
ପୁରୀ , ପୁରୀ ଜିଲ୍ଲା ସ୍ତରୀୟ ୯୦ ତମ ଓଡିଶା ଦିବସ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଓଡିଶା ଦିବସ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ ର ଦିବସ ହୋଇ ଥିବାରୁ ଏହାକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ବୋଲି କହିଥିଲେ। ଏହି ପବିତ୍ର ଦିବସର ପ୍ରତ୍ୟେକ କାର୍ଯ୍ୟକ୍ରମ କୁ ଆନ୍ତରିକତାର ସହ ପାଳନ କରିବାକୁ ସେ ଅନୁରୋଧ କରିଥିଲେ।ଯେଉଁ ବିଭାଗ କୁ ଯେଉଁ ଦାୟିତ୍ୱ ଦିଆଯାଇଛି ତାହାକୁ ନିଷ୍ଠାର ସହ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ। ବୈଠକରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସିଡିଏମଓ ଡା ରୂପଭାନୁ ମିଶ୍ର,ଜିଲ୍ଲା ଶିକ୍ଷା ଅଧିକାରୀ ଦିପକ କୁମାର ପାଢ଼ୀ, ଡିଆଇବିର ଅତିରିକ୍ତ ଏସ ପି ଦେବୀ ଶଙ୍କର ପ୍ରତାପ ପ୍ରମୁଖ ଯୋଗ ଦେଇ ଓଡ଼ିଶା ଦିବସ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ।ବିସ୍ତୃତ ଆଲୋଚନା ପରେ ସ୍ଥିର ହେଲା ଯେ ଅପ୍ରେଲ ୧ ତାରିଖ ପ୍ରାତଃ ୫ ଘଟିକା ସମୟରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯିବ।ପୁରୀ ପୌରପାଳିକା ଓ ସଦର ବ୍ଲକ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବ।ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ବ୍ଲକ ପକ୍ଷରୁ ଓ ଶିକ୍ଷା ନୁଷ୍ଠାନ ମାନଙ୍କ ରେ ଥିବା ପ୍ରତିମୂର୍ତ୍ତି ରେ ଶିକ୍ଷା ବିଭାଗ ପକ୍ଷରୁ ମାଲ୍ଯାର୍ପଣ କରାଯିବାକୁ ସ୍ଥିର ହେଲା। ଓଡିଶା ଦିବସ ଅବସରରେ ବିଭିନ୍ନ ସରକାରୀ,ବେସରକାରୀ ଓ ରାଷ୍ଟ୍ରାୟତ ଉଦ୍ୟୋଗ,ବ୍ୟାଙ୍କ,ବ୍ୟବସାୟ ପ୍ରତିଷ୍ଠାନ,ହୋଟେଲ ଇତ୍ୟାଦି ସେମାନଙ୍କ କାର୍ଯ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ନିଜସ୍ୱ ବ୍ୟୟରେ ଆଲୋକ ମାଳାରେ ସଜ୍ଜିତ କରିବା, ସ୍ୱାଗତ ତୋରଣ ନିର୍ମାଣ କରିବାକୁ ଅନୁରୋଧ କରାଗଲା।ସଂଧ୍ୟାରେ ସଂସ୍କୃତି ଭବନ ଠାରେ ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସଂସ୍କୃତି ବିଭାଗ ସହଯୋଗ ରେ ଅନୁଷ୍ଠିତ ହେବ।ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀ ଓ ଏସ ସି ଏସ ସ୍ୱୟଂଶାସିତ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ଆୟୋଜନ କରାଯାଇ ଓଡିଶା ଦିବସରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।ସେହିପରି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଝୋଟି ମୁରୁଜ ପ୍ରତିଯୋଗିତା ଆୟୋଜନ କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ।ଆଇନଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ,ଅଗ୍ନିଶମ ସେବା ଓ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା ଇତ୍ୟାଦି ପାଇଁ ସମ୍ପୃକ୍ତ ବିଭାଗ କୁ ଅନୁରୋଧ କରାଗଲା। ପ୍ରାରମ୍ଭରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ ସହ କାର୍ଯ୍ୟସୂଚୀ ଅନୁସାରେ ବୈଠକ ପରିଚାଳନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ସହଦେବ ସାହୁ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ସହକାରୀ ଅଗ୍ନି ଶମ ଅଧିକାରୀ ପ୍ରଭାତ କୁମାର ରାଉତ, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ର ପ୍ରତିନିଧି ଡା ତନୁଚନ୍ଦ୍ର ମରାଇ,ସମାଜ କଲ୍ୟାଣ କାର୍ଯ୍ୟାଳୟ ର ପ୍ରୋଗ୍ରାମ ଅଫିସର ଚନ୍ଦ୍ର ପ୍ରଭା ଦେଇ, ୱ୍ବାଟକୋ ର ମ୍ୟାନେଜର ପରୀକ୍ଷିତ ଖଣ୍ଡୁଆଳ,ପୁରୀ ମୁନିସିପାଲ୍ଟି ର ସହକାରୀ ଯନ୍ତ୍ରୀ ଦେବବ୍ରତ ଷଡ଼ଙ୍ଗୀ, ଟିପିସିଓଡିଏଲର ଡିସି ହିମାଂଶୁ ଶେଖର ପଣ୍ଡା, ସହକାରୀ ସୂଚନା ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ର, ସମାଜସେବୀ ଚକ୍ରଧର ମହାପାତ୍ର, ସାହିତ୍ୟିକ ବିପିନ ବିହାରୀ ଦଳାଇ, ସମାଜସେବୀ ବଦ୍ରି ମିଶ୍ର ଓ ବିଭିନ୍ନ ବିଭାଗର ଅଧିକାରୀ,କର୍ମଚାରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।