
ଭୁବନେଶ୍ୱର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଓ ଫାଷ୍ଟ ଲେଡି ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ମଙ୍ଗଳବାର ଅପରାହ୍ନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଭୁବନେଶ୍ୱର ସ୍ଥିତ ବାସ ଭବନ ରେ ପହଞ୍ଚି ସମବେଦନା ଜଣାଇଛନ୍ତି l ଏହି ଅବସରରେ ରାଜ୍ୟପାଳ କହିଛନ୍ତି ଯେ ଜଣେ ପ୍ରବୀଣ ରାଜନେତା ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ ଜନସେବା ପ୍ରତି ତାଙ୍କର ଜୀବନବ୍ୟାପୀ ସମର୍ପଣ ଏବଂ ଦୃଢ଼ ଆଦର୍ଶଗତ ପ୍ରତିବଦ୍ଧତା ପାଇଁ ଜଣେ ସମ୍ମାନାସ୍ପଦ ବ୍ୟକ୍ତିତ୍ୱ ଥିଲେ l ତାଙ୍କ ବିୟୋଗ ତାଙ୍କ ପରିବାର, ଅନୁଗାମୀ ତଥା ରାଜ୍ୟ ପାଇଁ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି କରିଛି l ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ଖବର ଆସିବା ବେଳକୁ ରାଜ୍ୟପାଳ ଓଡିଶା ବାହାରେ ଥିଲେ ଏବଂ ଗସ୍ତ ରୁ ଫେରିବା ପରେ ସେ ତୁରନ୍ତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଭୁବନେଶ୍ୱର ସ୍ଥିତ ବାସ ଭବନ କୁ ଯାଇ ସମବେଦନା ଜଣାଇଥିଲେ l
ଦିବଂଗତ ନେତାଙ୍କ ସହ ତାଙ୍କ ସମ୍ପର୍କ କୁ ମନେ ପକାଇ ରାଜ୍ୟପାଳ କହିଛନ୍ତି ଯେ ଦେବେନ୍ଦ୍ର ପ୍ରଧାନ ତାଙ୍କ ଆଦର୍ଶ ଓ ବିଚାରଧାରା ପ୍ରତି ସର୍ବଦା ସମର୍ପିତ ଥିଲେ ଏବଂ ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ିଥିଲେ l ୧୯୯୧-୯୨ ମସିହାରେ ଯେତେବେଳେ ସେ ଓଡିଶା ବିଜେପି ର ସଭାପତି ଥିଲେ ମୁଁ ତାଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲି l ସେହି ସମୟରେ ଲାଲକୃଷ୍ଣ ଆଡ଼ଭାନୀ ଜୀ ଏବଂ ମୁରଲୀ ମନୋହର ଯୋଶୀ ଜୀ ପୃଥକ ପୃଥକ ଯାତ୍ରା ର ନେତୃତ୍ୱ ନେଇଥିଲେ l ଆମେ ସେମାନଙ୍କ ସହିତ ଆନ୍ଧ୍ରପ୍ରଦେଶ ସୀମାନ୍ତ ପର୍ଯ୍ୟନ୍ତ ଯାଇଥିଲୁ, ଯେଉଁଠାରେ ଆମେ ଦେବେନ୍ଦ୍ର ପ୍ରଧାନଙ୍କୁ ଯାତ୍ରା ହସ୍ତାନ୍ତର କରିଥିଲୁ ବୋଲି ରାଜ୍ୟପାଳ ସ୍ମୃତି ଚାରଣ କରିଥିଲେ l ରାଜ୍ୟପାଳ ପୁଣି ମନେ ପକାଇଥିଲେ ଯେ ଅଟଳବିହାରୀ ବାଜପେୟୀଙ୍କ ମନ୍ତୀ ମଣ୍ଡଳ ରେ ଯେତେବେଳେ ସ୍ବର୍ଗତ ପ୍ରଧାନ କୃଷି ରାଷ୍ଟ୍ର ମନ୍ତ୍ରୀ ଥିଲେ, ସେତେବେଳେ ତାଙ୍କୁ ଭେଟିଥିଲେ l ସ୍ବର୍ଗତ ପ୍ରଧାନ ଜାତୀୟତାବାଦ ର ଜଣେ ଦୃଢ଼ ସମର୍ଥକ ଥିଲେ ଓ ଜୀବନ ତାମାମ ତାଙ୍କ ବିଚାରଧାରା ଓ ଆଦର୍ଶ ପ୍ରତି ଅଙ୍ଗୀକାରବଦ୍ଧ ଥିଲେ l ସେ ସର୍ବଦା ଲୋକଙ୍କ ପାଇଁ ଏବଂ ସେମାନଙ୍କ ସମସ୍ୟା ର ସମାଧାନ ପାଇଁ ଛିଡା ହେଉଥିଲେ ବୋଲି ରାଜ୍ୟପାଳ କହିଛନ୍ତି l ଦିବଂଗତ ନେତାଙ୍କ ପ୍ରତି ରାଜ୍ୟପାଳଙ୍କ ଏହା ସମ୍ମାନ ର ନିଦର୍ଶନ ଥିଲା ଯାହା ବର୍ଷ ବର୍ଷ ଧରି ସେମାନଙ୍କର ଗଭୀର ବ୍ୟକ୍ତିଗତ ଓ ବୃତ୍ତିଗତ ସମ୍ପର୍କକୁ ପ୍ରତିଫଳିତ କରିଥିଲା l