
ନାଗପୁର– ମହାରାଷ୍ଟ୍ରର ନାଗପୁରରେ ଦଙ୍ଗା ପରେ ଅନେକ ଥାନା ଅଂଚଳର ସମ୍ବେଦନଶୀଳ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି । ପୋଲିସ ପୂରା ରାତି ସ୍ଥିତି ସାମାନ୍ୟ କରିବାକୁ ଉଦ୍ୟମ କରୁଛି । ସ୍ଥିତି ନିୟନ୍ତ୍ରଣରେ କିନ୍ତୁ ଉତ୍ତେଜନାପୂର୍ଣ୍ଣ ରହିଛି । ସହରରେ ସୋମବାର ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ଛତ୍ରପତି ଶିବାଜୀ ଛକରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଥିଲା । ବିକ୍ଷୋଭକାରୀ ଛତ୍ରପତି ସମ୍ଭାଜୀନଗର ଜିଲ୍ଲାରେ ଥିବା ଔରଙ୍ଗାଜେବଙ୍କ କବର ହଟାଇବାକୁ ଦାବି କରିଥିଲେ । ବିକ୍ଷୋଭକାରୀ ଔରଙ୍ଗାଜେବଙ୍କ ଫଟୋ ଓ ପ୍ରତୀକାତ୍ମକ ପୁତଲା ଜଳାଇ ବିରୋଧ କରିଛନ୍ତି । ଏହାପରେ ସୋସିଆଲ ମିଡିଆରେ କିଛି ଗୁଜବପୂର୍ଣ୍ଣ ଭିଡିଓ ଓ ଫଟୋ ଭାଇରାଲ ହୋଇଥିଲା । ସନ୍ଧ୍ୟା ପ୍ରାୟ ସାଢେ 7ଟା ବେଳେ ଲୋକେ ଚିଟନିସ ପାର୍କ ସମ୍ମୁଖରେ କଂଗ୍ରେସର ଦେୱଡିୟା ଭବନ କାର୍ଯ୍ୟାଳୟ ନିକଟରେ ଏକ ଧାର୍ମିକ ସ୍ଥଳ ସମ୍ମୁଖରେ ଏକାଠି ହୋଇଥିଲେ । ଏହାପରେ ଭିଡ ଛତ୍ରପତି ଛକ ଅଭିମୁଖେ ବଢିଥିଲା । ଏହି ସମୟରେ ଭିଡରେ ଆପତ୍ତିଜନକ ନାରା ଦେଇଥିଲେ ଏବଂ ପଥର ଫିଙ୍ଗିଥିଲେ । ଅନେକ ଗାଡିରେ ନିଆଁ ଲଗାଇ ଦେଇଥିଲେ । ପଥର ମାଡରେ ଅନେକ ପୋଲିସ କର୍ମୀ ଆହତ ହୋଇଛନ୍ତି ।