଟିଲର ସହିତ) ଧରପଗଡ଼ ହୋଇଛି। ସେଥିମଧ୍ୟରୁ ୨୭ଟି ଗାଡ଼ି ହେଉଛି ବାଲି ବୋଝେଇ, ୩ଟି ମୋରମ, ୫ଟି ମାଙ୍କଡ଼ା ବୋଝେଇ ପଥର ଓ ୭ଟି ପାୱାର ଟିଲରକୁ ଜବତ କରାଯାଇଛି। ଉପରୋକ୍ତ ଜବତ ଗାଡ଼ି ଘଟଣାରେ ବିଭିନ୍ନ ଥାନାରେ ମୋଟ୍ ୨୨ଗୋଟି ମାମଲା ରୁଜୁ ହୋଇଛି ଓ ମୋଟ୍ ୧୮ଜଣଙ୍କର ଗିରଫଦାରୀ ବି ହୋଇଛି। ପୁଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ଏ ପ୍ରକାର ଧରପଗଡ଼ ଓ ଦୁଇ ସପ୍ତାହ ଭିତରେ ଏତେ ଗାଡ଼ି ଜବତ ଘଟଣା ଚୋରା ଚାଲାଣ ବିରୋଧରେ ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ।