
ପୁରୀ– ଆସନ୍ତାକାଲି ଚୈତ୍ର ମାସ କୃଷ୍ଣ ପକ୍ଷ ପଂଚମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ନ ୫ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି ।
ଶ୍ରୀଜୀଉଙ୍କ ବନକ ଲାଗି ତଥା ଶ୍ରୀମୁଖ ଶୃଙ୍ଗାରରେ ପ୍ରାକୃତିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା ଓ ନାଲି ରଙ୍ଗର ବ୍ୟବହାର ହୋଇଥାଏ । ବନକଲାଗି ଶ୍ରୀଜୀଉଙ୍କ ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟରେ ଗର୍ଭଗୃହର ସମସ୍ତ ଦ୍ୱାର ବନ୍ଦ ରହିଥାଏ । ବନକଲାଗି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହେବ ।